ଆନ୍ଧ୍ରପ୍ରଦେଶ ମଞ୍ଜୁଷାଠାରେ ସାହିତ୍ୟ ଏକାଡେମୀର ଭାଷା, ସଂସ୍କୃତି, ସାହିତ୍ୟ ଓ କବିତା ପାଠଉତ୍ସବ
ମଞ୍ଜୁଷା, (ଯୁଗାବ୍ଦ ନ୍ୟୁଜ):ରାଜନୈତିକ ଭୂଖଣ୍ଡ ଭିନ୍ନ ହେଲେ ବି ହୃଦୟର ଭୂଗୋଳରେ ସଦା ବିରାଜ ମାନ ଆମ ବିଚ୍ଛିନ୍ନାଞ୍ଚଳ। ଉଭୟ ଭାବଗତ, ଭାଷାଗତ ଓ ତଥା ସାଂସ୍କୃତିକ ଐତିହ୍ୟ ଏହାର ଆଧାର। ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ଉପଲକ୍ଷେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆନ୍ଧ୍ରପ୍ରଦେଶର ପୁଣ୍ୟପୀଠ ମଞ୍ଜୁଷାସ୍ଥିତ ଓଡ଼ିଆ ଯୁବକ ପାଠାଗାରଙ୍କ ମିଳିତ ସହଯୋଗରେ ଏକଦିବସୀୟ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ସାଇକମଳ କଲ୍ୟାଣମଣ୍ଡପଠାରେ ଆୟୋଜିତ ହୋଇଯାଇଅଛି। ଏଥିରେ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ଭୂମିକା ସଂପର୍କରେ ଭାଷାଭିତ୍ତିକ ଆଲୋଚନା କରାଯାଇଥିଲା। ଭାଷା, ସାହିତ୍ୟ ଓ ସଂସ୍କୃତି ଆଦିର ପ୍ରସାର, ପ୍ରଚାର ଓ ପ୍ରୟୋଗ ବିଷୟରେ ଆମନ୍ତ୍ରିତ ମାନ୍ୟଗଣ୍ୟ ଅତିଥିମାନଙ୍କ ଦ୍ଵାରା ଆଲୋଚନା କରାଯାଇଥିଲା। ସ୍ଥାନୀୟ ଅଞ୍ଚଳର ଓଡ଼ିଆ ଅଧିବାସୀମାନଙ୍କର ଅନେକ ସମର୍ପଣ ଓ ବଳିଦାନ ଆଦିରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଆଦିକୁ ସୁରକ୍ଷା ଦେବାରେ ସେମାନେ ଅନେକ ସହଯୋଗ ପ୍ରଦାନ କରିଥିବାରୁ ତାଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା। ସେମାନେ ଆମର ପ୍ରଚାରକ, ଦୂତ ଓ ସଂସ୍କୃତିର ସମାହାର ବୋଲି ଆଲୋଚନା କରାଯାଇଥିଲା। ଏହି ଅବସରରେ ଉସମାର ସଭାପତି ଶ୍ରୀଯୁକ୍ତ ସତ୍ୟନାରାୟଣ ପାଢ଼ୀ, ଆନ୍ଧ୍ରପ୍ରଦେଶ ଓଡ଼ିଆ ଶିକ୍ଷକ ସଂଘର ସଭାପତି ଶ୍ରୀଯୁକ୍ତ ଭାସ୍କର ପାଢ଼ୀ ଏବଂ ଆନ୍ଧ୍ରପ୍ରଦେଶ ଓଡ଼ିଆ ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବୃନ୍ଦାବନ ଦଳାଇ ଆଦି ଯୋଗଦାନ କରି ଏହି ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷା ପ୍ରତି ରହିଥିବା ଦାୟିତ୍ଵ ସଂପର୍କରେ ଏବଂ ଏହାର ପ୍ରଚାର ଓ ପ୍ରସାର ଦିଗରେ କାର୍ଯ୍ୟ କରିବା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାଇଥିଲେ। ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ ବିଭାଗ ମୁଖ୍ୟ ଡକ୍ଟର ବିଦ୍ୟୁତପ୍ରଭା ସାହୁ ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷାର ମର୍ଯ୍ୟାଦା କିପରି ପାଇପାରିଅଛି ଓ ଓଡ଼ିଆ ଭାଷା ସୃଷ୍ଟି ସଂପର୍କରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ଶ୍ରୀଯୁକ୍ତ ଶରଣାରବିନ୍ଦ ଓଝା ଯୋଗଦାନ କରି ଉତ୍କଳୀୟ ମାଟିରେ ଜନ୍ମିତ ସାରସ୍ୱତ ସ୍ରଷ୍ଟାଙ୍କ ଜୀବନାଦର୍ଶ, ପରାକାଷ୍ଠା ଓ ସମାଜର ମଙ୍ଗଳ ପାଇଁ ଯେଉଁସବୁ ଅନବଦ୍ୟ ସୃଷ୍ଟି କରିଯାଇଅଛନ୍ତି ଏହା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ବଜାୟ ରଖିବାରେ ଅନେକ ସହାୟକ ହୋଇପାରିଛି ବୋଲି ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦାନ କରି ଭାଷା ସମ୍ପକିର୍ତ ଆଲୋଚନା ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରତି ଏହି ସ୍ଥାନମାନଙ୍କରେ ବସବାସ କରୁଥିବା ସାରସ୍ବତ ପ୍ରେମୀଙ୍କ କାର୍ଯ୍ୟଧାରାକୁ ଭୂୟଂସୀ ପ୍ରଶଂସା କରିଥିଲେ। ଏହା କିପରି ଆହୁରି ବହୁଳ ଭାବେ କାର୍ଯ୍ୟକାରୀ କରାଯିବ ଏ ଦିଗରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ଉତ୍ସବରେ ସଭାପତିତ୍ଵ କରୁଥିବା ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ ଡକ୍ଟର ସିଦ୍ଧାର୍ଥ ଶଙ୍କର ପାଢ଼ୀ ଯୋଗଦାନ କରି ପୂର୍ବରୁ ଆଲୋଚନା କରିଥିବା ଅତିଥି ଓ ବକ୍ତାଙ୍କ ବକ୍ତବ୍ୟ ଉପରେ ସମ୍ୟକ୍ ସୂଚନା ପ୍ରଦାନ କରିବା ସହ ଓଡ଼ିଶା ସାହିତ୍ୟ ଏକାଡେମୀର ଏହିପରି କାର୍ଯ୍ୟକୁ କିପରି ଆଗାମୀ ଦିନରେ ଏହି ଉପାନ୍ତ ଅଞ୍ଚଳମାନଙ୍କରେ ସୂଚାରୁ ରୂପେ କରାଯାଇପାରିବ ସେ ସଂପର୍କରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ଦକ୍ଷ ପ୍ରଶାସକ ତଥା ସାହିତ୍ୟାନୁରାଗୀ ଡକ୍ଟର ଚନ୍ଦ୍ରଶେଖର ହୋତା ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରତି ଉପାନ୍ତ ଅଞ୍ଚଳରେ ଭାଷାଭିତ୍ତିକ କାର୍ଯ୍ୟକ୍ରମ କିପରି ଆଗାମୀ ଦିନରେ ସୂଚାରୁ ରୂପେ କରାଯାଇପାରିବ ଏ ଉପରେ ନିଜର ମତ ପ୍ରକାଶ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ସହ-ସଚିବ ଶ୍ରୀ ସଞ୍ଜୟ କୁମାର ଛୁଆଳସିଂହ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ। କୃଷ୍ଣପୁରସ୍ଥିତ ଜିଲ୍ଲା ପରିଷଦ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା “ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା।ଦ୍ଵିତୀୟ ଅଧିବେଶନ ଆଲୋଚନାଚକ୍ର କାର୍ଯ୍ୟକ୍ରମରେ ଧରାକୋଟ ସରକାରୀ ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ସୁଜିତ୍ କୁମାର ପଣ୍ଡାଙ୍କ ସଭାପତିତ୍ଵରେ ଭାଷାବିତ୍ ତଥା ଓଡ଼ିଆ ଭାଷା ଆନ୍ଦୋଳନର ଜଣେ ଅନ୍ୟତମ ସାରଥି ଶ୍ରୀଯୁକ୍ତ ପବିତ୍ର ମହାରଥା, ସୁସାହିତ୍ୟିକ ଓ ସ୍ତମ୍ଭକାର ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ, ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପ-ସଚିବ ଡକ୍ଟର କୁଳମଣି ଓଝା, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଉପ ନିର୍ଦ୍ଦେଶକ ଅଧ୍ୟାପକ ସୁଶାନ୍ତ ଦାସ ଓ ଶିକ୍ଷାବିତ୍ ଓ ଗବେଷକ ଡକ୍ଟର ଗିରିଶ ପ୍ରସାଦ ସ୍ୱାଇଁ ଆଦି ଯୋଗଦାନ କରି ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ଭୂମିକା ସଂପର୍କରେ ଭାଷାଭିତ୍ତିକ ଆଲୋଚନା କରିବା ସହ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ଦିଗରେ ଉପାନ୍ତ ଅଞ୍ଚଳରେ ବିଭିନ୍ନ ସାରସ୍ୱତ କାର୍ଯ୍ୟକ୍ରମମାନ କରାଯିବା ପାଇଁ ମତ ପ୍ରକାଶ କରିଥିଲେ। ପରିଶେଷରେ ଅପରାହ୍ଣ ସମୟରେ ଆମନ୍ତ୍ରିତ କବି ଓ କବୟିତ୍ରୀମାନଙ୍କ ଦ୍ଵାରା କବିତା ପାଠୋତ୍ସବ ଆୟୋଜନ କରାଯାଇଥିଲା। ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ବେବର୍ତ୍ତା ସଂଯୋଜନା କରିଥିଲେ। ଏଥିରେ ମଞ୍ଜୁଷା ବ୍ୟତୀତ ପାରଳାଖେମୁଣ୍ଡି, ବ୍ରହ୍ମପୁର ଏବଂ ଅନ୍ୟାନ୍ୟ ସ୍ଥାନମାନଙ୍କରୁ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ କବି ଓ କବୟିତ୍ରୀମାନେ ଭାଷା ସଂପକିର୍ତ ସ୍ୱରଚିତ କବିତାମାନ ପାଠ କରିଥିଲେ। ଉକ୍ତ ଉତ୍ସବରେ ଜ୍ଞାନୀଗୁଣୀ, ସ୍ଥାନୀୟ ଅଞ୍ଚଳର ଅଧିବାସୀ, ସାରସ୍ୱତପ୍ରେମୀ, ସାମ୍ବାଦିକ ବନ୍ଧୁ ଆଦି ଯୋଗଦାନ କରି ଓଡ଼ିଶା ସାହିତ୍ୟ ଏକାଡେମୀର ଏହିପରି କାର୍ଯ୍ୟକୁ ଅତ୍ୟନ୍ତ ପ୍ରଶଂସା କରିବା ସହ ଏଥିରେ ସଂପୂର୍ଣ୍ଣ ଭାବେ ସହଯୋଗ ପ୍ରଦାନ କରିଥିଲେ।