ଆସିକା କୁମ୍ଭାରସାହିରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଚାଲିଛି କୁରାଳ ପଞ୍ଚମୀ ପର୍ବ
ଆସିକା, (ଯୁଗାବ୍ଦ ନ୍ୟୁଜ):ଗତ ୬ ତାରିଖ ମାର୍ଗଶୀର ମାସ ଶୁକ୍ଳ ପଞ୍ଚମୀ ତଥିରେ ଆସିକା ଏନ୍ଏସି ଅଧୀନସ୍ଥ ୧୧ ନମ୍ବର ୱାର୍ଡର କୁମ୍ଭାରସାହିରେ ପୂର୍ବବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ କୁମ୍ଭକାରମାନଙ୍କ ମହାନ୍ ପର୍ବ କୁରାଳ ପଞ୍ଚମୀ ଚାଲିଥିବା ଲକ୍ଷ୍ୟ କରାଯାଇଛି । କୁମ୍ଭକାର ସଂପ୍ରଦାୟର ଶ୍ରଦ୍ଧାଳୁ ଭକ୍ତମାନେ ନିଷ୍ଠାର ସହ ରହି ମାନିସକ ପୂରଣ ପାଇଁ ଠାକୁରଙ୍କୁ ପୂଜାର୍ଚ୍ଚନା କରୁଥିବା ଜଣାପଡିଛି । ଏହି କୁରାଳ ପଞ୍ଚମୀ ପର୍ବ ପାଳନ ଅବସରରେ କୁମ୍ଭକାରମାନେ ହାଣ୍ଡିଗଢା କାର୍ଯ୍ୟ ବନ୍ଦ ରଖି ମାଟିରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ ହେଉଥିବା ସରଂଜାମ ଯଥା ଚକ, ପିଣ୍ଡ, ପିଟଣକୁ ପୂଜାର୍ଚ୍ଚନା କରିଥାନ୍ତି । କୁମ୍ଭକାର ସଂପ୍ରଦାୟର ଶ୍ରଦ୍ଧାଳୁ ଭକ୍ତମାନେ ଶୁଦ୍ଧପୁତ ଭାବେ ହବିଷାନ୍ନ ଭୋଜନ ପୂର୍ବକ ସେମାନଙ୍କ ଇଷ୍ଟ ଦେବତା ରୁଦ୍ରପାଳ ଓ ରତ୍ନେଶ୍ୱରୀଙ୍କୁ ଲକ୍ଷ୍ମୀନାରାୟଣ ରୂପେ ନିଷ୍ଠାର ସହ ପୂଜାର୍ଚ୍ଚନା କରିଥାନ୍ତି । ଏହି କୁରାଳ ପଞ୍ଚମୀ ପର୍ବ ପାଳନ ଅବସରରେ କୁମ୍ଭକାର ସଂପ୍ରଦାୟର ଘରେ ଘରେ ପାଞ୍ଚ ଦିନରେ ପାଞ୍ଚ ପ୍ରକାରର ଭୋଗ ପ୍ରସ୍ତୁତ କରି ପୂଜା କରାଯିବାର ପରମ୍ପରା ରହିଥାଏ । କୁରାଳ ପଞ୍ଚମୀ ପର୍ବ ପାଳନ ଅବସରରେ ଆସିକା ଏନ୍ଏସି ଅଧୀନସ୍ଥ ୧୧ ନମ୍ବର ୱାର୍ଡର କୁମ୍ଭାର ସାହିର କୁମ୍ଭକାର ପରିବାରବର୍ଗଙ୍କ ଘରେ ଘରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ଲକ୍ଷ୍ୟ କରାଯାଇଛି ।