ଅପମିଶ୍ରିତ ମୃଦୁ ପାନୀୟ ବିକ୍ରି ଅଭିଯୋଗ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ଫେବୃୟାରୀ ମାସ ଦ୍ବିତୀୟ ସପ୍ତାହ ପରଠାରୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରୀ ରହିଥିବା ବେଳେ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ସ୍ଥାନୀୟ ବ୍ଳକର ବିଭିନ୍ନ ଗ୍ରାମାଞ୍ଚଳର ବଜାର ଓ ଛକ ସ୍ଥାନ ମାନଙ୍କରେ ସଜେଇ ହୋଇଛି ଥଣ୍ଡା ପାନୀୟର ସମ୍ଭାର । ବିଭିନ୍ନ ନାମୀଦାମୀ ମୃଦୁ ପାନୀୟ ସାଙ୍ଗକୁ ଲସି ଓ ସର୍ବତ ଦୋକାନରେ ଗ୍ରାହକଙ୍କ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଛି । ତାତି ବଢିବା ସାଙ୍ଗକୁ ସାଧାରଣ ଖାଉଟି ଥଣ୍ଡା ପିଇ ତୃଷା ମେଣ୍ଟାଉଥିବା ବେଳେ ବଜାରରେ ଉପଲବ୍ଧ ବିଭିନ୍ନ କିସମର ଥଣ୍ଡା ପାନୀୟ ସ୍ୱାସ୍ଥ୍ୟ ପାଇଁ କେତେ ହିତକର ତାକୁ ନେଇ ପ୍ରଶ୍ନ ଉଠିଛି । କେବଳ ପ୍ଲାଷ୍ଟିକ ବୋତଲରେ ନୁହେଁ ପଲିଥିନ୍ ଓ ଖୋଲାମେଲାରେ ବିକ୍ରି ହେଉଥିବା ଥଣ୍ଡାପାନୀୟ ଖାଉଟିଙ୍କ ଶୋଷ ମେଣ୍ଟାଉ ଥିବାର ସହାୟକ ହେଉଛି କି ନା ବିଷ ବାଣ୍ଟୁଛି, ତାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛିି । ବଜାରରେ ବିଭିନ୍ନ ନାମୀଦାମୀ କମ୍ପାନୀ ପ୍ରସ୍ତୁତ ଥଣ୍ଡା ପାନୀୟ ବହୁଳ ଭାବେ କାରବାର ହେଉଛି । ତେବେ ଦାମ୍ ଦୃଷ୍ଟିରୁ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଗରିବ ଶ୍ରେଣୀର ଖାଉଟି ଏସବୁରେ ହାତ ଦେଇ ପାରୁନଥିବା ବେଳେ ବଜାରରେ ଉପଲବ୍ଧ ଶସ୍ତା ପାନୀୟ କିଣୁଛନ୍ତି । ତେବେ ଏହି ସବୁ ପାନୀୟ ପ୍ରସ୍ତୁତକାରୀ ସଂସ୍ଥା ବୈଧ ନା ନୁହେଁ ତାକୁ ନେଇ ପ୍ରଶ୍ନ ଉଠୁଛି । ଗଞ୍ଜାମ ଜିଲ୍ଲା ସମେତ ନିକଟବର୍ତ୍ତୀ ଜିଲ୍ଲାରୁ ଗାଡ଼ି ଗାଡ଼ି ଥଣ୍ଡାପାନୀୟ ଓ ପାଣି ଆଣି ସ୍ଥାନୀୟ ଅଞ୍ଚଳରେ ବିକ୍ରି ଚାଲିଛି । ଏଥି ସହିତ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ପାନୀୟ ପ୍ରସ୍ତୁତ କରାଯାଇ ବିକ୍ରି ହେଉଛି । ତେବେ ବଜାରରେ ଉପଲବ୍ଧ ଆକକର୍ଷଣୀୟ ଚିକ୍ମିକ ପାନୀୟ ଖାଉଟି ବ୍ୟବହାର କରୁଥିବା ବେଳେ ବାସ୍ତବରେ ଏ ସବୁ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ନା ନାହିଁ ପ୍ରଶାସନ ପକ୍ଷରୁ ଯାଞ୍ଚ ହେଉନି । ସ୍ଥାନୀୟ ସହରରେ ଖାଉଟି ସଚେତନତାରେ ସ୍ଥାଣୁତା ଓ ଖାଉଟି ସୁରକ୍ଷା ମଞ୍ଚ କାଗଜ କଲମରେ ଚାଲୁଥିବା ବେଳେ ବର୍ଷ ବର୍ଷ ଧରି ଜିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରୀ ମାନଙ୍କ ବ୍ୟସ୍ଥତା ଯୋଗୁଁ ବଜାର ନିୟନ୍ତ୍ରଣ ଉପରେ ନଜର ନଥିବା ଚର୍ଚ୍ଚା ହେଉଛି । ତେବେ ଭେଜାଲ ଖାଦ୍ୟ ସାମଗ୍ରୀ ସାଧାରଣ ଖାଉଟିଙ୍କୁ ହନ୍ତସନ୍ତ କରିବା ସହ ସଜାଗ ହେବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।