ଆମ ବିଚାର
ଆଲୁଅ ଜଳିଲେ
କିଏ ସେ କହଇ
ସବୁକିଛି ଦିଶୁଅଛି,
ଆଉ କିଏ କହେ
କ’ଣ ବା କହିବି
ଦେଖିପାରୁ ନାହିଁ କିଛି ।
ଦେଖି ପାରୁଅଛି
ଦେଖି ପାରୁ ନାହିଁ
ସତ କିଏ କହେ ମିଛ,
ଅବା ହୋଇ ପାରେ
କେବଳ ହିଁ ସତ
ଅଥବା ଦୁହେଁ ହିଁ ମିଛ ।
ଏବେ ଆସିଗଲା
ବିଶ୍ବାସର କଥା
ବିଚାର ବିମର୍ଶ ବେଳ,
କେବେ ପରିସ୍ଥିତି
କେବେ ପରିବେଶ
ସ୍ଥାନ କାଳ ପାତ୍ର ଖେଳ ।
ଆଲୁଅରେ ଯିଏ
ଦେଖିଛି କହିଲା
ବିନା ବିଚାରେ ସରିଲା,
ଯିଏ ନାହିଁ କଲା
କିଛି ସେ ଦେଖିନି
ତର୍ଜମା ଆରମ୍ଭ ହେଲା ।
ଆଖି ନାହିଁ ଯାର
କିଛି ସେ ଦେଖିନି
କହିନି ତ ସିଏ ମିଛ,
ବିଚାରକ କାହିଁ
ବିଚାର କରଇ
ସତ ମିଛ, ମିଛ ସତ ।
ଗଦାଧର ସାହୁ,
ବ୍ରହ୍ମଗିରି,ପୁରୀ