“ଅଂହିସା ବିନା ଶାନ୍ତି ଅସମ୍ଭବ”
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ମାଷ୍ଟରକ୍ୟାଣ୍ଟିନସ୍ଥିତ ବୁଲନଭାଇ ସେବା ଭବନଠାରେ ଉତ୍କଳ ସର୍ବୋଦୟ ମଣ୍ଡଳ ପକ୍ଷରୁ “ଗାନ୍ଧିଜୀ ଓ ବିଶ୍ୱଶାନ୍ତି” ସମ୍ପର୍କରେ ଏକ ଚିନ୍ତନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଚିନ୍ତନ ଶିବିରରେ ଉତ୍କଳ ସର୍ବୋଦୟ ମଣ୍ଡଳର ସଭାପତି କୈଳାସ ଚନ୍ଦ୍ର ସାଉ ଅଧ୍ୟକ୍ଷତା କରି ଆଜିର ବିଶ୍ୱରେ ଗାନ୍ଧିଜୀଙ୍କର ପ୍ରାସଙ୍ଗିକତା ରହିଛି ଓ ଗାନ୍ଧିଜୀଙ୍କ ବିଚାର ଅହିଂସା ବିନା ଶାନ୍ତି ଅସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ । ଆଲୋଚନାରେ ଅଂଶଗ୍ରହଣ କରି ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ସୂର୍ଯ୍ୟନାରାୟଣ ମିଶ୍ର ଅଶାନ୍ତିର କାରଣ ଅସମାନତା । ବିକୃତ ବିକାଶର ନାମ ବିବାଦ ସୃଷ୍ଟି ହେଉଛି ଓ ଏହି ବିବାଦ ଯୁଦ୍ଧରେ ପରିଣତ ହେଉଛି ବୋଲି ମତ ଦେଇଥିଲେ । ଅନ୍ୟତମ ବକ୍ତା ଉତ୍କଳ ବିଶ୍ୱ ବିଦ୍ୟାଳୟର ପୂର୍ବତନ ଇତିହାସ ବିଭାଗ ପ୍ରଫେସର ଅଶୋକ କୁମାର ପଟ୍ଟନାୟକ ପୃଥିବୀ ଇତିହାସରେ ସଂଗଠିତ ଯୁଦ୍ଧ ଉପରେ ତର୍ଜମା କରି ଏହାର କାରଣ ନିରାକରଣ ପାଇଁ ଗାନ୍ଧିଙ୍କ ଅହିଂସା ଏକମାତ୍ର ରାସ୍ତା ବୋଲି କହିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ବିନାୟକ ରଥ ଗାନ୍ଧି ଅର୍ଥନୀତି ଉପରେ ଆଲୋଚନା କରି ଅଶାନ୍ତିର କାରଣ ଓ ନିରାକରଣ ପାଇଁ ଅର୍ଥନୈତିକ ବୈଷମ୍ୟ ଦୂରୀକରଣ ଜରୁରୀ ବୋଲି କହିଥିଲେ । ଶତାୟୁ ସାଧକ ପଦ୍ମଚରଣ ନାୟକ ସମେତ ନିରାକାର ବେଉରା, ରେଣୁକା ସାହୁ, ନିନା ଦାସ ମହାନ୍ତି, ପ୍ରବାସିନୀ ରାଉତ, ବିଜୟ କୁମାର ପ୍ରଧାନ, ସୌମ୍ୟକାନ୍ତ ମହାପାତ୍ର, ତୁଳସୀରାମ ଜଗତ, ରମାରଞ୍ଜନ ସ୍ୱାଇଁ, ଅବଦୁଲ ୱାଲି, ମାନସ ଜେନା, ବିମଳ ପ୍ରସାଦ, ଶୁଭେନ୍ଦୁ ରାଉତରାୟ, ମଳୟ ତ୍ରିପାଠୀ, ଖଗେଶ୍ୱର ବଳ, ଅରୁଣ ସ୍ୱାଇଁ ଗୀତାଞ୍ଜଳୀ ଦଳାଇ ପ୍ରମୁଖ ଅଂଶଗ୍ରହଣ କରି ବିଶ୍ୱମାନବ ମହାତ୍ମା ଗାନ୍ଧୀଙ୍କ ମାର୍ଗ ସତ୍ୟ ଅହିଂସାର ପ୍ରୟୋଗ ଆଜିର ଜଗତ ପାଇଁ ଏକମାତ୍ର ରାସ୍ତା ବୋଲି ମତ ଦେଇଥିଲେ । ଚିନ୍ତନ ଶିବିରରେ ରମାକାନ୍ତ ନାଥ “ଗାନ୍ଧିଜୀ ଓ ବିଶ୍ୱଶାନ୍ତି” ପ୍ରସଙ୍ଗରେ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲାବେଳେ ଉତ୍କଳ ସର୍ବୋଦୟ ମଣ୍ଡଳର ସମ୍ପାଦକ ରମାକାନ୍ତ ମଣ୍ଡଳ ସଭା ପରିଚାଳନା କରିଥିଲେ । ଉତ୍କଳ ସର୍ବୋଦୟ ମଣ୍ଡଳର ଉପସଭାପତି ଗିରିଜା ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ । ଚିନ୍ତନ ଶିବିରରେ ଉତ୍କଳ ସର୍ବୋଦୟ ମଣ୍ଡଳ ପକ୍ଷରୁ ସର୍ବଧର୍ମ ପ୍ରାର୍ଥନା ଓ ଉଦବୋଧନୀ ସଙ୍ଗୀତ ଗାନ କରାଯାଇଥିଲା ।