ଆଦାନୀ-ସୌରଶକ୍ତି ଚୁକ୍ତି ଲାଞ୍ଚ କାରବାର ପ୍ରସଙ୍ଗରେ ପ୍ରଦେଶ ଯୁବ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ):ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଶୁକ୍ରବାର ରଣଜିତ ପାତ୍ରଙ୍କ ନେତୃତ୍ୱରେ ଆଦାନୀ-ଲାଞ୍ଚ କାରବାର ପ୍ରତିବାଦରେ ଏକ ବିକ୍ଷୋଭ ଶୋଭାଯାତ୍ରା କଂଗ୍ରେସ ଭବନରୁ ବାହାରି ମାଷ୍ଟର କ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କର ପ୍ରିୟ ଶିଳ୍ପପତି ଗୌତମ ଆଦାନୀଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ରାଜପଥ ଅବରୋଧ କରାଯାଇଥିଲା । ଏହି ପ୍ରସଙ୍ଗରେ ଶ୍ରୀ ପାତ୍ର କହିଛନ୍ତି ଯେ, ମୋଦୀ-ଆଦାନୀଙ୍କ ମଧୁଚନ୍ଦ୍ରିକା କେବଳ ଭାରତବାସୀ ନୁହେଁ, ସାରା ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କର ପ୍ରିୟ ଶିଳ୍ପସଂସ୍ଥାର କଳା କାରନାମା ଆଜି ହଇଚଇ ସୃଷ୍ଟି କରିଛି । ଭାରତରେ ସୌରଶକ୍ତି ଚୁକ୍ତି ହାସଲ କରିବା ଲାଗି ଆଦାନୀ ଗ୍ରୁପ୍ ୨୦୦୦ କୋଟି ଟଙ୍କା ଲାଞ୍ଚ ଦେଇଛି । ଏହି ରାଜିନାମା ଦ୍ୱାରା କମ୍ପାନୀକୁ ୨୦ ବର୍ଷ ପାଇଁ ୨୦୦ କୋଟି ଡଲାରରୁ ଅଧିକ ଲାଭ ମିଳିବ ବୋଲି କୁହାଯାଇଛି । ଆଦାନୀ ଗ୍ରୁପ୍‌ର ଅକ୍ଷୟ ଶକ୍ତି ସଂସ୍ଥା ଆଦାନୀ ଗ୍ରୀନ୍ ଏନର୍ଜି ଲିମିଟେଡ଼ ଓ ଅନ୍ୟ ସଂସ୍ଥା ଦ୍ୱାରା ଭାରତ ସରକାରଙ୍କୁ ୧୨ ଗିଗାୱାଟ ସୌରଶକ୍ତି ବିକ୍ରି କରିବା ଲାଗି ଏହି ଲାଞ୍ଚ କାରବାର ହୋଇଥିଲା । ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ତାମିଲନାଡୁ, ଓଡ଼ିଶା ଓ ଜାମ୍ମୁ କାଶ୍ମୀରର କିଛି ଅଧିକାରୀ ଏହି ଲାଞ୍ଚ ଗ୍ରହଣ କରିଥିବାର ଅଭିଯୋଗ ଦର୍ଶାଯାଇଛି । ଓଡ଼ିଶାକୁ ୫୦୦ ମେଗାୱାଟ ସୌରଶକ୍ତି ବିକ୍ରି କରିବାକୁ ଚୁକ୍ତି ହୋଇଥିଲା । ସେହିପରି ଆନ୍ଧ୍ର ସରକାରଙ୍କ ଅଧିକାରୀଙ୍କୁ ୧୭୫୦ କୋଟି ଟଙ୍କା ଲାଞ୍ଚ ଦିଆଯିବାର ମଧ୍ୟ ଅଭିଯୋଗ ରହିଛି । ସୌର ପ୍ରକଳ୍ପରେ ନିବେଶ ପାଇଁ ଗୌତମ ଆଦାନୀ ଆମେରିକୀୟ ନିବେଶକଙ୍କ ଠାରୁ କୋଟି କୋଟି ଡଲାର ଋଣ ଓ ବଣ୍ଡ ହାତେଇଛନ୍ତି । ସେଥିପାଇଁ ଆମେରିକାର ନ୍ୟୁୟର୍କ ଡିଷ୍ଟ୍ରିକ୍ଟ କୋର୍ଟ ଆଦାନୀ ଓ କିଛି ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଲାଞ୍ଚ କାରବାର ଓ ଆମେରିକା ନିବେଶକଙ୍କୁ ଠକିବା ପାଇଁ ସ୍କିମ୍ ଆଣିଥିବା ଗମ୍ଭିର ଅଭିଯୋଗ କରିଛନ୍ତି । ପୁରା ଆଦାନୀ ପରିବାର ଏହି ଡିଲ୍‌ରେ ସାମିଲ୍ । ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦୀ ଯିଏକି ଆଦାନୀ ଗ୍ରୁପ୍‌ର ରକ୍ଷା କବଚ, ସେମାନଙ୍କର ଭୂମିକା ଏବେ କ’ଣ ରହିବ, ତାହାକୁ ଦେଶବାସୀ ଦେଖିବାକୁ ବାକି ରହିଛି ।ପୂର୍ବରୁ ଜନନାୟକ ରାହୁଲ ଗାନ୍ଧୀ ଆଦାନୀର ଅସାଧୁ କାରବାର ସମ୍ପର୍କରେ ଯେଉଁ ସ୍ୱର ଉତ୍ତୋଳନ କରିଥିଲେ ତାହାକୁ ଚପାଇ ଦେବାପାଇଁ ମୋଦୀ ବହୁ ଉଦ୍ୟମ କରିଛି । ଏବେ ରାହୁଲ ଗାନ୍ଧୀ ନଗଦ ପ୍ରଘଟିତ ଲାଞ୍ଚ କାରବାର ବିରୁଦ୍ଧରେ ଦୃଢ ସ୍ୱର ଉତ୍ତୋଳନ କରିଛନ୍ତି । ପ୍ରଦେଶ ଯୁବ କଂଗ୍ରେସ ଏହି ମହାଦୁର୍ନୀତିର ଯୁଗ୍ମ ପାର୍ଲାମେଣ୍ଟାରୀ କମିଟି ତଦନ୍ତ ଦାବି କରିବା ସଙ୍ଗେ ସଙ୍ଗେ ଅସାଧୁ ଶିଳ୍ପସଂସ୍ଥା ଆଦାନୀ ଗ୍ରୁପ୍ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ଯୁବ କଂଗ୍ରେସର ଓଡ଼ିଶା ପ୍ରଭାରୀ ଅଜିତ ସିଂହ, ଯୁବ କଂଗ୍ରେସର ରାଷ୍ଟ୍ରୀୟ ସମ୍ପାଦିକା ସରିଫା ରେହମନା, ୟାସିର ନୱାଜ, ଉଦିତ ପ୍ରଧାନ, ଆଲୋକ ଦାସ, ସତ୍ୟବ୍ରତ ଦାସ, ମହମ୍ମଦ ଗୁଲଫମ, ନିହାର ବେହେରା, ଗୋପନ ମାର୍ଥା, ମହମ୍ମଦ ପରଭେଜ, କାର୍ତ୍ତିକ କାଣ୍ଡି, ଅମିତ ଆଚାର୍ଯ୍ୟ, କେଦାର ଦଳେଇ ଓ ରାହୁଲ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ