ଆମ୍ବ ଗଣ୍ଡି ସହ ଟ୍ରାକ୍ଟର ଜବତ
ବୁଗୁଡ଼ା (ଅନିଲ କୁମାର ମହାରଣା) : ବନ ବିଭାଗ ଦ୍ଵାରା ଆମ୍ବ ଗଣ୍ଡି ସହ ଏକ ଟ୍ରାକ୍ଟର ଜବତ ହୋଇଛି। ଗତ ରାତିରେ ବୁଗୁଡ଼ା ବନାଞ୍ଚଳ କର୍ମଚାରୀ ଓ ମୋବାଇଲ କର୍ମଚାରୀ ପେଟ୍ରୋଲିଂ କରୁଥିବା ବେଳେ ଆମ୍ବ ଗଣ୍ଡି ସହ ଏହି ଟ୍ରାକ୍ଟରକୁ ଜବତ କରିଥିଲେ। ବୁଗୁଡ଼ା ପଟୁ କେନାଲ ହୁଡାରେ ଟ୍ରାକ୍ଟର ଯୋଗେ ଏହି ଚୋରା ଆମ୍ବ ଗଣ୍ଡି କୌଣସି ସ୍ଥାନକୁ ଚୋରା ଚାଲାଣ ହେଉଥିଲା। ବନ କର୍ମଚାରୀ ସବୁ ଦିଗରୁ ଘେରିଯିବା ଦେଖି ଟ୍ରାକ୍ଟର ଡ୍ରାଇଭର ଦୌଡ଼ି ପଳାଇଥିଲେ। ଟ୍ରାକ୍ଟରରେ ବୋଝେଇ ହୋଇଥିବା ଚୋରା ଆମ୍ବ କାଠ ୬୫ ଘନ ଫୁଟ ହୋଇଥିବା ବେଳେ ବଜାର ମୂଲ୍ୟ ପ୍ରାୟ ଏକ ଲକ୍ଷ ଟଙ୍କା ହେବ ବୋଲି ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରା ପ୍ରକାଶ କରିଛନ୍ତି। ଟ୍ରାକ୍ଟର ଓ କାଠ ଜବତ ସମୟରେ ଦୁଇ ଏସିଏଫ ଓ ପ୍ରଭାକର ନାୟକ ଓ ଶଙ୍କର୍ଷଣ ବେହେରା, ବୁଗୁଡା ବନାଞ୍ଚଳ ଅଧିକାରୀ ଶ୍ରୀ ବେହେରା, ପୋଲସରା ବନାଞ୍ଚଳ ଅଧିକାରୀ ସଚୀନ କୁମାର ପ୍ରଧାନ, ବୁଗୁଡା ବନପାଳ ଅଭିମନ୍ୟୁ ସିଲ, ବନରକ୍ଷୀ ସୁବ୍ରତ ତ୍ରିପାଠୀ, ସୂର୍ଯ୍ୟମଣି ସେଠୀ, ରତ୍ନାକର ମଲ୍ଲିକ, ପାରା ଫରେଷ୍ଟର କର୍ମୀ ରଶ୍ମୀ ରଞ୍ଜନ ପ୍ରଧାନ ପ୍ରମୁଖ ଏହି ଚଢ଼ାଉରେ ଅଂଶ ଗ୍ରହଣ କରିଥିଲେ। ଏହି ଚୋରା କାଠ ଜବତ ସହ ଟ୍ରାକ୍ଟର ଉପରେ ବନ ବିଭାଗ ୫୬ ଧାରା ଲାଗୁ କରିଛନ୍ତି।