୬ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ ପାଇଁ ଜତୀୟ ମାନବଧିକାର କମିଶନରଙ୍କ ନିର୍ଦ୍ଦେଶ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାର ସମସ୍ତ ତଦନ୍ତ ରିପୋର୍ଟକୁ ୬ ସପ୍ତାହ ମଧ୍ୟରେ ପ୍ରଦାନ କରିବା ପାଇଁ ଜାତୀୟ ମାନାବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ଗୁରୁତର ସହ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଜଙ୍ଗଲ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ରାଜ୍ୟ ପୋଲିସ ଡିଜିଙ୍କୁ ୬ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ କମିଶନ ନିର୍ଦ୍ଦେଶ ଦେଇଥିବା ଏକ ନିର୍ଭର ଯୋଗ୍ୟ ବିଶ୍ୱସ୍ଥ ସୂତ୍ରରୁ ଜଣାପଡିଛି । ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ଗତ ଜୁଲାଇ ୧୨ ତାରିଖରେ ଗୁରୁତର ଭାବେ ପୋଡି ହୋଇ ପାରଳା ଠାରେ ଥିବା ଜିଲ୍ଲାସ୍ତରୀୟ ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ପରେ କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ହେଲେ ସୌମ୍ୟ ଏପରି ଭାବେ ପୋଡି ମୃତ୍ୟୁବରଣ କରିବା ଘଟଣାକୁ ନେଇ ପରିବାରଲୋକେ ସନ୍ଦେହ କରିଥିଲେ । ପରେ ପରିବାର ଲୋକେ ଜାଣିପାରିଥିଲେ ଯେ, ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ଓ ପାରଳା ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଯୋଗୁଁ ସୌମ୍ୟଙ୍କୁ ବହୁ ବିଦ୍ୟାଭାରତୀ ଓ ପାରଳାଖେମୁଣ୍ଡି ଡିଏଫ୍‌ଓ ଷଡଯନ୍ତ୍ର କରି ମାରିଥିବା ସେମାନେ ପାରଳାଖେମୁଣ୍ଡି ଥାନାରେ ଅଭିଯୋଗ କରିଥିଲେ । ପାରଳାଖେମୁଣ୍ଡି ପୋଲିସ ଘଟଣା ନେଇ ବିଭିନ୍ନ ତଦନ୍ତ ଓ ଜେରା କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ ତତ୍କାଳୀନ ଗଜପତି ଏସ୍‌ପି ତପନ କୁମାର ପଟ୍ଟନାୟକ ତଦନ୍ତ ନ ସରୁନୁ ପାରଳା ଡିଏଫଓ ସଂଗ୍ରାମ ବେହେରା, ରୋଷେୟା ମନ୍ମଥ କୁମ୍ଭ ଏବଂ ଗୁରାଣ୍ଡି ଥାନା ଅଧିକାରିଣୀ ମମତା ପଣ୍ଡାଙ୍କୁ କ୍ଲିନଚିଟ୍ ଦେଇ ବିବାଦୀୟ ହୋଇପଡିଥିଲେ ଏସ୍‌ପି । କ୍ଲିନଚିଟ୍‌ର ୨୪ଘଣ୍ଟା ନ ପୁରୁଣୁ ତତ୍କାଳୀନ ଏସ୍‌ପି ଶ୍ରୀ ପଟ୍ଟନାୟକ ନିଜ ଭୁଲ ବୁଝିପାରି ପୁଣି ୟୁଟର୍ନ ନେଇ କହିଥିଲେ ଘଟଣାର ତଦନ୍ତ ଜାରି ରହିଛି । ତଦନ୍ତ ଶେଷରେ ସଠିକ ନିଷ୍ପତ୍ତି ପରେ ସୂଚନା ଦିଆଯିବ । ଏଭଳି ପୋଲିସର ବିଭିନ୍ନ ବିଫଳତା ପରେ ଏହି ମାମଲାଟିର ତଦନ୍ତକୁ ରାଜ୍ୟ ସରକାର ମାମଲାର ସମ୍ପୂର୍ଣ୍ଣ ଦାୟିତ୍ୱ କ୍ରାଇମବ୍ରାଞ୍ଚ କୁ ହସ୍ତାନ୍ତର କରିଥିଲେ । ଏଥି ନେଇ କ୍ରାଇମବ୍ରାଞ୍ଚ ପାରଳାଖେମୁଣ୍ଡି ଠାରେ ୮ଦିନ ମଧ୍ୟରେ ପାରଳା ଡିଏଫ୍‌ଓ, ଦୁଇଜଣ ଡାକ୍ତର, ତହସିଲଦାର, ଗୁରାଣ୍ଡି ଥାନା ଅଧିକାରିଣୀ ପ୍ରମୁଖଙ୍କ ସହ ୧୪ଜଣଙ୍କୁ ଜେରା କରି ବୟାନ ରେକର୍ଡ କରିଥିଲେ । ଏହା ପରେ ପାରଳାରେ ତଦନ୍ତ କରୁଥିବା ୪ଜଣିଆ କ୍ରାମବ୍ରାଞ୍ଚ ଟିମ୍ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ସମସ୍ତ ରିପୋର୍ଟ ପ୍ରଦାନ ପାଇଁ ମୁଖ୍ୟ କାର୍ଯ୍ୟାଳୟକୁ ଫେରିଥିଲେ । ବର୍ତ୍ତମାନ ସମ୍ପୃକ୍ତ ଘଟଣା ଘଟି ୪୪ଦିନ ବିତିବାକୁ ଯାଉଛି । ତଥାପି କୌଣସି ରହସ୍ୟ ଉନ୍ମଚନ ହୋଇ ପାରି ନାହିଁ । ତେଣୁ ଏହି ମାମଲାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମାନବାଧିକାରକର୍ମୀ ସୁବ୍ରତ ଦାସ ଏନ୍‌ଏଚ୍‌ଆର୍‌ସିଙ୍କ ଠାରେ ଗତ ୩ ତାରିଖ ଦିନ ଅଭିଯୋଗ କରିଥିଲେ । ଏଥିରେ ଜାତୀୟ ମାନବଧିକାର କମିଶନ ମାମଲା ରୁଜୁ କରି ଆକ୍ସନ ଟେକନ୍ ରିପୋର୍ଟ ମାଗିଛନ୍ତି । ୬ସପ୍ତାହ ମଧ୍ୟରେ ଘଟଣାର ସବିଶେଷ ରିପୋର୍ଟ ପ୍ରଦାନ ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ