ଆଇଏମଡି ଆକଳନ ନିର୍ଭୁଲ ହେଉ

ସାମୁଦ୍ରିକ ଝଡ ବାତ୍ୟା ‘ଦାନା’ ଆସିଲା ଓ ଗଲା । କିନ୍ତୁ ଏଥିରେ କେହି ଦ୍ୱିମତ ହୋଇନପାରନ୍ତି ଯେ, ଦାନା ରାଜ୍ୟବାସୀଙ୍କୁ ଆତଙ୍କିତ କରିଦେଇଥିଲା । ଯାହା ୩୬ଲୋକଙ୍କୁ ପ୍ରଭାବିତ କରିଛି ଏବଂ ପାଂଚଟି ଜିଲ୍ଲାରେ ୨.୭୧ ଲକ୍ଷ ଏକରରୁ ଉର୍ଦ୍ଧ୍ୱ ଜମିରେ ଖରିଫ ଫସଲ କ୍ଷତିଗ୍ରସ୍ତ କରିଛି । ତେବେ ଏହି ବାତ୍ୟାରେ କୌଣସି ଜୀବନହାନି ଘଟିନଥିବା ସରକାରୀ ରେକର୍ଡ କହେ । ଉଲ୍ଲେଖଯୋଗ୍ୟ ଯେ, ଆଜକୁ ପ୍ରାୟ ୫ବର୍ଷ ତଳେ ୨୦୧୯ରେ ସାମୁଦ୍ରିକ ମହାବାତ୍ୟା ‘ଫନୀ’ ମେ’ ମାସ ୩ତାରିଖ ଦିନ ଓଡିଶାରେ ତାଣ୍ଡବ ରଚିଥିଲା । ଯାହା ଦାନା ଠାରୁ ବହୁ ଗୁଣରେ ଭୟଙ୍କର ଓ ବଡ ରହିଥିଲା । ଫନୀ’ର ତାଣ୍ଡବରେ ରାଜ୍ୟର ଉପକୂଳବର୍ତୀ ଜିଲ୍ଲାରେ ୧.୬୫ କୋଟି ଲୋକ ପ୍ରଭାବିତ ହୋଇଥିବାବେଳେ କେତେକ ଉପକୂଳ ଅଂଚଳ ଶ୍ରୀହୀନ ହୋଇପଡିଥିଲା । ଏବେ ବି କେତେକ ଫନୀ କ୍ଷତିଗ୍ରସ୍ତ ଅଂଚଳର ଜନସାଧାରଣ ଅଂଟା ସଳଖି ପାରିନଥିବା କୁହାଯାଏ । ଫନୀ ଅତି ଭୀଷଣ ବାତ୍ୟା ଶ୍ରେଣୀ ଭୁକ୍ତ ହୋଇଥିବାବେଳେ ୨୯ହଜାର କୋଟି ଟଙ୍କାରୁ ଅଧିକ ସମ୍ପତି କ୍ଷୟକ୍ଷତି ହୋଇଥିଲା । ଏଥିରେ ଦ୍ୱିରୁକ୍ତି ନାହିଁ ଯେ, ବନ୍ୟା, ବାତ୍ୟା, ମରୁଡି ପରି ପ୍ରାକୃତିକ ବିପର୍ଯ୍ୟାୟ ହେଉଛି ଓଡିଶାର ଚୀର ସହଚର । ଯାହାର ପ୍ରଭାବରେ ରାଜ୍ୟରେ ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କାର ସମ୍ପତି କ୍ଷୟକ୍ଷତି ଘଟିଥାଏ । ତେବେ ସୌଭାଗ୍ୟର କଥା ସାମୁଦ୍ରିକ ବାତ୍ୟା ‘ଦାନା’ ସମ୍ପର୍କରେ ଯେଉଁଭଳି ପ୍ରଚାର କରାଯାଇଥିଲା, ତାହା ଠାରୁ ବହୁଗୁଣରେ କମ୍ ଥିଲା । ଉଭୟ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ଏବଂ ଓଡିଶା ସରକାରଙ୍କ ପକ୍ଷରୁ ଯେଉଁଭଳି ପ୍ରସ୍ତୁତି ଓ ପ୍ରଚାର କରାଯାଇଥିଲା, ତହିଁରେ ଜନସାଧାରଣ କେବଳ ଆତଙ୍କିତ ହେବା ସାର ହୋଇଥିବା ବୋଲି କହିଲେ ହୁଏତ ଅତିରଂଜିତ ହୋଇନପାରେ । କିନ୍ତୁ ଏହା ନିସନ୍ଦେହ ଯେ, ଯେକୌଣସି ପ୍ରାକୃତିକ ମୁକାବିଲା ପାଇଁ ସକ୍ରୀୟ ପରିଚାଳନା ପ୍ରସ୍ତୁତି ଜରୁରୀ । ରାଜ୍ୟ ସରକାର ତାହା ହିଁ କରିଛନ୍ତି । ଯେପରି କ୍ଷୟକ୍ଷତି ବାତ୍ୟାର ପ୍ରଭାବ ସର୍ବନିମ୍ନ ସ୍ତରରେ ରହିପାରେ । ସରକାର ସମ୍ଭାବ୍ୟ ପ୍ରଭାବିତ ଅଂଚଳରୁ ୮ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ନିରାପଦ ତଥା ବାତ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରିଥିବା ବେଳେ ଓଡ୍ରାଫ, ଏନଡିଆରଏଫ, ପୋଲିସ ଓ ଅଗ୍ନିଶମ ବାହିନୀ ସମେତ ସମସ୍ତ ଆବଶ୍ୟକୀୟ ଏଜେନ୍ସିଙ୍କୁ ନିୟୋଜିତ କରିଥିଲେ । ଅଫିସର ଓ ବିଧାୟକମାନଙ୍କୁ ସମ୍ଭାବ୍ୟ କ୍ଷତିଗ୍ରସ୍ତ ଅଂଚଳରେ ଶିବିର ପକାଇ ପରିସ୍ଥିତି ପ୍ରତି କଡା ନଜର ରଖିବାକୁ ନିୟୋଜିତ କରିଥିବାବେଳେ ମନ୍ତ୍ରୀମାନଙ୍କୁ ମଧ୍ୟ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ କରିଥିଲେ । ଏପରିକି ବିପଦ ଅତିକ୍ରମ କରିବା ପର୍ଯ୍ୟନ୍ତ ୨୪ ଘଂଟିଆ ନଜର ରଖିବାକୁ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । କେବଳ ଏତିକି ନୁହେଁ, ସତର୍କତାମୂଳକ ପଦକ୍ଷେପ ସ୍ୱରୁପ ତିନି ଦିନ ପୂର୍ବରୁ ୨୦୦ ଟ୍ରେନ ଚଳାଚଳ ବାତିଲ କରାଯାଇଥିଲା, ଯାହାକି ଆଦୌ ଆବଶ୍ୟକ ନଥିଲା । ସେହିପରି ସରକାର ରାଜ୍ୟର ସମ୍ଭାବ୍ୟ ପ୍ରଭାବିତ ୧୪ଟି ଜିଲ୍ଲାରେ ତିନିଦିନ ପାଇଁ ଶିକ୍ଷାନୁଷ୍ଠାନଗୁଡିକୁ ଛୁଟି ଘୋଷଣା କରିଥିଲେ । ଏହା ନିଶ୍ଚିତ ଯେ, ପ୍ରାକୃତିକ ବିପର୍ଯ୍ୟାୟର ସଫଳ ମୁକାବିଲା କରିବା ଘଟଣା ସରକାରଙ୍କର ପାରଦର୍ଶିତାର ପରିଚୟ ଦିଏ । ଯାହାକି ଚାରିମାସିଆ ମୋହନ ସରକାର କରିପାରିଛନ୍ତି, ଏଥିରେ ସନ୍ଦେହର ଅବକାଶ ନାହିଁ । ବାତ୍ୟାରେ ଜିରୋ ମୃତ୍ୟୁ ରାଜ୍ୟ ସରକାରଙ୍କ ବାତ୍ୟା ପରିଚାଳନାରେ ଏକ ମାପକାଠି ବୋଲି କୁହାଯାଇପାରେ । ତେବେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ପୂର୍ବାନୁମାନ ଏବଂ ବାରମ୍ବାର ଏହାର ଭୟାବହତା ନେଇ ପ୍ରଚାର ଜନସାଧାରଣଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବା ସ୍ୱାଭାବିକ । କାରଣ ଅତୀତରେ ମହାବାତ୍ୟା, ଫାଇଲିନ, ହୁଡ୍‌ହୁଡ୍‌, ତିତିଲି, ଫନୀ ପରି ସାମୁଦ୍ରିକ ବାତ୍ୟାର ତାଣ୍ଡବ, ଧ୍ୱଂସଳୀଳା ଆମେ ଅଙ୍ଗେ ଲିଭାଇଛୁ । ଏହା ସତ୍ୟ ଯେ, ଅତୀତରେ ଆଇଏମଡି ବାତ୍ୟାର ଗତିପଥ ଏବଂ ପ୍ରଭାବ ଆକଳନ ମୁକାବିଲାକୁ ସଫଳ କରିଥିଲା । ଏଥର ପୁରୀରୁ ସାଗର ଦୀପ ମଧ୍ୟରେ ଦାନା ସ୍ଥଳଭାଗ ଛୁଇଁବା ଏବଂ ଅତିଭୀଷଣ ରୂପ ନେଇ ଉତରମୁହଁ ହେବା ଆକଳନ କରିଥିଲା । ବିସ୍ତୃତ ଅଂଚଳରେ ରାଜ୍ୟ ସରକାରଙ୍କ ପ୍ରସ୍ତୁତି କ୍ଷୟକ୍ଷତି ତୁଳନାରେ ରାଜକୋଷରୁ କୋଟି କୋଟି ଟଙ୍କା ପାଣିଭଳି ବ୍ୟୟ ହେବା ସାର ହୋଇଥିଲା । ସେହିପରି ଦାନା ଚାଷୀ, ମୂଲିଆ, ଶିଶୁ, ରୋଗୀ ସମସ୍ତଙ୍କୁ ଆତଙ୍କିତ କରିଦେଇଥିଲା । ଅତୀତରେ ଆଇଏମଡି ଆକଳନ ଶତ ପ୍ରତିଶତ ସତ୍ୟ ହୋଇଥିବାବେଳେ ଏଥର ଏଥିରେ ତୃଟି କାହିଁକି ବୁଝାପଡୁନାହିଁ । ଆଇଏମଡିର ଭୁଲ ପୂର୍ବାନୁମାନ ଲୋକଙ୍କୁ ଆତଙ୍କିତ କରିଥିବାବେଳେ ମୁକାବିଲାରେ ହଜାର ହଜାର କୋଟି ବରବାଦର କାରଣ ହୋଇଛି ବୋଲି କୁହାଯାଇପାରେ । ଆଇଏମହି ପରମ୍ପରାଗତ ବା ପୂର୍ବ ପ୍ରଚଳିତ ମନୋଭାବ ପରିବର୍ତନ କରି ଅତ୍ୟାଧ଼ୁନିକ ଜ୍ଞାନ କୌଶଳକୁ ଆପଣାଇବା ଜରୁରୀ ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା),
ସମ୍ମାନ ଭବନ,
ପ୍ଲଟ ନଂ-୫୮/୩୫୮୧, ଗାଙ୍ଗୋତ୍ରୀ ନଗର,
ରୋଡ ନଂ-୩, ଶିଶୁପାଳଗଡ,-୭୫୧୦୦୨

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ