ଆସିକା ପ୍ରାଥମିକ କୃଷି ସମବାୟ ସମିତି କର୍ମଚାରୀଙ୍କ ଧାରଣା ଓ ବିକ୍ଷୋଭ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲା ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ୍ ଅଧୀନରେ କାର୍ଯ୍ୟରତ ପ୍ରାଥମିକ କୃଷି ସମବାୟ ସମିତି କର୍ମଚାରୀ ବିଭିନ୍ନ ଦାବି ନେଇ ସୋମବାର ବିକ୍ଷୋଭ ଓ ଧାରଣା ଦେଇଛନ୍ତି । ସେମାନଙ୍କ ଅଭିଯୋଗ ଯେ, ଗ୍ରାମାଚଂଳର ତୃଣମୂଳସ୍ତରରେ ଲୋକମାନଙ୍କର ସାମାଜିକ ଓ ଆର୍ଥିକ ସ୍ତରରେ ଉନ୍ନତି ପାଇଁ ଉଦ୍ଧିଷ୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ତଥା କାର୍ଯ୍ୟକ୍ରମ ଗୁଡିକୁ ସ୍ୱଚ୍ଛତା ସହ କମ୍ପ୍ୟୁଟର ମାଧ୍ୟମରେ ସୂଚାରୁରୂପେ ସମିତି କର୍ମଚାରୀମାନେ ସମ୍ପାଦନ କରିଥିଲେ ମଧ୍ୟ କର୍ମଚାରୀମାନେ ସ୍ୱଳ୍ପ ଦରମା ପାଇ ଦୁର୍ବିସହ ଜୀବନ ଯାପନ କରନ୍ତି । ଏଥିପାଇଁ କାହାରି ନିଘା ନାହିଁ । ତ୍ରିସ୍ତରୀୟ ସମବାୟ ବ୍ୟବସ୍ଥାରେ ତୃଣମୂଳସ୍ତରରେ ପ୍ରାଥମିକ କୃଷି ସମବାୟ ସମିତି ଗୁଡିକ ରହିଥିବା ବେଳେ ମଧ୍ୟବର୍ତୀ ସ୍ତରରେ କେନ୍ଦ୍ର ସମବାୟ ବ୍ୟାଙ୍କ୍ ଓ ଶୀର୍ଷ ସ୍ତରରେ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ରହିଛି । କେନ୍ଦ୍ର ସମବାୟ ବ୍ୟାଙ୍କ୍ ଗୁଡିକ ମହାଜନ ସଦୃଶ୍ୟ କାର୍ଯ୍ୟ କରନ୍ତି ଯଥା- ସମିତି ଗୁଡିକ କୃଷକମାନଙ୍କୁ ତତ୍କାଳ ସୁଧ ରିହାତି ତଥା ବିନା ସୁଧରେ ଋଣ ପ୍ରଦାନ ବେଳେ ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ୍ ସମିତି ଠାରୁ ସୁଧ ଶୋଷଣ କରନ୍ତି ଏବଂ ସମିତିର ପ୍ରାପ୍ୟ ଗୁଡିକ ପ୍ରଦାନରେ ଅହେତୁକ ବିଳମ୍ବ କରିଥାନ୍ତି । ଏପରିକି କର୍ମଚାରୀଙ୍କ ଦରମା ପ୍ରଦାନରେ ମଧ୍ୟ ବାଧକ ସାଜନ୍ତି । ସମିତିର କର୍ମଚାରୀମାନଙ୍କୁ ପଦୋନ୍ନତି ଦେବାରେ ଚାଳଟୁଳ ନୀତି ଅବଲମ୍ବନ କରନ୍ତି । ସମିତିର ସମ୍ବଳକୁ (ଅଂଶଧନ ଏବଂ ସୁଧ ସହାୟତା) ବ୍ୟାଙ୍କ୍ ନିଜ ଇଛା ମୁତାବକ ଶୋଷଣ କରୁଥିବା ଯୋଗୁଁ ବାଧ୍ୟ ହୋଇ ଆନ୍ଦୋଳନ ପନ୍ଥା ଗ୍ରହଣ କରିବାକୁ ପଡୁଛି । ଏହାଦ୍ୱାରା କୃଷି ଓ କୃଷକର ଯେଉଁ କ୍ଷତି ହେବ ସେଥିପାଇଁ ବିଭାଗୀୟ ଅଧିକାରୀ ଦାୟୀ ରହିବେ ବୋଲି ଧାରଣାରେ ବସିଥିବା କର୍ମଚାରୀମାନେ ଚେତାବନୀ ଦେଇଛନ୍ତି । ପୂର୍ବରୁ ସେମାନେ ଆନ୍ଦୋଳନ ରେ ବସି ରହିଥିଲେ l କିନ୍ତୁ ଆଜି ପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ ନ ହୋଇପାରିବାରୁ ସେମାନେ ପୁଣି ଆନ୍ଦୋଳନ କୁ ଓହ୍ଲାଇଛନ୍ତି l ଆଜିର ଏହି ଧାରଣାରେ କର୍ମଚାରୀ ସଂଘର ସଭାପତି ଶିବରାମ ମହାଙ୍କୁଡ, କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ସ୍ୱାଇଁ, ସାଧାରଣ ସଂପାଦକ ପ୍ରତାପ ଚନ୍ଦ୍ର ପାତ୍ର, ଯୁଗ୍ମ ସଂପାଦକ କାହ୍ନୁଚରଣ ସ୍ୱାଇଁ, କୋଷାଧ୍ୟକ୍ଷ ଏ. ସତ୍ୟନାରାୟଣ ରେଡ୍ଡୀ, ଅରୁଣ ବେହେରା, କୃଷ୍ଣଚନ୍ଦ୍ର ଗୌଡ, ସୁଧାଂଶୁ ବିଷୋୟୀ, ସୋମନାଥ ମଲ୍ଲିକ, ରଞ୍ଜନ କୁମାର ବିଷୋୟୀ, ପ୍ରକାଶ ବାରିକ, ସିମାଚଂଳ ସାହୁ ଓ ପ୍ରଭାକର ମହାରଣା ପ୍ରମୁଖ ସଂଘର ସମସ୍ତ କର୍ମଚାରୀ ସାମିଲ ହୋଇଛନ୍ତି ।