ଅନୁଭୂତିର ଶିହରଣ

ମଣିଷର ପାଞ୍ଚ ଆଙ୍ଗୁଠି ସମାନ ନୁହେଁ. ଏଇଥି ପାଇଁ କହୁଛି କି ସମସ୍ତଙ୍କ ହାତରେ ସବୁ କଳା ହୁଏନାହିଁ. ପ୍ରତ୍ୟକଙ୍କ ଭିତରେ କିଛି କିଛି କଳା ଅଛି ସତ ହେଲେ କିଏ ଗୀତ ଗାଏ ତ କିଏ ନାଚେ କିଏ ପେଣ୍ଟିଙ୍ଗ କରେ ତ କିଏ ମୁଖା ତ କିଏ ଡ୍ରଇଂ ତ କିଏ ପୋଟ୍ରେଟରେ ଆଙ୍କୁଥାଏ ଆଧୁନିକ ଚିତ୍ର.ଚିତ୍ରପଟକୁ ବୁଝିବା ସହଜ ହୋଇନଥିଲା ବେଳେ ଯେ କୌଣସି ଆର୍ଟ ଗ୍ୟାଲେରୀରେ ଟଙ୍ଗା ଆଧୁନିକ ଚିତ୍ରପଟକୁ ଦେଖିଲେ ସେହି ଚିତ୍ରପଟ ଗୁଡ଼ିକରୁ କୋଉଟା ବି ହେଉ ବୁଝିବା କାହିଁକି ଯେ ମତେ କଷ୍ଟ ହୁଏନାହିଁ ବୋଧହୁଏ ସେଇଟା ବି ଜଗନ୍ନାଥ ଦେଇଥିବା ପ୍ରତ୍ୟେକଙ୍କ ଭିତରେ କିଛି କଳା ଭିତରୁ ଗୋଟିଏ. ଚିତ୍ରକରର ମନର ଭାଷା ବୁଝିଗଲେ ବା ସେ ଆଙ୍କିଥିବା ଚିତ୍ରର ଥିମ ବା ଭାଷା ବୁଝିଗଲେ ଚିତ୍ରଟିକୁ ବୁଝିହୋଇଯାଏ ତ ମୋର ମଧ୍ୟ ଅନଭିଜ୍ଞ ହାତ ରଙ୍ଗ ତୁଳୀ ଧରି କିଛି ଆଙ୍କିବାକୁ ମନ ହୁଏ ଏବେ ଏବେ. କଲେଜରେ ପଢିଲା ବେଳେ କୋଉ କୋଉ ମ୍ୟାଗଜିନର ପ୍ରଚ୍ଛଦ ଦେଖୁ ଦେଖୁ ନିଜ ଡାଇରୀରେ ଆଙ୍କି ପ୍ରଶଂସା ଯେ ନଗୋଟେଇଛି ନୁହେଁ କିନ୍ତୁ ତାହା ସାଙ୍ଗମାନଙ୍କର ଖିଆଲି ପଣରେ ଉତ୍ସାହର ପ୍ରତିଫଳନ ମାତ୍ର ବୋଲି ବୁଝିବାକୁ ସମୟ ଲାଗେ ନାହିଁ କାରଣ ମୁଁ ନିଜକୁ ଠିକ ଚିହ୍ନିଥିଲି କି ଚିତ୍ର ପାଇଁ ମୋର ସେହି କଞ୍ଚା ହାତ ଓ ତେଢା ମେଢା ଚିତ୍ର ଅଙ୍କନ ଏବେବି ରହିଛି. ତଥାପି କିନ୍ତୁ କାହିଁକି ଯେ ରଙ୍ଗ ଦେଖିଲେ ଟିକେ ଗାରେଇବାକୁ ଇଛା ହୁଏ ତ କାର୍ତ୍ତିକମାସରେ ଚଉରାମୂଳେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଦେବୀଙ୍କ ଚିତ୍ର ଆଙ୍କୁ ଆଙ୍କୁ ସାଉଁଟିଥିବା ପ୍ରଶଂସାକୁ ଗୋଟେଇ ପୋଟେଇ ହୃଦୟର କେଉଁ କୋଣରୁ ନିଗିଡି ଆସେ ରଙ୍ଗ ତୁଳୀରେ ଏ ଉତ୍ତୋରତ୍ତର ବୟସରେ ତ ମୁଁ ଆଙ୍କୁଥାଏ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଦେବୀଙ୍କ ଚିତ୍ରପଟ କେଵେ କାନ୍ଥରେ ତ କେଵେ ଘରକାମରୁ ବଳିପଡିଥିବା ପ୍ଳାଇ ପଟାରେ.
ହସି ହସି ଗଡିଯାଆନ୍ତି ପୁଅ ଝିଅ ଓ ସ୍ୱାମୀ. ପୁଅ ଝିଅ କହନ୍ତି ଜଗନ୍ନାଥ ଦିଶୁଛନ୍ତି ଠିକ ବାପାଙ୍କ ଭଳି, ବଳଭଦ୍ର ଦିଶୁଛନ୍ତି ଠିକ ମୋ ଭଳି ପୁଅ କହେ ତ ଝିଅ କହେ ସୁଭଦ୍ରା ପୁରା ମୋ ଭଳିଆ. ତାଙ୍କ ଥଟ୍ଟା ପରିହାସ କିନ୍ତୁ ମୋ ମନରେ ଭରେ ଆନନ୍ଦ ଏଇଥିପାଇଁ କି ଯେ ମୋ ସ୍ୱାମୀ ନିଜେ ଜଗନ୍ନାଥଙ୍କ ଭଳି ଆଉ ମୋ ପୁଅ ଝିଅ ଦୁହେଁ ପ୍ରଭୁ ବଳଭଦ୍ର ଓ ମାଆ ସୁଭଦ୍ରାଙ୍କ ଭଳି. ମୋର ଆଗ୍ରହ ବଢିଲା ଚିତ୍ରକୁ ଖାଲି ପ୍ଳାଏ ପଟାରେ କି ତୁଳସୀ ଚଉରା ମୂଳେ ନକରି ଆଙ୍କି ଚାଲିଲି କପଡାମାନଙ୍କରେ ଓ ମନରେ ଆସିଲା ଜଗନ୍ନାଥ ଓ ବଳଭଦ୍ର ତଥା ସୁଭଦ୍ରାମାଆଙ୍କ ଛବି ଥିବା ତିନିଗୋଟି ଧୋତି ଦିଅନ୍ତି ମନ୍ଦିରରେ. ଲୁଚେଇ ଲୁଚେଇ ଆଙ୍କି ଚାଲିଲି ଧୋତିମାନଙ୍କରେ ଓ କାର୍ତ୍ତିକ ପୂର୍ଣ୍ଣମୀ ଦିନ ପୁରୀ ଶ୍ରୀମନ୍ଦିରେ ପହଞ୍ଚିଲି. କିନ୍ତୁ ଘୋର ସମସ୍ୟା ମୋ ପାଇଁ ଠିଆ ହେଲା ଦେବି କାହାକୁ, କେମିତି ମତେ ଜଣାନଥିଲା. ଶ୍ରଦ୍ଧାରେ ନେଇଥିବା ଚିତ୍ର ଅଙ୍କା ଧୋତି ଶ୍ରୀଅଙ୍ଗ ଲାଗି ହୋଇପାରିବାର ରାସ୍ତା ମତେ ଜଣାନଥିଲା ତ ବ୍ୟାଗଟିକୁ ଧରି କାଶୀବିଶ୍ୱାନାଥଙ୍କ ଆଗରେ ବାଇଶି ପାହାଚରେ ବସିଛି ଓ ମନେ ମନେ ଚୋର ମାଆ ଯେବେ କାନ୍ଦେ ଦୁଆର ଦେଇ କାନ୍ଦିଲା ପରି କାନ୍ଦୁଛି ଜଣେ ବୟସ୍କ ବ୍ରାହ୍ମଣ ମୋ ପାଖେ ବସିଯାଇ କହିଲେ ମତେ ସେ ଚିତ୍ରଅଙ୍କା ଧୋତି ତିନିଖଣ୍ଡ ଦେ ମା ମୁଁ ଜଗନ୍ନାଥଙ୍କ ବଡ଼ପଣ୍ଡା. ତାଙ୍କୁ ପିନ୍ଧେଇ ଦେବି. ମନଦୁଃଖ କରନା. ଜଣେ ଭକ୍ତ ଆଜି ମତେ ଅବଢ଼ା ଖାଇବାକୁ ଦେଇଥିଲେ ମୁଁ ଖାଇକି ମଧ୍ୟ ସରୁନି ତୁ ନେ ଖା. ମତେ ଦେ ସେ ଧୋତି ତିନିଖଣ୍ଡ. ଯନ୍ତ୍ରଚାଳିତ ହସ୍ତ ମୋର ବଢ଼େଇଦେଲା ଧୋତି ତିନିଖଣ୍ଡ ଯୋଉଥିରେ ଜଗନ୍ନାଥ, ବଳଭଦ୍ର ଓ ମାଆ ସୁଭଦ୍ରାଙ୍କ ରୂପ ଧାଡି ହୋଇ ଧଡ଼ିରେ ଥିଲା. ବ୍ରାହ୍ମଣ ଚାଲିଯିବା ପରେ ମୁଁ କାନ୍ଦିପକେଇଲି. ସେ କେମିତି ଜାଣିଲେ ମୋ ପାଖେ ଧୋତି ଅଛି ବୋଲି. ସେ କିଏ? ଅଭଡ଼ା ମହମହ ବାସୁଥିଲା ତ ତାକୁ ଧରି ଦଉଡିଲି ଗମ୍ଭୀରାକୁ. କାହିଁ କୋଉଠି ମୋ ଧୋତି ତିନୋଟି ତ ଅଙ୍ଗ ଲାଗି ହୋଇନି ଠାକୁରଙ୍କ ପାଖେ. ସ୍ୱାମୀ ପୁଅ ଝିଅଙ୍କୁ ଲୁଚେଇ କାମ କଲେ ଫଳ ଏମିତି ଭାବି କାହିଁକି ଗହଳିରେ ପଶୁଥିଲି ଏବେ କେମିତି ବାହାରିବି ଭାବୁଛି ତିନିଜଣ ଆସି ମୋ ପଛରେ ଠିଆ. ମୋ ହାତ ଧରି ମଙ୍ଗଳା ଥିବା ଓ କଳ୍ପବୃକ୍ଷ ଥିବା ପଟେ ବାହାରକୁ ମତେ ଏକରକମ ଭିଡି ନେଉଥିଲେ ତ ମୁଁ ଦେଖିଲି ସେମାନେ ଥିଲେ ଦୁଇ ପୁରୁଷ ଓ ଜଣେ ସ୍ତ୍ରୀ ଓ ମୋରି ଧୋତି ଗୁଡିକୁ ପିନ୍ଧିଥିଲେ. ମୁଁ ବଡ଼ପାଟିରେ କହିବାକୁ ଲାଗିଲି ମୁଁ ଏ ଧୋତି ସବୁ ଜଗନ୍ନାଥ, ବଳଭଦ୍ର ପ୍ରଭୁ ଦୁହିଁଙ୍କ ପାଇଁ ଓ ମାଆ ସୁଭଦ୍ରାଙ୍କ ପାଇଁ ଆଣିଥିଲି ଆପଣମାନେ କୋଉଠୁ, କାହାଠୁ କିପରି ପାଇଲେ? ମୋ ପ୍ରଶ୍ନର ଉତ୍ତର ଦେବାକୁ ସେମାନେ କେହି ନଥିଲେ କିନ୍ତୁ ଅଭଡ଼ାକୁଡୁଆ ଏତେ ଗହଳିରେ ଅକ୍ଷତ ଥିଲା. ପେଟରେ କ୍ଷୁଧା ପ୍ରବଳ ତାକୁ ଖାଇ ଆନନ୍ଦବଜାରରେ ଓଳିରେ ପେଟେ ପାଣି ପିଇ କେମିତି ଘରେ ପହଞ୍ଚିଲି ମତେ ଜଣା ନଥିଲା.
ସ୍ୱାମୀ କିନ୍ତୁ ଖୁବ ଖୁସି ଜଣାଅପଡୁଥିଲେ. ପୁଅ ଝିଅ ଦଉଡି ଆସି ତାଙ୍କୁ କୁଣ୍ଢେଇ ପକେଇଲେ କହିଲେ ତୁ କୁଆଡେ ମାମୁଁଘରକୁ ପଳେଇଲୁ ମାଆ. ପୁରୀ ଗଲେ ଜଗନ୍ନାଥଙ୍କୁ ଦେଖି ତୁ ସବୁ ଭୁଲିଯାଉ କିନ୍ତୁ ଦେଖେ ଭାଇର ଚାକିରୀ ଓ ମୋର ଆଡ଼ମିସନ ହେବା ଚିଠି ଦୁଇଖଣ୍ଡ ଆସିଯାଇଛି କାରଣ ତୋ ଅଙ୍କା ସେଇ ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରାଙ୍କ ଅଙ୍କା ଚିତ୍ରପଟକୁ ମୁଁ ଓ ଭାଇ ନିଜ ନିଜ ରୁମରେ ରଖି ପୂଜା କରିବାର ଫଳ ପରା ମାଆ ସବୁ ତୋ ଚିତ୍ର ପାଇଁ.ଆରେ ନାହିଁ ସବୁ ସେଇ ଶ୍ରେଷ୍ଠ ଚିତ୍ରକରଙ୍କ ପାଇଁ କହି ମାଆ ଠାକୁର ଘରେ ପଶି କାନ୍ଦୁଥିଲା ତ ବାପା ପୁଅ ଝିଅଙ୍କୁ ଅଟକେଇ କହୁଥିଲେ ଭକ୍ତି ରସ ନିଗିଡି ଗଲେ ମାଆ ଫେରିବ ରୁହ. ବ୍ୟସ୍ତ ହୁଅନାହିଁ. ମାଆ କିନ୍ତୁ କେତେ ଧୂପ ଦୀପ ଜଣାଣ କରି ବାହାରିଲା ବେଳକୁ ତା ଲୋମକୂପ ଟାଙ୍କୁରା ଦେଖି ସ୍ୱାମୀ ମଜ୍ଜାରେ କହୁଥିଲେ ମାଆ ତୁମର ତପସ୍ୱିନୀ ବେଶ ସାଜିଛି ଦେଖିବ ଆସ ତ ମୋ ଆଖିରେ ଲୁହ ଢଳ ଢଳ ଭିତରେ ସେହି ଚିତ୍ରଅଙ୍କା ଧୋତି ପିନ୍ଧିଥିବା ତିନିମୂର୍ତ୍ତିଙ୍କ ଝପ୍ସା ପ୍ରତିବିମ୍ବ ଉଭା ହେଉଥିଲେ ବାରମ୍ବାର ଓ ମୁଁ ହାତ ଯୋଡୁଥିଲି ବରାବର ତ ମତେ ଦେଖି ପୁଅ ଝିଅ ମଧ୍ୟ ହାତ ଟେକି ମୁଣ୍ଡିଆ ମାରୁଥିବା ବେଳେ ସ୍ୱାମୀ ଚାହିଁଥିଲେ ଚକିତ ଦୃଷ୍ଟି ମେଲାଇ ଆମକୁ.
ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ