ଆସିକା ଏନ୍ଏସିରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ
ଆସିକା, (ଯୁଗାବ୍ଦ ନ୍ୟୁଜ):ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତିକ୍ରମେ ଆସିକା ଏନ୍ଏସିର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ରୂପେ ପ୍ରଶାସନର ଦକ୍ଷ, ସଚ୍ଚୋଟ, ନିର୍ମଳ, କାର୍ଯ୍ୟଦକ୍ଷ ଓ କର୍ତ୍ତବ୍ୟନଷ୍ଟ ଅଫିସର ରୂପେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ରାଜେଶ୍ କୁମାର ମହାପାତ୍ର ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡିଛି । ଏହା ପୂର୍ବରୁ ସେ ମାଲକାନଗିରି ଜିଲ୍ଲାର ବାଲିମେଳା ଏନ୍ଏସିରେ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବସ୍ଥାପିତ ରହି ସୁଚାରୂ ରୂପେ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସଂପାଦନ କରି ଜଣେ ଦକ୍ଷ ଓ ଲୋକପ୍ରିୟ ପ୍ରଶାସକ ରୂପେ ସୁଖ୍ୟାତି ଅର୍ଜନ କରିଥିଲେ । ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ଦୀର୍ଘ ଦିନ ଧରି ପୂର୍ବରୁ କାର୍ଯ୍ୟନିର୍ବାହୀ ଅଧିକାରୀ ରୂପେ ଅବସ୍ଥାପିତ ଥିବା ଲୋକନାଥ ବେଜ୍ଙ୍କୁ ରାଜ୍ୟ ସରକାରଙ୍କ ôଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଭୁବନ ଏନ୍ଏସିକୁ ବଦଳି କରାଯାଇଥିବା ଜଣାପଡିଛି । ଆସିକା ଏନ୍ଏସିର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ରୂପେ ବରିଷ୍ଠ ପ୍ରଶାସନିକ ଅଧିକାରୀ ରାଜେଶ୍ କୁମାର ମହାପାତ୍ର ଦାୟିତ୍ୱ ଗ୍ରହଣ କରିବା ପରେ ନଗରପାଳିକା ବିନେତା ସ୍ୱାଇଁ, ସମାଜସେବୀ ସତ୍ୟନାରାୟଣ ସ୍ୱାଇଁ, ଏନ୍ଏସି କାଉନସିଲର ବନ୍ଦିତା ପ୍ରଧାନ, ମମତା ପାତ୍ର, ଦୁର୍ଗାବାଇ ବୈଠାରୁ, ବାସନ୍ତି ପାତ୍ର, ନିରଂଜନ ଜେନା, ମଦନ ମୋହନ ନାୟକ, ପ୍ରଦୀପ କୁମାର ଗୌଡ, ସଂଯୁକ୍ତା ଶତପଥୀ, ବିଜୟଲକ୍ଷ୍ମୀ ବେହେରା, ସରୋଜ କୁମାର ଭଂଜ, ରାଘବ ସିୟ, ନିଳିମା ପାତ୍ରଙ୍କ ସମେତ ବହୁ କାଉନସିଲର ବିଭିନ୍ନ ସମୟରେ ସ୍ୱତନ୍ତ୍ର ଭାବେ ସାକ୍ଷାତ କରି ପୁଷ୍ପଗୁଚ୍ଛ ପ୍ରଦାନ କରି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିବା ଲକ୍ଷ୍ୟ କରାଯାଇଛି । ୨୦୨୦ ବ୍ୟାଚ୍ର ଓଆର୍ଏସ୍ ଅଫିସର ରାଜେଶ୍ କୁମାର ମହାପାତ୍ର ୧୯୭୬ ମସିହାରେ ଛତ୍ରପୁରରେ ଜନ୍ମଗ୍ରହଣ କରିଥିଲା ବେଳେ ୧୯୯୬ ମସିହାରୁ ନିଜର କର୍ମମୟ ଜୀବନ ଆରମ୍ଭ କରି ଗଂଜାମ ଜିଲ୍ଲା, ଗଜପତି ଜିଲ୍ଲା ଓ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଦକ୍ଷତାର ସହ କାର୍ଯ୍ୟ କରିଆସିଥିବା ନଜିର୍ ରହିଛି । ରାଜ୍ୟ ସରକାରଙ୍କ ବିକଶିତ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନ ସାଙ୍ଗକୁ ସମସ୍ତଙ୍କ ସହଯୋଗରେ ଆସିକା ସହରର ସର୍ବାଙ୍ଗୀନ ବିକାଶ ଏବଂ ସବୁଜ ସୁନ୍ଦର ସହରରେ ପରିଗଣିତ କରିବା ସାଙ୍ଗକୁ ସହରାଂଚଳର ସର୍ବାଙ୍ଗୀନ ବିକାଶ ପାଇଁ ସରକାର କାର୍ଯ୍ୟକାରୀ କରୁଥିବା ବିଭିନ୍ନ ଯୋଜନାର ସଠିକ୍ କାର୍ଯ୍ୟକାରିତା ଏବଂ ସ୍ୱଚ୍ଛତାକୁ ସର୍ବାଧିକ ଗୁରୁତ୍ୱ ଦେଇ ରାଜ୍ୟର ଏକ ଅଗ୍ରଣୀ, ବିକଶିତ ସହରାଂଚଳରେ ଗଢିତୋଳିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିବା ଲକ୍ଷ୍ୟ କରାଯାଇଛି । ଆସିକା ସହରବାସୀଙ୍କୁ ଉତ୍ତମ ସେବା ଓ ସହରର ସର୍ବାଙ୍ଗୀନ ବିକାଶକୁ ସର୍ବାଧିକ ପ୍ରାଥମିକତା ଦିଆଯିବ ବୋଲି ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେଶ୍ କୁମାର ମହାପାତ୍ର ପ୍ରକାଶ କରିଛନ୍ତି ।