ଅପରେଶନ ଗ୍ରୀନ କ୍ଲିନରେ ପୁଣି ୧୦ କୋଟିରୁ ଉର୍ଦ୍ଧ ଟଙ୍କାର ୪୫ ଏକରରୁ ଗଞ୍ଜେଇ ଗଛକୁ ନଷ୍ଟ କଲା ପୋଲିସ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଏସ୍ପି ଯତୀନ୍ଦ୍ର କୁମାର ପଣ୍ଡାଙ୍କ ନିର୍ଦ୍ଦେଶରେ ଗଞ୍ଜେଇ ଚାଷ ରୋକିବା ପାଇଁ ଅପରେଶନ ଗ୍ରୀନ କ୍ଲିନକୁ ସମଗ୍ର ଜିଲ୍ଲାରେ ଜୋରଦାର ଭାବେ ଆରମ୍ଭ କରାଯାଇଛି. ବୁଧବାର ଅଡବା ଥାନା ଅନ୍ତର୍ଗତ ଗୁଲୁବା ଓ ଅନ୍ତରବା ଗ୍ରାମ ପଞ୍ଚାୟତରେ ଥିବା ହାଚିପଙ୍କା ଓ କଣ୍ଟାପଦର ଗାଁ ନିକଟସ୍ଥ ଜଙ୍ଗଲ ଜମିରେ ବେଆଇନ ଗଞ୍ଜେଇ ଚାଷ ହୋଇଥିବା ଜଙ୍ଗଲ ଜମିରୁ ୪୫ ଏକର ଚୋରା ଗଞ୍ଜେଇ ଚାଷକୁ କାଟି ପୋଡି ପାଉଁଶ କରିଦିଆଯାଇଛି. ଏହାର ଆନୁମାନିକ ମୂଲ୍ୟ ୧୦ କୋଟି ଟଙ୍କାରୁ ଉର୍ଦ୍ଧ ହେବ ବୋଲି ସୂଚନା ମିଳିଛି. ପୋଲିସକୁ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା। ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କ ନେତୃତ୍ବରେ ଅଡବା ଥାନା ଅଧିକାରୀ ସୁଭ୍ରାନ୍ତ କୁମାର ପଣ୍ଡାଙ୍କ ସହ ୭ ପ୍ଲାଟୁନ ପୋଲିସ ଫୋର୍ସ, ଅବକାରୀ ଓ ରାଜସ୍ବ ବିଭାଗ ପକ୍ଷରୁ ଉକ୍ତ ଜଙ୍ଗଲରେ ମିଳିତ ଚଢ଼ାଉ କରାଯାଇଥିଲା । ଉକ୍ତ ଅଞ୍ଚଳରୁ ପ୍ରାୟ ୪୫ ଏକର ଜାଗାରେ ହୋଇଥିବା ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଯାହାର ଆନୁମାନିକ ବଜାର ଦର ୧୦ କୋଟି ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।