ଆସୁଛି ଦୀପାବଳୀ : ଆସିକାରେ ଜୋର୍ ଧରିଛି ବାଣ ବ୍ୟବସାୟ
ଆସିକା, (ଯୁଗାବ୍ଦ ନ୍ୟୁଜ):ଆସନ୍ତା ଗୁରବାର ଦିନ ପାଳନ ହେବାକୁ ଥିବା ଆଲୋକର ପର୍ବ ଦୀପାବଳି ପର୍ବକୁ ଧୁମ୍ ଧାମ୍ରେ ପାଳନ କରିବା ପାଇଁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠିଛି । ଆସିକା ଅଞ୍ଚଳର ନଳବଣ୍ଟା ଓ ପାଟଳିଗୁଡା ଗ୍ରାମର ଜନବସତି ଅଞ୍ଚଳଠାରୁ କିଛି ମିଟର ଦୂରରେ କେତେକ ଖୋଲା ପଡିଆରେ ଆବଶ୍ୟକୀୟ ଭିତ୍ତିଭୂମିକୁ ସୁଦୃଢ କରି ଆବଶ୍ୟକୀୟ ନୀତି ନିୟମ ଅନୁଯାୟୀ ଅସ୍ଥାୟୀ ଭାବେ ଖୋଲା ଯାଇଥିବା ବାଣ ବଜାରରେ ବାଣ ବ୍ୟବସାୟ ଆରମ୍ଭ ହୋଇଥିବା ଲକ୍ଷ୍ୟ କରାଯାଇଛି । ସେହିଭଳି ଆସିକା ସହରର ବସଷ୍ଟାଣ୍ଡ କଳିଙ୍ଗରୋଡ ମୁଖ୍ୟରାସ୍ତା ପାଶ୍ୱର୍ରେ ଥିବା ଟୁଇନ୍ ରିଭର୍ ସ୍ମାର୍ଟ ପାର୍କ ନିକଟରେ ଅସ୍ଥାୟୀ ଭାବେ ଖୁଚୁରା ବାଣ ବ୍ୟବସାୟ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର କେତେକ ହୋଲ୍ସେଲ୍ ବ୍ୟବସାୟୀ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବାଣ କ୍ରୟ କରି ଆଣି ଖୁଚୁରା ବ୍ୟବସାୟୀଙ୍କୁ ବିକ୍ରୀ କରିଥାନ୍ତି । ଆସିକା ସହର ବସଷ୍ଟାଣ୍ଡ କଳିଙ୍ଗ ରୋଡ ମୁଖ୍ୟରାସ୍ତା ପାଶ୍ୱର୍ରେ ଥିବା ଟୁଇନ୍ ରିଭର୍ ସ୍ମାର୍ଟପାର୍କ ନିକଟରେ ଖୋଲା ଯାଇଥିବା ବାଣ ମାର୍କେଟ୍ରେ ଗ୍ରାହକଙ୍କ ଭିଡ ଜମୁଥିବା ଲକ୍ଷ୍ୟ କରାଯାଇଛି । ପ୍ରତିବର୍ଷ ଦୀପାବଳି ପାଳନର ଏକ ସପ୍ତାହ ପୂର୍ବରୁ ଆସିକା ଅଞ୍ଚଳରେ ବାଣବଜାର ଖୋଲା ଯାଉଥିଲେ ମଧ୍ୟ ଚଳିତ ବର୍ଷ ବାଣ ବ୍ୟବସାୟୀଙ୍କୁ ଲାଇସେନ୍ସ ମିଳିବାରେ ବିଳମ୍ବ ଘଟିଥିବା ଯୋଗୁଁ ବାଣ ବ୍ୟବସାୟ ବିଳମ୍ବରେ ଆରମ୍ଭ ହୋଇଥିବା ଲକ୍ଷ୍ୟ କରାଯାଇଛି । ଆସିକା ଅଞ୍ଚଳବାସୀ ଦୀପାବଳି ଅବସରରେ ବାଣଫୁଟା କାର୍ଯ୍ୟକ୍ରମକୁ ଧୁମ୍ ଧାମରେ ପାଳନ କରିବା ଲାଗି ପ୍ରସ୍ତୁତ ହୋଇ ସାରିଲେଣି । କଳିଙ୍ଗ ରୋଡ ଟୁଇନ୍ ରିଭର୍ ସ୍ମାର୍ଟପାର୍କ, ପାଟଳିଗୁଡା, କଲେଜଛକ ଓ ନଳବଣ୍ଟା ଗ୍ରାମରେ ଚଳିତବର୍ଷ ପ୍ରାୟ ୨୦ରୁ ଉର୍ଦ୍ଧ୍ୱ ବାଣ ଦୋକାନ ଖୋଲିଥିଲା ବେଳେ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଦୋକାନୀମାନେ ବିଭିନ୍ନ କିସମର ବାଣ ମହଜୁଦ ରଖିଛନ୍ତି । ଦୀପାବଳିରେ ଚାରିଦିଗକୁ ଆଲୋକିତ କରି ଶାନ୍ତି, ମୈତ୍ରୀ ଓ ସଦ୍ଭାବନାର ବାର୍ତ୍ତା ଦେବା ପାଇଁ ଆସିକା ସହରବାସୀ ଦୀପାବଳି ପର୍ବକୁ ଧୁମ୍ଧାମ୍ରେ ପାଳନ କରିବା ପାଇଁ ପ୍ରସ୍ତୁତି ଚଲାଇଥିବା ଲକ୍ଷ୍ୟ କରାଯାଇଛି । ଦୀପାବଳୀ ଅବସରରେ ଘରେ ଘରେ ପିଠାପଣାର ଆସର ଜମିଥାଏ ଏବଂ ଦୀପ ଲଗା ଯିବା ସାଙ୍ଗକୁ ବାଣ ଫୁଟା ଯାଇଥାଏ । ସନ୍ଧ୍ୟାରେ ପ୍ରତ୍ୟେକ ହିନ୍ଦୁ ସମ୍ପ୍ରଦାୟର ପରିବାରରେ କାଉଁରିଆ କାଠି, ସଳିତା ଓ ଆଖୁରେ ଅଗ୍ନିସଂଯୋଗ କରି ଆଲୋକ ଦେଖାଇ ପୂର୍ବପୁରୁଷ ମାନଙ୍କୁ ମନେ ପକାଇଥାନ୍ତି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ୨୦ରୁ ଉର୍ଦ୍ଧ୍ୱ ବାଣଦୋକାନ ଖୋଲିବାକୁ ବ୍ୟବସାୟୀଙ୍କୁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଥିବା ଜଣାପଡିଛି । ବାଣ ବିକ୍ରୀ କରିବା ପାଇଁ ଲାଇସେନ୍ସରେ ଯାହା ସର୍ତ୍ତ ରହିଛି ସେଥିରେ କୌଣସି ବ୍ୟବସାୟୀ ବ୍ୟତିକ୍ରମ କରିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସଂଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି । ଆସନ୍ତା ୩୧ ତାରିଖ ଦୀପାବଳୀ ସନ୍ଧ୍ୟା ପର୍ଯ୍ୟନ୍ତ ବାଣ ବିକ୍ରୀ ପାଇଁ ଲାଇସେନ୍ସପ୍ରାପ୍ତ ବ୍ୟବସାୟୀଙ୍କୁ ଅନୁମତି ଦିଆଯାଇଥିବା ଜଣାପଡିଛି । ଦୀପାବଳୀ ଅବସରରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ କାଉଁରିଆ କାଠି, ଆଖୁ, ମାଟି ଦୀପ ଓ ଅନ୍ୟାନ୍ୟ ପୂଜା ସାମଗ୍ରୀ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଆସନ୍ତା ୩୧ ତାରିଖରେ ପାଳିତ ହେବ ଆଲୋକର ପର୍ବ ଦୀପାବଳୀ । ଦୀପାବଳୀ ପର୍ବ ଆସିଲେ ବାଣର ଚାହିଦା ରହୁଥିବା ବେଳେ ଯୁବପିଢୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆସିକାରେ ବାଣ ବ୍ୟବସାୟ ଜମିଥିବା ଲକ୍ଷ୍ୟ କରାଯାଇଛି । ଆଲୋକର ପର୍ବ ଦୀପାବଳୀକୁ ନେଇ ସମସ୍ତଙ୍କ ମନରେ ଦେଖାଦେଇଛି ଉତ୍ସାହ ଓ ଆସିକା ସହର ଚଳଚଂଚଳ ହୋଇଉଠିଛି । ଦୀପାବଳୀ ଉତ୍ସବରେ ଦୀପ ପ୍ରଜ୍ଜଳନ କରିବା ସହ ଆତସବାଜି ଫୁଟାଇବା ପରମ୍ପରା ରହିଛି । ଏହାକୁ ଦୃଷ୍ଟିରେ ରଖି ଆସିକା ସହର ତଥା ଏହାର ଆଖପାଖ ବିଭିନ୍ନ ଅଞ୍ଚଲରେ ଲାଇସେନ୍ସପ୍ରାପ୍ତ ବାଣ ବ୍ୟବସାୟ ଆରମ୍ଭ ହୋଇଯାଇଛି । ସରକାରଙ୍କ ଗାଇଡ୍ଲାଇନକୁ ମାନି ବାଣ ବ୍ୟବସାୟ କରିବାକୁ ବ୍ୟବସାୟୀମାନଙ୍କ ପରାମର୍ଶ ଦିଆଯାଇଥିବା ଜଣାପଡିଛି ।