ଆମ ଘରଚଟିଆ
କୁନିକୁନି ଥଣ୍ଟ
କୁନି ତାର ପେଟ
କୁନିକୁନି ପାଦ ଡେଣାଟି,
କିଚିରି ମିଚିରି
ଭାଷାଟି ତାହାର
ଘରଚଟିଆ ତା’ ନାଁ ଟି ।
ନିଜ ଘର ନାହିଁ
କାହା ଚାଳଘରେ
କରିଥାଏ ତାର ବସାଟି,
ବାଉଁଶ ଫାଳର
ସାମ୍ପଡା ଭିତରେ
ତା ଖୁସି ସଂସାର ବାସଟି ।
ନୀରିହ କର୍ମଠ
ଅତି ସୁକୁମାର
ସଫା ସୁତୁରା ତା ଦେହଟି,
ସଞ୍ଚୟ ଜାଣେନି
ଉପାସ ରହେନି
ଖାଇ ଫେରିଆସେ ଝଅଟି।
କୁନି ପେଟ ଥଣ୍ଟ
କେତେ ସେ ଖାଇବ
କେହି ତାକୁ କେବେ ଉଡାନି,
ସାପ ପଶିଗଲେ
ସାମ୍ପଡା ଭିତରେ
ଉଡି କହଇ ତୁନି ତୁନି ।
ସରଳ ନୀରିହ
ହଜିଯିବ ଦିନେ
କେହି ନାହିଁ ତାର ସାହାଟି,
ଆବାସ ଘରକୁ
ବିଦ୍ୟୁତ୍ ତରଙ୍ଗେ
ବୁଡିଯିବ ତାର ନାଁଟି ।
ଗଦାଧର ସାହୁ,
କଙ୍କଡ଼ାଦ୍ଵୀପ,ବ୍ରହ୍ମଗିରି,ପୁରୀ