ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆସିକାରେ ପାଳିତ ହେଲା ଶାମ୍ବଦଶମୀ ପର୍ବ
ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଗୁରବାର ହିନ୍ଦୁ ଧର୍ମାବଲମ୍ବୀଙ୍କ ଘରେ ଘରେ ଉତ୍ସାହ ଓ ଉଦ୍ଦୀପନାର ସହ ବିଧିବିଧାନ ଅନୁଯାୟୀ ପବିତ୍ର ଶାମ୍ବଦଶମୀ ପର୍ବ ପାଳିତ ହୋଇଯାଇଛି । ସନ୍ତାତ ସନ୍ତତିମାନଙ୍କ ମଙ୍ଗଳ କାମନା, ଉତ୍ତରୋତ୍ତର ଉନ୍ନତି, ସୁସ୍ଥ ତଥା ନିରୋଗ ଜୀପନଯାପନ ପାଇଁ ଶାମ୍ବଦଶମୀରେ ସୂର୍ଯ୍ୟଦେବତାଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ଲୋକକଥା ଓ ପୌରାଣିକ ଆଖ୍ୟାନ ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ କୁଷ୍ଠ ରୋଗରେ ପିଡୀତ ହୋଇଥିଲେ । ଦୀର୍ଘ ଦିନ ଧରି ଭଗବାନ କୃଷ୍ଣ ସୂର୍ଯ୍ୟଦେବତାଙ୍କୁ ପୂଜା କରିବା ପରେ ତାଙ୍କ ପୁତ୍ର ଶାମ୍ବ ଏହି ଦୂରାରୋଗ୍ୟ କୁଷ୍ଠରୋଗରୁ ମୁକ୍ତି ପାଇଥିଲେ । ସେଥିପାଇଁ ପ୍ରତିଟି ହିନ୍ଦୁ ଧର୍ମାମ୍ବଲମ୍ବୀଙ୍କ ଘରେ କେଉଁ ଆବାହମାନ କାଳରୁ ଶାମ୍ବଦଶମୀ ପର୍ବ ପାଳନ କରାଯାଇଆସୁଥିବା ସାଙ୍ଗକୁ ଏହି ଦିନରେ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରାଯାଉଛି । ଶାମ୍ବଦଶମୀ ପର୍ବ ଅବସରରେ ଭଗବାନ ସୂର୍ଯ୍ୟଦେବତାଙ୍କୁ ପୂଜାର୍ଚ୍ଚନା କରିବା ଲାଗି ଆବଶ୍ୟକ ପଡୁଥିବା ବିଭିନ୍ନ ପ୍ରକାର ଫୁଲ, ଫଳ ଓ ଅନ୍ୟାନ୍ୟ ସାମଗ୍ରୀ କ୍ରୟ କରିବା ସକାଶେ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକରେ ଗ୍ରାହକଙ୍କ ଭିଡ ଜମିଥିଲା । ଶାମ୍ବଦଶମୀ ଏକମାତ୍ର ପର୍ବ ଯେଉଁ ପର୍ବ କି ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପିଠା ସମେତ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ କରି ସୂର୍ଯ୍ୟଦେବତାଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଥାଏ । ଏହି ଶାମ୍ବଦଶମୀ ତିଥିରେ ସର୍ବରୋଗର ଆରୋଗ୍ୟକାରୀ ଭଗବାନ ସୂର୍ଯ୍ୟଦେବତାଙ୍କୁ ନିଷ୍ଠାର ସହ ଶ୍ରଦ୍ଧାଳୁ ଭକ୍ତମାନେ ପୂଜାର୍ଚ୍ଚନା କରିଥାନ୍ତି । ହିନ୍ଦୁ ଧର୍ମାବଲମ୍ବୀଙ୍କ ଶ୍ରଦ୍ଧାଳୁ ମହିଳାମାନେ ପବିତ୍ର ଶାମ୍ବଦଶମୀ ତିଥିରେ ସ୍ନାନଶୌଚାଦି ସମେତ ନୀତ୍ୟକର୍ମ ସାରି ଘରେ ଘରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ଶିଶୁଙ୍କ ଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧାଙ୍କ ପର୍ଯ୍ୟନ୍ତ ପ୍ରତ୍ୟେକ ସଦସ୍ୟଙ୍କ ଉଦ୍ଦେଶ୍ୟରେ ସୂର୍ଯ୍ୟଦେବତାଙ୍କୁ ନୈବେଦ୍ୟ ରୂପରେ ସେଗୁଡିକୁ ଅର୍ପଣ କରିଥିବା ଦେଖିବାକୁ ମିଳିଥିଲା ।