ଆଲୁମିନି ସମାବେଶ ପରପିଢୀ ପାଇଁ ପ୍ରେରଣାର ଉତ୍ସ

ଖୋରଧା, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ମୈତ୍ରୀ ଭବନରେ ରସାୟନ ବିଜ୍ଞାନ ବିଭାଗ ତରଫରୁ ଏକ ଆଲୁମିନି ସମାବେଶ ଆଲୁମିନି ଆସୋସିଏସନର ସାଧାରଣ ସଂପାଦକ ଶିକ୍ଷାବିତ୍ ଡକ୍ଟର ଧୀରେନ୍ଦ୍ର ନନ୍ଦଙ୍କ ସଂଯୋଜନାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟରେ ରସାୟନ ବିଜ୍ଞାନ ସ୍ନାତକ ବିଭାଗ ଖୋଲିବା ଦିନଠାରୁ ଚଳିତ ବର୍ଷ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ତଥା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ମହାମିଳନ ହୋଇଥିବା ଏହି ସ୍ୱତନ୍ତ୍ର ଆଲୁମିନି ଉତ୍ସବରେ ରସାୟନବିତ୍ ପ୍ରଫେସର ହରିପ୍ରସାଦ ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରି କହିଲେ ଏହା ହେଉଛି ଏକ ମହାମିଳନର ମହୋତ୍ସବ । ଏହା ଶିକ୍ଷକ ଏବଂ ପିଲା ମାନଙ୍କ ମଧ୍ୟରେ ସ୍ନେହ ଶ୍ରଦ୍ଧା ଆତ୍ମୀୟତା ଭଳି ଦିବ୍ୟ ଗୁଣ ଗୁଡିକୁ ଦୃଢ଼ କରିବା ସହିତ ପରପିଢ଼ିଙ୍କୁ ଉନ୍ନତିର ଶୀର୍ଷରେ ପହଂଚାଇବା ପାଇଁ ପ୍ରେରଣା ଯୋଗାଇଥାଏ । ଅନୁଷ୍ଠିତ ସେମିନାରରେ ମୁଖ୍ୟ ବକ୍ତା ଭାବରେ ପ୍ରାଣନାଥ ମହାବିଦ୍ୟାଳୟର ପ୍ରକ୍ତନ ଅଧ୍ୟକ୍ଷା ଡକ୍ଟର ଅଜନ୍ତା ଶତପଥି ଯୋଗଦେଇ କହିଲେ ଏହି ମହାବିଦ୍ୟାଳୟର ରସାୟନ ବିଭାଗରେ ମୋର ଚାକିରୀ ଆରମ୍ଭ ସହିତ ଶେଷ ମଧ୍ୟ ହୋଇଛି ଏବଂ ପରିଶେଷରେ ଅଧ୍ୟକ୍ଷ ପଦରେ କାମ କରିବାର ସୁଯୋଗ ପାଇଥିବାରୁ ମୁଁ ଗର୍ବିତ । ଏହି ମହାବିଦ୍ୟାଳୟର ମହାନତା ଯୋଗୁଁ ଆଜି ସାରା ଦେଶରେ ଏହାର ଛାତ୍ରଛାତ୍ରୀମାନେ ଅନେକ ଉଚ୍ଚ ପଦପଦବୀର ଅଧିକାରୀ ହୋଇପାରିଛନ୍ତି । ଆମେ ଯଦି ଏହି ଆଲୁମିନି ସଂଗଠନ ମାଧ୍ୟମରେ ମହାବିଦ୍ୟାଳୟର ସମସ୍ତ ବିଭାଗର ପୂର୍ବତନ ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନଙ୍କୁ ଏକାଠି କରିପାରିବା ତେବେ ଏହି ମହାବିଦ୍ୟାଳୟ ସାରା ଭାରତ ବର୍ଷରେ ଏକ ଶୀର୍ଷ ସ୍ଥାନରେ ପହଂଚିପାରିବ । ସମ୍ମାନୀତ ବକ୍ତା ଭାବରେ ପ୍ରଫେସର ଦିଗମ୍ବର ଦାଶ, ପ୍ରଫେସର ଶୁଷମା ମିଶ୍ର ଯୋଗଦେଇ ରସାୟନ ବିଜ୍ଞାନର ବିଶେଷତା ଏବଂ ତାର ବିଭିନ୍ନ ଦିଗ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ସମ୍ମାନୀତ ଅତିଥି ଭାବରେ ରସାୟନ ବିଭାଗର ଡକ୍ଟର ପ୍ରୟବ୍ରତ ମହାନ୍ତି ଏବଂ ଡକ୍ଟର ପ୍ରତାପ ଚନ୍ଦ୍ର ପଟ୍ଟନାୟକ ଯୋଗଦେଇ ନିଜର ଦୀର୍ଘ ବର୍ଷର ରସାୟନ ବିଜ୍ଞାନ ପଢାଇବାର ଅନୁଭୂତିକୁ ଅତ୍ୟନ୍ତ ସୁନ୍ଦର ଭାବରେ ବଖାଣିଥିଲେ । ମହାବିଦ୍ୟାଳୟର ରସାୟନ ବିଭାଗର ବିଭାଗୀୟ ମୁଖ୍ୟ ଡକ୍ଟର ପ୍ରଣବ କିଶୋର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର ଉତ୍ସବରେ କହିଲେ ରସାୟନ ବିଭାଗର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଆଲୁମିନି ଉତ୍ସବ ପାଇଁ ଯେଉଁ ଉଦ୍ଦିପନା ରହିଛି ତାହାକୁ ଅହୁରି ଉତ୍ସାହ ପୂର୍ଣ୍ଣ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ । ଏହି ସମାବେଶରେ ଆଲୁମିନି ସଦସ୍ୟ ରାଜ୍ୟ ଉପଶାସନ ସଚ୍ଚିବ ରାଜେଶ ମାନସିଂହ, ରଣପୁର ଉପପ୍ରବନ୍ଧକ ବିଶ୍ୱଜିତ ଦାଶ ସମେତ ଯୋଗଦେଇଥିବା ସମସ୍ତ ଆଲୁମିନି ନିଜର ଅନୁଭୂତି ବଖାଣି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଶେଷରେ ମୁଖ୍ୟ ଅତିଥି ରସାୟନ ବିଭାଗରେ ୨୦୨୪ ଷଷ୍ଠ ସେମିଷ୍ଟାର ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀ ଅଂଜଳି ଖୁସ୍‌ୱା, ଚତୁର୍ଥ ସେମିଷ୍ଟାରରେ ସର୍ବୋଚ୍ଚ ନମ୍ବର ରଖିଥିବା ତୃତୀୟ ବର୍ଷ ଛାତ୍ରୀ ବିଷ୍ଣୁପ୍ରିୟା ସାହୁ, ଦ୍ୱିତୀୟ ସେମିଷ୍ଟାରରେ ସର୍ବୋଚ୍ଚ ନମ୍ବର ରଖିଥିବା ଦ୍ୱିତୀୟ ବର୍ଷ ଛାତ୍ର ଦେବୀ ପ୍ରସାଦ ଭାରିମଲ୍ଲ ଏବଂ ସାଧାରନ ଜ୍ଞାନ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ପ୍ରଥମ ବର୍ଷ ଛାତ୍ର ରିତେଶ ମହାପାତ୍ରଙ୍କୁ ସ୍ମୃତିଫଳକ ଏବଂ ଉତରୀ ଦେଇ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ପୂର୍ବତନ ପ୍ରଧାନ ମନ୍ତ୍ରୀ ମନମୋହନ ସିଂହ, ପ୍ରାଧ୍ୟାପକ ଶୁରେନ୍ଦ୍ର ନାଥ ମହାପାତ୍ର, ଡକ୍ଟର ନୃସିଂହ ଚରଣ ପାତ୍ର, ବଂଶୀଧର ସାହୁଙ୍କ ଉଦ୍ଦେଶ୍ୟରେ ନିରବ ପ୍ରର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସହସଂପାଦକ ଡକ୍ଟର ଶୈଳେନ୍ଦ୍ର ମିଶ୍ର ଅତିଥି ମାନଙ୍କୁ ସ୍ୱାଗତ ସହିତ ପରିଚୟ ପ୍ରଦାନ କରିଥିବାବେଳେ ଶେଷରେ ସହସଂପାଦକ ବିଶ୍ୱ ଭୂଷଣ ସାହୁ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଲୁମିନି କୋଷାଧ୍ୟକ୍ଷ ଅଧ୍ୟାପକ ସମରେ ମହାରଣା, ବ୍ୟବସ୍ଥା ସଂଯୋଜକ ସରୋଜ ପାଲଟାସିଂହ, ସହବ୍ୟବସ୍ଥା ସଂଯୋଜକ ଗଦାଧର ରଥ, ମୁଖ୍ୟ ସଂଯୋଜିକା ସିପ୍ରା ମହାନ୍ତି, ସଂଯୋଜିକା ଡଲି ମିଶ୍ର, ସଂଯୋଜକ ଜଗନ୍ନାଥ ସାହୁ, ଅଧ୍ୟାପକ ସନ୍ତୋଷ କୁମାର ବେହେରା, ଅଧ୍ୟାପିକା ମାନସୀ ଦୁଆରୀ, କେଦାର ମହାପାତ୍ର ପ୍ରମୁଖଙ୍କ ସମେତ ଅନୁଷ୍ଠାନର ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ବର୍ଷର ଛାତ୍ରଛାତ୍ରୀ ତଥା ଅଧ୍ୟାପକ, ଅଧ୍ୟାପିକା ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ