ଆସିକା ଶିକ୍ଷାବିଭାଗ ପକ୍ଷରୁ ହାଇସ୍କୁଲ ବିଦ୍ୟାର୍ଥୀଙ୍କ ଅଧ୍ୟୟନ ପରିଭ୍ରମଣ କାର୍ଯ୍ୟକ୍ରମ
ଆସିକା, (ୱାଇଏନ୍ଏସ୍):ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକରେ ପାଠ ପଢୁଥିବା ବିଦ୍ୟାର୍ଥୀମାନଙ୍କ ବୈଷୟିକ ଶିକ୍ଷା ମାଧ୍ୟମିରେ ବୃତ୍ତିଗତ ଦକ୍ଷତା ବୃଦ୍ଧି ଲକ୍ଷ୍ୟରେ ଓଡିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ କର୍ତ୍ତୃପକ୍ଷ (ଓସେପା) ଏବଂ ଜିଲ୍ଲା ଶିକ୍ଷା ବିଭାଗର ପରାମର୍ଶକ୍ରମେ ଆସିକା ଶିକ୍ଷା ବିଭାଗ ପକ୍ଷରୁ ୪୭ ଜଣ ବାଳକ ଓ ବାଳିକା ମାନଙ୍କୁ ନେଇ ସୋମବାର ଅଧ୍ୟୟନ ପରିଭ୍ରମଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍ରାଣୀ ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ଏବଂ ସହକାରୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା, ଭଂଜ ବେହେରା, ଶିବରାମ ବେହେରାଙ୍କ ନେତୃତ୍ୱରେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ୧୬ଟି ସରକାରୀ ହାଇସ୍କୁଲର ୩୦ ଜଣ ବାଳକ ଏବଂ ୧୭ ଜଣ ବାଳିକା ସୋମବାର ବ୍ରହ୍ମପୁର ସ୍ଥିତ ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନ ଓ ସରକାରୀ ମହିଳା ପଲିଟେକ୍ନିକ୍କୁ ଶୈକ୍ଷିକ ତଥା ଅଧ୍ୟୟନ ପରିଭ୍ରମଣରେ ଗସ୍ତ କରି ବୈଷୟିକ ଶିକ୍ଷା ମାଧ୍ୟମରେ କିଭଳି ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ ହୋଇ ଉଜ୍ଜଳ ଭବିଷ୍ୟତ ଗଠନ ସାଙ୍ଗକୁ ବୈଷୟିକ ଜ୍ଞାନକୌଶଳର ଆବଶ୍ୟକତା ଓ ବୈଷୟିକ ଶିକ୍ଷାର ବିକାଶ ଉପରେ ଜ୍ଞାନ ଆହରଣ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଶିକ୍ଷାବିଭାଗ ପକ୍ଷରୁ ହାଇସ୍କୁଲ ବିଦ୍ୟାର୍ଥୀଙ୍କ ଏହି ଅଧ୍ୟୟନ ପରିଭ୍ରମଣ କାର୍ଯ୍ୟକ୍ରମରେ ଗାଇଡ୍ ଶିକ୍ଷକ ରୂପେ ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାର ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର, ଚିନିଶିଳ୍ପ ହାଇସ୍କୁଲର ପ୍ରଧାନଶିକ୍ଷକ ଗୌରୀଶଙ୍କର ଗୌଡ, ଜୟପୁର ହାଇସ୍କୁଲର ଶିକ୍ଷୟିତ୍ରୀ ସସ୍ମିତା ନନ୍ଦ ପ୍ରମୁଖ ଗାଇଡ୍ ଶିକ୍ଷକ ରୂପେ ସାମିଲ୍ ହୋଇ ଶୈକ୍ଷିକ ତଥା ଅଧ୍ୟୟନ ପରିଭ୍ରମଣକାରୀ ଛାତ୍ରଛାତ୍ରୀମାନଙ୍କ ବୈଷୟିକ ଶିକ୍ଷା ସଂପର୍କରେ ମାର୍ଗଦର୍ଶନ କରିଥିବା ବେଳେ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ବୈଷୟିକ ଜ୍ଞାନ ଆହରଣ ପାଇଁ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଆୟୋଜନ କରିଥିବା ଏହି ପ୍ରୟାସକୁ ବିଭିନ୍ନ ମହଲରେ ସ୍ୱାଗତ ଓ ଉଚ୍ଚ ପ୍ରଶଂସା କରାଯାଉଥିବା ଲକ୍ଷ୍ୟ କରାଯାଇଛି ।