ଅମାନିଆଙ୍କୁ କାଟୁ କରୁନି ଲକ୍ଡ଼ାଉନ୍
ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ): ଗଞ୍ଜାମରେ କରୋନା ପରିସ୍ଥିତି ଦିନକୁ ଦିନ ଭୟଙ୍କର ରୂପ ଧାରଣ କରିବାରେ ଲାଗିଥିବା ବେଳେ ପ୍ରଶାସନର ଚିନ୍ତା ବଢ଼ାଉଛନ୍ତି କିଛି ଅମାନିଆ ବ୍ୟକ୍ତି, ଯେଉଁମାନେ କି ଏହି ଲକ୍ଡ଼ାଉନ୍ରେ ମଧ୍ୟ ବାଇକ୍ ଧରି ବୁଲିବାରେ ଲାଗିଛନ୍ତି । ଲକ୍ଡାଉନ ସମୟରେ ଅମାନିଆଙ୍କୁ ପୋଲିସ ଅଟକାଇ ପ୍ରତିଦିନ ଯାଞ୍ଚ କରି ଜରିମାନା ଆଦାୟ କରୁଛି। ଏପରିକି ଜନସାଧାରଣଙ୍କୁ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯିବା ସହ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରାଯାଉଛି । ସୋମବାର ସକାଳୁ ମଙ୍ଗଳବାର ସକାଳ ୬ଟା ସୁଦ୍ଧା ବ୍ରହ୍ମପୁର ପୋଲିସ ଜିଲା ପକ୍ଷରୁ ସହରର ବିଭିନ୍ନ ଛକମାନଙ୍କରେ ଚେକିଂ କରାଯାଇ ମାସ୍କ ପିନ୍ଧି ନ ଥିବା ୨୨୩ ଜଣ ଲୋକଙ୍କଠାରୁ ୪୪ ହଜାର ୬୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବା ୯୮ ଜଣ ଅମାନିଆ ଗାଡି ଚାଳକଙ୍କୁ ୪୯ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି। ସେହିପରି ଜଣେ ବ୍ୟକ୍ତିଙ୍କୁ ବେଆଇନ ମଦ ଚାଲାଣ ଅଭିଯୋଗରେ ଗିରଫ କରାଯାଇଥିବା ବେଳେ ତାଙ୍କ ନିକଟରୁ ୨୨ ଲିଟର ମଦ ଜବତ ହୋଇଛି। ଏନେଇ ବ୍ରହ୍ମପୁର ଏସପି ପିନାକ ମିଶ୍ର ଟୁଇଟ ଜରିଆରେ ସୂଚନା ଦେଇଛନ୍ତି।