ଆଇନସେବା ପ୍ରାଧିକରଣ ଦ୍ୱାରା ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ
କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):ଜିଲ୍ଲା ଆଇନସେବା ପ୍ରାଧିକରଣ କେନ୍ଦୁଝର ତରଫରୁ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ(ଭିନ୍ନକ୍ଷମ) ଦିବସ-୨୦୨୪ ମନୋଜ ମଞ୍ଜରୀ ଶିଶୁ ଭବନ ପରିଚାଳିତ ସିଦ୍ଧମଠସ୍ଥିତ ଅନ୍ଧ,ମୁକ ଓ ବଧିର ବିଦ୍ୟାଳୟର ସଭାଗୃହଠାରେ ପାଳିତ ହୋଇଯାଇଛି । ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ୍ ଅଶୋକ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରାଧିକରଣ ସଚିବ ମାମୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦିବ୍ୟାଙ୍ଗମାନେ ଅକ୍ଷମ ନୁହଁନ୍ତି, ସକ୍ଷମ ଓ ସେମାନେ ନିଜର ଇଛାଶକ୍ତି ବଳରେ ଅସମ୍ଭବକୁ ସମ୍ଭବ କରି ପାରୁଛନ୍ତି ଓ ଦେଶକୁ ଗୌରବାନ୍ୱିତ କରୁଛନ୍ତି ବୋଲି ମତ ଦେଇ ଆଇନସେବା ପ୍ରାଧିକରଣ ମାଧ୍ୟମରେ ସେମାନଙ୍କୁ କିଭଳି ଆଇନ ସହାୟତା ପ୍ରଦାନ କରାଯାଉଛି,ଦିବ୍ୟାଙ୍ଗ ମାନଙ୍କ ପାଇଁ ନାଲ୍ସା ର ବିଭିନ୍ନ ଯୋଜନା, ତାକୁ ପାଥେୟ କରି ଦିବ୍ୟାଙ୍ଗମାନେ ତାଙ୍କର ଅଧିକାର ସାବ୍ୟସ୍ତ କରିବେ ବୋଲି ଜଣାଇଥିଲେ । ପ୍ରାରମ୍ଭରେ ପ୍ରାଧିକରଣ ସଦସ୍ୟ ତଥା ତଦାଶା ସଂପାଦକ ଅକ୍ଷୟ କୁମାର ଚକ୍ର ସ୍ୱାଗତ ଅଭିଭାଷଣ ପୂର୍ବକ ଦିବ୍ୟାଙ୍ଗମାନେ ପାରା ଅଲମ୍ପିକଠାରୁ ଆରମ୍ଭ କରି ଦେଶର ପ୍ରଗତି କ୍ଷେତ୍ରରେ ସେମାନଙ୍କ ଅବଦାନକୁ ବର୍ଣ୍ଣନା କରି ଦିବ୍ୟାଙ୍ଗ କବି ଓ ଦେଶ କ୍ଷେତ୍ରରେ ଅବଦାନ ଥିବା ବ୍ୟକ୍ତିଙ୍କ ସଂପର୍କରେ ଅବତାରଣା କରି ସଭା ପରିଚାଳନା କରିଥିଲେ । ସ୍ୱାସ୍ଥ୍ୟ ବିଭାଗର ଡାକ୍ତର ବସନ୍ତ କୁମାର ପାତ୍ର ଯୋଗଦେଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ପ୍ରଦାନ କରିଥିବାବେଳେ ଅନୁଷ୍ଠାନର ସଂପାଦକ ସତ୍ୟନାରାୟଣ ମିଶ୍ର ଯୋଗଦେଇ ଛାତ୍ରଛାତ୍ରୀମାନେ ନିଜର ସମସ୍ୟା ଗୁଡିକୁ ନଲୁଚାଇ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଲେ ସେମାନଙ୍କ ସମସ୍ୟା ଦୂରୀଭୂତ ହୋଇ ପାରିବ ଓ ଏଥିପ୍ରତି ଆଇନ ସେବା ପ୍ରାଧିକରଣ ସର୍ବଦା ଯତ୍ନବାନ ହେବାକୁ ଜଣାଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପ୍ରାରମ୍ଭରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବାବେଳେ ଦିବ୍ୟାଙ୍ଗମାନଙ୍କ ସମ୍ବନ୍ଧୀୟ ପଣିକିଆ ମାଧ୍ୟମରେ ସଂଗୀତ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ,କର୍ମକର୍ତ୍ତା,ପ୍ରାଧିକରଣ କର୍ମୀମାନେ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।