ଆସିକାରେ ଗରିବଗୁରୁୂୂୁବାଙ୍କୁ ଶୀତବସ୍ତ୍ର ବଣ୍ଟନ
ଆସିକା, (ଯୁଗାବ୍ଦ ନ୍ୟୁଜ):ଗତ କିଛି ଦିନ ହେଲା ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଶୀତର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇବା ସହ ପ୍ରବଳ ଥଣ୍ଡା ଅନୁଭୁତ ହେଉଛି । ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ଘରୁ ବାହାରକୁ ବାହାରିବାକୁ ସାଧାରଣ ଜନତା ଆଗ୍ରହ ପ୍ରକାଶ କରୁନଥିବା ଦେଖିବାକୁ ମିଳୁଛି । ଏପରି ପରିସ୍ଥିତିରେ ଖୋଲା ଆକାଶ ତଳେ ଜୀବନ କାଟୁଥିବା ଅସହାୟ, ନିରାଶ୍ରୟ ଓ ମାନସିକ ବିକାରଗ୍ରସ୍ତ, ଗରିବଗୁରୁବା, ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ଅବସ୍ଥା ଆଖିରେ ନଦେଖିଲେ ବିଶ୍ୱାସ କରିହେବ ନାହିଁ । ଏଭଳି ପରିସ୍ଥିତିରେ ସେହିଭଳି ନିରାଶ୍ରୟ ତଥା ଗରିବଗୁରୁବା ଲୋକଙ୍କୁ ଅସହ୍ୟ ଶୀତର ପ୍ରକୋପରୁ ରକ୍ଷା କରିବା ପାଇଁ ମାନବିକତାର ପରିଚୟ ଦେଖାଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି ପତଞ୍ଜଳି ଯୋଗ ସମିତି ଆସିକା ଟାଉନ୍ହଲର ବହୁ ଯୋଗପ୍ରେମୀ । ଅସହାୟ ଶୀତର ପ୍ରକୋପରୁ ନିରାଶ୍ରୟ ତଥା ଗରିବଗୁରୁବାମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ବରିଷ୍ଠ ଆଇନଜୀବୀ ତଥା ପତଞ୍ଜଳି ଯୋଗ ସମିତି ଆସିକା ଟାଉନ୍ହଲର ସକ୍ରିୟ ସଦସ୍ୟ ଦିଲୀପ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଆସିକା ଟାଉନ୍ହଲ ଆଥଲେଟିକ୍ ଏସୋସିଏସନର ସଂପାଦକ ଏମ୍.ତାରିଣୀ ସେନାପତି, ଯୋଗପ୍ରେମୀ ବାଲାଜୀ ରେଡି, ପଂଚାନନ ଭଂଜ, ସୁରେଶ ଚନ୍ଦ୍ର ବିଷୋୟୀ, ନରେନ୍ଦ୍ର କୁମାର ସାହୁ, ବାବୁଲା ଗୌଡ, ବିଜୟ ନାହାକ, ବିପ୍ରଚରଣ ବେହେରାଙ୍କ ସମେତ ବହୁ ଆଗ୍ରହୀ ଯୁବପିଢୀ ଏନ୍ଏସି ଓ ବ୍ଳକ ପରିସରଭୁକ୍ତ ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ଖୋଲା ଆକାଶ ତଳେ ଜୀବନ କାଟୁଥିବା ନିରାଶ୍ରୟ ଓ ଗରିବଗୁରୁବାମାନଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିବା ସାଙ୍ଗକୁ ଶୀତବସ୍ତ୍ର ବଣ୍ଟନ କରିଥିବା ଲକ୍ଷ୍ୟ କରାଯାଇଛି । ପତଞ୍ଜଳି ଯୋଗ ସମିତି ଆସିକା ଟାଉନ୍ହଲର ସକ୍ରିୟ ସଦସ୍ୟ ତଥା ଆସିକା ଆଥ୍ଲେଟିକ୍ ଏସୋସିଏସନ୍ ଟାଉନହଲର ସଭାପତି ବରିଷ୍ଠ ଆଇନଜୀବୀ ଦିଲୀପ କୁମାର ପାଣିଗ୍ରାହୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆରମ୍ଭ ହୋଇଥିବା ଏହି ମହତ୍ କାର୍ଯ୍ୟକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା ଓ ସ୍ୱାଗତ କରାଯାଉଥିବା ଲକ୍ଷ୍ୟ କରାଯାଇଛି ।