ଅର୍କକ୍ଷେତ୍ରରେ ଗଡିଲା ସୂର୍ଯ୍ୟ ରଥ
ନିମାପଡ଼ା,(ସନ୍ତୋଷ ଦାଶ):ପବିତ୍ର ଶାମ୍ବ ଦଶମୀରେ କୋଣାର୍କ ଅବଧୂତ ମଠ ହୋଇ ଉଠିଥିଲା ଉତ୍ସବ ମୁଖର। ଅନନ୍ତ ଅବଧୂତ ମଠରୁ ସୂର୍ଯ୍ୟ ନାରାୟଣ ଚନ୍ଦ୍ରଭାଗା ତୀର୍ଥକ୍ଷେତ୍ରକୁ ୨୭ଦିନ ଯାତ୍ରାରେ ବାହାରିଥିଲେ । ଏକ ଆଧ୍ୟାତ୍ମିକ ପରିବେଶରେ ଘଣ୍ଟ, ଘଣ୍ଟା,ଶଙ୍ଖ, ହୁଳହୁଳି ଓ ହରିବୋଲ ନାଦରେ ପ୍ରକମ୍ପିତ ହୋଇଉଠିଥିଲା ମଠ ପରିସର ।ଉଦୟ କାଳୀନ ସୂର୍ଯ୍ୟଙ୍କୁ କାକରା ଭୋଗ, ଖେଚୁଡି, ପୋଡପିଠା ଭୋଗ ଓ ପୂଜାର୍ଚ୍ଚନା କରାଯାଇ ମଠରୁ ସୂର୍ଯ୍ୟଦେବଙ୍କ ଚଳନ୍ତି ପ୍ରତିମା ମିତ୍ରାଦିତ୍ୟ ଙ୍କୁ ରଥାରୂଢ଼ କରାଯାଇଥିଲା । ରଥରେ ମଠ ର ମହନ୍ତ ଛେରା ପହଁରା କରିଥିଲେ। ଦିନ ୧୦ଟା୩୦ରେ ରଥଟଣା ଆରମ୍ଭ ହୋଇଥିଲା । ଶ୍ରଦ୍ଧାଳୁମାନେ ନିଷ୍ଠା ଓ ଭକ୍ତିର ସହିତ ରଥକୁ ଚନ୍ଦ୍ରଭାଗା ଅଭିମୁଖେ ଟାଣି ନେଇଥିଲେ । ଚନ୍ଦ୍ରଭାଗା ତୀର୍ଥରେ ୨୭ଦିନ ଧରି ୨୭ ନକ୍ଷତ୍ରରେ ପୂଜାପାଠ ହେବ। ପବିତ୍ର ମାଘ ସପ୍ତମୀରେ ସୂର୍ଯ୍ୟ ନାରାୟଣ ରଥରେ ଅବଧୂତ ମଠକୁ ବାହୁଡ଼ି ଆସିବେ। ଏହି ତିଥିରେ ରଥରେ ମିତ୍ରାଦିତ୍ୟଙ୍କୁ ଦର୍ଶନ କଲେ ରୋଗ, ଶୋକ ଓ ଭୟରୁ ମୁକ୍ତି ମିଳିବା ସହିତ ପୂର୍ନଜନ୍ମ ହୋଇନଥାଏ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ବାସ ରହିଛି।ଶାମ୍ବ ଦଶମୀ ପାଇଁ ସୂର୍ଯ୍ୟମନ୍ଦିର ର ପ୍ରବେଶ ଶୁକ୍ଲ ଛାଡ ହୋଇଥିଲା। ଏହି ଅବସରରେ ସୌର ବ୍ରାହ୍ମଣ ପରିଷଦ ଓଡିଶା ପକ୍ଷରୁ ୩ଦିନିଆ ସୌରଯଜ୍ଞ ଓ ଅର୍କକ୍ଷେତ୍ର ଗାୟତ୍ରୀ ପରିବାର ପକ୍ଷରୁ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇ ଆଜି ଯଜ୍ଞ ରେ ପୂର୍ଣ୍ଣାହୁତି ଦିଆଯାଇଥିଲା । ଅର୍କକ୍ଷେତ୍ର ଗାୟତ୍ରୀ ପରିବାର ଓ ସୌର ବ୍ରାହ୍ମଣ ପରିଷଦର କର୍ମକର୍ତ୍ତା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।