ଆସିକାରେ ବିନା ପଞ୍ଜିକରଣରେ ଚାଲୁଛି ପାଥୋଲାବ୍!
ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଛତୁ ଫୁଟିଲା ଭଳି ପାଥୋଲାବ୍ କେନ୍ଦ୍ର ଗଢିଉଠିଛି । ସେଗୁଡିକ ମଧ୍ୟରୁ ବହୁ ପାଥୋଲାବ୍ ବିନା ପଞ୍ଜିକରଣରେ ଚାଲିଥିବା ନେଇ ଦୀର୍ଘ ବର୍ଷ ହେଲା ବିଭିନ୍ନ ମହଲରେ ଅଭିଯୋଗ ହୋଇଆସୁଥିଲେ ମଧ୍ୟ ସେଗୁଡିକୁ ବନ୍ଦ କରିବା ଦିଗରେ ସ୍ୱାସ୍ଥ୍ୟ ବିଭାଗର ନିଘୋଡ ନିଦ୍ରା ଭାଙ୍ଗୁନଥିବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି । ସରକାରୀ ନୀତି ନିୟମକୁ ଖୋଲାଖୋଲି ଭାବେ ଉଲଙ୍ଘନ କରି ବହୁ ଅନଭିଜ୍ଞ ବ୍ୟକ୍ତି ପାଥୋଲାବ୍ ଖୋଲି ବିଭିନ୍ନ ପ୍ରକାର ପରୀକ୍ଷା କରୁଥିବା ଚର୍ଚ୍ଚା ହେଉଛି । ଦିନକୁ ଦିନ ଆସିକା ଅଞ୍ଚଳରେ ବେଆଇନ ପାଥୋଲାବ୍ କ୍ଳିନିକ୍ ସଂଖ୍ୟା ବୃôଦ୍ଧି ପାଇବାରେ ଲାଗିଛି । ଯାହାରି ଫଳରେ ରୋଗୀ ବିଭିନ୍ନ ସମୟରେ ନାନା ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଅନଭିଜ୍ଞ ବ୍ୟକ୍ତିଙ୍କ ଦ୍ୱାରା ପରିଚାଳିତ ହେଉଥିବା ପାଥୋଲାବ୍ ପରୀକ୍ଷା କେନ୍ଦ୍ରର ରିପୋର୍ଟରେ ତାଳମେଳ ରହୁନଥିବା ଆଲୋଚିତ ହେଉଛି । ଆସିକା ଅଞ୍ଚଳରେ ଥିବା ବିଭିନ୍ନ ପାଥୋଲାବ୍ କ୍ଳିନିକି୍ ଗୁଡିକରେ ବିଭିନ୍ନ ଦର ରହୁଥିବାରୁ ଆବଶ୍ୟକତା ସମୟରେ ରୋଗୀ ଓ ସେମାନଙ୍କ ସଂପର୍କୀୟମାନେ ସଠିକ୍ ଦର ମଧ୍ୟ ଜାଣିୁପାରୁ ନାହାନ୍ତି ଏବଂ ରୋଗ ସଂପର୍କରେ ମଧ୍ୟ ସଠିକ୍ ସୂଚନା ମିଳିପାରୁ ନଥିବା ଜଣାପଡିଛି । ଆସିକା ଏନ୍ଏସି ଅଧୀନସ୍ଥ ବାଣିବିହାର ଛକ ଓ ରଘୁନାଥନଗର ଅଞ୍ଚଳରେ ବହୁ ବେଆଇନ ପାଥୋଲୋଜି ଚାଲିଥିବା ରୀତିମତ ବିଭିନ୍ନ ମହଲରେ ଅଭିଯୋଗ ହେଉଥିଲେ ମଧ୍ୟ ସେଗୁଡିକ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆନଯିବା ଅନ୍ତରାଳରେ କି ରହସ୍ୟ ରହିଛି ତାହା ତଦନ୍ତ ସାପେକ୍ଷ୍ୟ । ସେହିଭଳି କେତେକ ଗ୍ରାମାଞ୍ଚଳରେ ମଧ୍ୟ ପାଥୋଲାବ୍ କାର୍ଯ୍ୟ କରୁଥିବା ଜଣାପଡିଛି । ଅନଭିଜ୍ଞ ବ୍ୟକ୍ତିଙ୍କ ଦ୍ୱାରା ଚାଲୁଥିବା ପାଥୋଲୋଜିରେ ରୋଗୀମାନଙ୍କ ବିଭିନ୍ନ ପରୀକ୍ଷା ନୀରିକ୍ଷାର ତାଳମେଳ ରହୁନଥିବା ଯୋଗୁଁ ରୋଗୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପାଥୋଲାବ୍ ଗୁଡିକରେ ରୋଗୀମାନଙ୍କ ମଳ, ମୂତ୍ର, ରକ୍ତ, ଗର୍ଭ, କଫ ସହିତ ବିଭିନ୍ନ ପରୀକ୍ଷା ନୀରିକ୍ଷା କରାଯିବା ସାଙ୍ଗକୁ ମ୍ୟାଲେରିଆ, ଟାଇଫଏଡ୍, ମଧୁମେହ ଭଳି ରୋଗର ପରୀକ୍ଷା କରାଯାଉଛି । ସରକାରଙ୍କ ନିୟମ ଅନୁସାରେ ପାଥୋଲାବ୍ ଖୋଲିବା ସମୟରେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ନୀତିନିୟମ ଅନୁସାରେ କାର୍ଯ୍ୟ କରିବା ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶ ରହିଛି । ପାଥୋଲାବ୍ ପାଇଁ ଜଣେ ଏମ୍ବିବିଏସ୍ ଡିଗ୍ରୀଧାରୀ କନ୍ସଲଟାଣ୍ଟ ରହିବାର ନିୟମ ରହିଛି । ପାଥୋଲାବ୍ରେ ୩ଟି ଘର, ୩ ଜଣ ଟେକ୍ନିସିଆନ୍ ରହିବା କଥା । କିନ୍ତୁ ଆସିକା ସହର ତଥା ଏହାର ଆଖପାଖ ଅଧିକାଂଶ ଗ୍ରାମାଞ୍ଚଳରେ ବହୁ ପାଥୋଲାବ୍ ଅନଭିଜ୍ଞ ବ୍ୟକ୍ତିଙ୍କ ଦ୍ୱାରା ଚାଲିଥିବା ଚର୍ଚ୍ଚା ହେଉଛି । ପାଥୋଲାବ୍ ପାଇଁ ପାଥୋଲୋଜି, ବାୟୋକେମିଷ୍ଟି, ମାଇକ୍ରୋବାୟୋଲୋଜି ତାଲିମ୍ଧାରୀ ପାଥୋଲୋଜିଷ୍ଟମାନେ କାର୍ଯ୍ୟ କରିବାର ନିୟମ ମଧ୍ୟ ରହିଛି । ସେହିପରି କୌଣସି ସ୍ୱିକୃତୀପ୍ରାପ୍ତ ଅନୁଷ୍ଠାନ ଦ୍ୱାରା ଏଆଇସିଟିଇ ଦ୍ୱାରା ଅନୁମୋଦିତ ପାଇଥିବା ସଂସ୍ଥାରୁ ଲାବୋରଟୋରୀ ଟେକ୍ନିସିଆନ୍ ଦକ୍ଷତା ଓ ପ୍ରମାଣପତ୍ର ହାସଲ ପରେ ପାଥୋଲାବ୍ରେ କାର୍ଯ୍ୟ କରିବାର ନିୟମ ରହିଛି । କିନ୍ତୁ ଆସିକା ଅଞ୍ଚଳରେ ଏହାର ସଂପୁର୍ଣ୍ଣ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଆସିକା ଅଞ୍ଚଳରେ ଥିବା ଶତାଧୀକ ପାଥୋଲୋଜି କେନ୍ଦ୍ର ଗୁଡିକ ମଧ୍ୟରୁ ମାତ୍ର ହାତଗଣତି କିଛି ପାଥୋଲୋଜି ସରକାରୀ ନୀତିନିୟମ ଅନୁଯାୟୀ ପରିଚାଳିତ ହେଉଥିଲା ବେଳେ ପ୍ରାୟ ୮୦ ପ୍ରତିଶତ ପାଥୋଲୋଜି କେନ୍ଦ୍ର ଅନଭିଜ୍ଞ ବେକାର ଯୁବକ ଯୁବତୀମାନଙ୍କ ଦ୍ୱାରା ପରିଚାଳିତ ହେଉଥିବା ଆଲୋଚିତ ହେଉଛି । ଏହି ବେଆଇନ ଭାବେ ଚାଲିଥିବା ପାଥୋଲୋଜି କେନ୍ଦ୍ର ଗୁଡିକରେ କାର୍ଯ୍ୟ କରୁଥିବା ଯୁବକମାନେ କୌଣସି ସଂସ୍ଥାରୁ ତାଲିମ୍ ପାଇବା ତ ଦୂରର କଥା ସେମାନଙ୍କର ରକ୍ତ, ମଳ, ମୂତ୍ର ଅନ୍ୟାନ୍ୟ ପରୀକ୍ଷା ନୀରିକ୍ଷା କରିବା ସଂପର୍କରେ ସାଧାରଣ ଜ୍ଞାନ ମଧ୍ୟ ନଥିବା ଜଣାପଡିଛି । ଗ୍ରାମାଞ୍ଚଳର ଅଶିକ୍ଷିତ ରୋଗୀମାନେ ଏହି ଅନଭିଜ୍ଞ, ବେକାର ଯୁବକ ଯୁବତୀ ମାନଙ୍କ ଦ୍ୱାରା ପ୍ରଦତ୍ତ ରିପୋର୍ଟକୁ ଆଧାର କରି ଔଷଧ ଖାଉଥିବା ମଧ୍ୟ ଜଣାପଡିଛି । ଗୋଟିଏ ପାଥୋଲାବ୍ରେ ଯାହା ଯାହା ସରଞ୍ଜାମ ରହିବା କଥା ତାହା ମଧ୍ୟ ରହୁନଥିବା ଦେଖିବାକୁ ମିଳୁଛି । ରୋଗୀମାନେ ବିଭିନ୍ନ ରୋଗର ନିଦାନ ନିମନ୍ତେ ପାଥୋଲାବ୍ଗୁଡିକ ଉପରେ ନିର୍ଭର କରୁଥିବା ବେଳେ ଅନଭିଜ୍ଞ ବ୍ୟକ୍ତିଙ୍କ ଦ୍ୱାରା ପରିଚାଳିତ ପାଥୋଲାବ୍ଗୁଡିକ ରୋଗୀଙ୍କ ଜୀବନ ସହ ଖେଳୁଥିବା ଅଭିଯୋଗ ହେଉଛି । ଅନେକ ସମୟରେ ଗୋଟିଏ ପରୀକ୍ଷା ଭିନ୍ନ ଭିନ୍ନ ପାଥୋଲାବ୍ରେ ପରୀକ୍ଷା କଲେ ଭିନ୍ନ ଭିନ୍ନ ରିପୋର୍ଟକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଦୀର୍ଘ ବର୍ଷ ଧରି ଆସିକା ଅଞ୍ଚଳରେ ଏଭଳି ବହୁ ପାଥୋଲାବ୍ ଗୁଡିକ ସରକାରଙ୍କ ନୀତିନିୟମକୁ ଉଲଙ୍ଘନ କରି ବେଆଇନ ଭାବେ ଚାଲିଥିଲା ବେଳେ ସ୍ୱାସ୍ଥ୍ୟ ବିଭାଗ ଥରୁଟିଏ ମଧ୍ୟ ଚଢାଉ ନକରିବା ଘଟଣାକୁ ନେଇ ଦାୟିତ୍ୱରେ ଥିବା ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ଶୈଳୀ ପ୍ରତି ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜିଲ୍ଲା ପ୍ରଶାସନ ତଥା ସ୍ୱାସ୍ଥ୍ୟ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକାରେ ବେଆଇନ ଭାବେ ଚାଲିଥିବା ପାଥୋଲୋଜି କେନ୍ଦ୍ର ଗୁଡିକୁ ତୁରନ୍ତ ବନ୍ଦ କରିବା ସାଙ୍ଗକୁ ରୋଗୀଙ୍କ ସ୍ୱାସ୍ଥ୍ୟ ସହ ଖେଳୁଥିବା ପାଥୋଲାବ୍ କେନ୍ଦ୍ର ଗୁଡିକର ମାଲିକଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି ।