ଅଦିନିଆ ବର୍ଷା ପାଇଁ ପାଚିଲା ଧାନ ଫସଲ ନଷ୍ଟ ଚାଷୀ ମାନଙ୍କୁ ସହାୟତା ଦାବି
ନିମାପଡା,( ସନ୍ତୋଷ କୁମାର ଦାଶ): ଲଘୁଚାପ ପ୍ରଭାବରେ ପୂର୍ବରୁ ଦୁଇ ଦିନ ଲଗାଣ ବର୍ଷା ହୋଇଥିବା ବେଳେ ପୁନଃବାର ମଙ୍ଗଳବାର ଠାରୁ ପୁରୀ ଜିଲ୍ଲା ର ନିମାପଡ଼ା, ଚାରିଛକ, ନୟାହାଟ,କାକଟପୁର ଅଞ୍ଚଳରେ ଅଦିନିଆ ଝିପିଝିପି ବର୍ଷା ଲାଗି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବିଶେଷ କରି ଏବେ ଶହଶହ ଚାଷୀଙ୍କର କ୍ଷେତ ଓ ଖଳାରେ ପାଚିଲାଧାନ ପଡି ରହିଥିବାରୁ ଅଦିନିଆ ବର୍ଷାରେ ଭିଜୁଛି। ଚାଷୀମାନେ ପାଚିଲା ଧାନକୁ କିପରି ବର୍ଷା ଦାଉରୁ ରକ୍ଷା କରିବେ ସେଥିପାଇଁ ଚିନ୍ତାରେ ପଡ଼ିଯାଇଛନ୍ତି ।ଯାହାକିଛି ଧାନ ଅମଳ ହୋଇଛି ସରକାରୀ ମଣ୍ଡି ଖୋଲିନଥିବାରୁ ଧାନ କିପରି ବିକ୍ରି କରିବେ ସେଥିପାଇଁ ଚିନ୍ତାରେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ୨ ଦିନ ହେଲା କୋହଲା ପାଗ ସହିତ ଝିପିଝିପି ବର୍ଷା ଲାଗି ରହିଥିବାରୁ ଅନେକ ସ୍ଥାନରେ ଧାନ ଭିଜିବା ସହିତ କ୍ଷେତରେ ପାଣି ଜମିବାରେ ଲାଗିଛି। ଫଳରେ ଧାନ ଗଜା ହୋଇଯିବ ବୋଲି ଚାଷୀମାନେ କହିଛନ୍ତି। ଶହଶହ ଏକର ଚାଷ ଜମିରେ ଧାନ କଟା ହୋଇ ପଡି ରହି ଥିବାରୁ ତାହା କ୍ଷେତରେ ନଷ୍ଟ ହେବା ଆଶଙ୍କା ସୃଷ୍ଟି ହୋଇଛି।ଏଥିପାଇଁ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ଧାନ ମଣ୍ଡି ଖୋଲିବା ସହ ଚାଷୀ ମାନଙ୍କୁ କ୍ଷୟକ୍ଷତି ସାହାଯ୍ୟ ଯୋଗାଇ ଦେବାକୁ ତୁଳସୀପୁର ପଞ୍ଚାୟତ ବିଜେଡ଼ି ସଭାପତି ଅନିରୁଦ୍ଧ ତ୍ରିପାଠୀ ଓ ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ କୁମାର ନାୟକ ରାଜ୍ୟ ସରକାର ଙ୍କ ନିକଟରେ ଦାବି କରିଛନ୍ତି।