ଉପରଵାଲା ମ୍ୟାଜିକକଲା

ଦୁଃଖୀ ମଣିଷଟି ଜଗୁ. ରିକ୍ସା ଚଲେଇ ପେଟ ପୋଷୁ ପୋଷୁ ନିଶା ସହ ଦେଖା ହେଲା. ସେଇ ଦେଖା ଯେମିତି ପରିପୂର୍ଣ୍ଣତା ଆଣିଦେଲା ଜଗୁ ମନରେ ଓ ଦେହରେ.ତାକୁ ଲାଗିଲା ନିଶା ଏକ ଅବଳା ଦୁର୍ବଳା ନୁହଁ ବରଂ ଗୋଟେ ମ୍ୟାଜିକ ବୋତଲ ନଚେତ ତା ସଙ୍ଗେ କଥା ହେଲେ ତାକୁ ଶତସିଂହର ବଳ ମିଳିଯାଏ କେମିତି, ମଉଳା ଉପବନେ ଫୁଲ ଫୁଟି ଝରିଯାଏ କେମିତି ପୁଣି ନିରାଶା ବଣରେ ପଦ୍ମ ପୋଖରୀ ଟିଏ ସୁଶୀତଳ , କଳକଳ, ଛଳଛଳ ନଈ ହୋଇ ଧାଇଁଯାଏ ସେଇ ପାହାଡ଼ ତଳୁ ସମୁଦ୍ର ସାଥିରେ ମିଶିବାକୁ ତ ଜଗୁ ବି ମିଶିଗଲା ନିଶା ସହ. ସଂସାର ବାନ୍ଧିଲା, ସ୍ବପ୍ନ ଦେଖିଲା. ସ୍ବପ୍ନ ସତ କରିବାକୁ ନିଶା ଯୋଉଦିନ ଗର୍ଭ ଯନ୍ତ୍ରଣା ପାଉଥିଲା ସେଦିନ ଜଗୁକୁ ଚତୁର୍ଦ୍ଦିଗ ଅନ୍ଧାର ଦିଶୁଥିଲା. ରିକ୍ସା ବେପାର ମାନ୍ଦା ଧରିଛି. ଅଟୋ ଓ ମୋ ବସ ଭଳି ରିକ୍ସା ପ୍ରତି ଆଉ କାହାର ଆଗ୍ରହ ନାହିଁ. ନେହୁରା ହୋଇ ବନ୍ଧୁ ବଢ଼େଇ ଭଜକୁ କହି ଟ୍ରଲିଟିଏ ଆଣିଛି. ଯୋଉଠି ରିକ୍ସା ଚାଲୁନି ସେଠି ଟ୍ରଲି ଅଳ୍ପ ଅଳ୍ପ ଆଦୃତ ହେଉଛି . ଆଜି କିନ୍ତୁ ନିଶାକୁ ଟ୍ରଲିରେ ପକାଇ ହସ୍ପିଟାଲ ନେଲା ବେଳେ ଜାଗୁକୁ ଲାଗିଲା ନିଶା ପରି ମ୍ୟାଜିକ ବୋତଲ ତାକୁ ସଂସାର ରୂପକ ନୌକା ଦେଲା ପରେ ସଂସାର ଫୁଲ ଉପହାର ଦେବ. ହେଲେ ସେ ଉପହାରକୁ ସେ ସାଇତି ରଖିବ କେମିତି ଭାବୁ ଭାବୁ ପୁଅଟିର କୁଆଁ କୁଆଁ ଶବ୍ଦରେ ତାକୁ ଆକାଶଟା ତା ହାତମୁଠାରେ ଖସି ପଡିଲା ପରି ଲାଗିଲା ବେଳକୁ ନିଶା ପରି ମ୍ୟାଜିକ ବୋତଲଟା ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଯାଇଥିଲା. ଏଡ଼େବଡ଼ ଦୁନିଆଁରେ ନିଶା ବିନା ପୁଅକୁ କେମିତି ଯେ ଜଗୁ ବଡ଼ କଲା ସତେ ଯେମିତି ନିଶା ପରି ଯାଦୁଗରୀ ଶକ୍ତି ସବୁ ମରିବା ପୂର୍ବରୁ ସ୍ୱାମୀକୁ ଦେଇଯାଇଥିଲା. ତାର ସ୍ୱର “ମୋ ପୁଅ ତୁମକୁ ଲାଗିଲା “ମ୍ୟାଜିକ କଥା ପରି ଚାରିଆଡେ ପ୍ରତିଧ୍ବନିତ ହେଉଥିଲା ତ ସେହି ଯାଦୁରେ ଓ ପିତୃତ୍ୱର ପରିଚୟରେ ନିଜ ସୁଖ ଭୁଲି ପୁଅକୁ ବଡ଼ କଲାବେଳେ ନିଶା ଜାଗା ଆଉ କାହାକୁ ଦେଇନଥିଲା. ପୁଅ ଠୁକୁ ଠୁକୁ ଚାଲିବା ଦିନ ସେ ଚଣ୍ଡୀ ମନ୍ଦିରରେ ନଡ଼ିଆ ବାଡେଇଥିଲା. ଏବେ ପୁଅ ସ୍କୁଲ ପରେ କଲେଜ ଯାଇ ପୁଣି ଗୋଟେ ଭଲ କମ୍ପାନୀରେ ଚାକିରୀ ପାଇଲାଣି. ଏତେ ସ୍ବପ୍ନକୁ କାଳେ ରାତି ନିଅଣ୍ଟ ହେବ ଭାବି ପୁଅକୁ ବାହା କରିଦେଲା ଜଗୁ. ପୁଅ ଚାକିରୀ ଜାଗାକୁ ଗଲାବେଳେ ବାପାଙ୍କ ସେବା ଶୁଶୃଷା ପାଇଁ ସ୍ତ୍ରୀକୁ ଛାଡି ଦେଇ ଗଲା. କହିକି ଯାଇଥିଲା ମତେ ମଣିଷ କରିବାକୁ ଯାଇ ବାପା ଯେତିକି ତ୍ୟାଗ କରିଛନ୍ତି ତାର କାଣିଚିଏ ମାତ୍ର ଶୁଝିବାକୁ ଚେଷ୍ଟା କରିବାକୁ ପଛେଇବ ନାହିଁ ଜୁଲି. ଜୁଲି କଥା ଦେଲା ତୁମେ ନିଶ୍ଚିନ୍ତ ରୁହ. ପୁଅ ସୁବ୍ରତ ଚାଲିଗଲା ପରେ ଦିନାକେତେ ଜୁଲି ଶଶୁରଙ୍କୁ ପିତା ସମାନ ଭାବି ଶ୍ରଦ୍ଧା ସମ୍ମାନ ଦେଲାବେଳେ ଜଗୁ ଭାବେ ତା ଭାଗ୍ୟରେ ଏତେ ମ୍ୟାଜିକ ଲେଖିଥିଲେ କାଳିଆ ଠାକୁର ବୋଲି ସେ ଜାଣିନଥିଲା. ଜୁଲି କିନ୍ତୁ ପ୍ରକୃତରେ ଉପରକୁ ଶଶୁରଙ୍କୁ ମ୍ୟାଜିକପୂର୍ଣ୍ଣ ଭକ୍ତି ଦେଖାଇ ଭିତରେ ଭିତରେ ଅନ୍ୟ କିଛି ଯାଦୁ ଚଲେଇ ଥିଲା. ପୁଅ ସୁବ୍ରତ ବାପାଙ୍କ ନାମରେ ଘରଖର୍ଚ୍ଚ ପଠାଉଥିଲା ତ ଏଣିକି ସେସବୁ କୌଶଳ କରି ଜୁଲି ଶଶୁରଙ୍କଠାରୁ ନେଇଯାଉଥିଲା. ସ୍ୱାମୀଙ୍କୁ ଶଶୁରବାପାଙ୍କ ଦେହ ଭଲନାହିଁ ମୋ ନାମରେ ଟଙ୍କା ପଠାଅ କହି ସମର୍ଥ ହେଲାପରେ ଆରମ୍ଭ କରିଥିଲା ଶଶୁର ଜଗୁ ଉପରେ ଅତ୍ୟାଚାର. ଜଗୁ ନିଶାକୁ ଝୁରି ହେଉଥିଲା ବହୁତ କିନ୍ତୁ ଆଉ ଉପାୟ ନଥିଲା ତଥାପି ଜଗନ୍ନାଥଙ୍କୁ ଡାକି ମନଦୃଢ଼ କଲା. ନିଶା ଯେମିତି ତା କାନରେ ଶୁନ୍ୟରେ କହୁଥିଲା ମନୋବଳ ରଖ ସବୁ ଆସାଧ୍ୟ୍ୟ ସାଧାନ କରିପାରିବ.ଉଠିଲା ଜଗୁ ରିକ୍ସା ନେଇ ଚାଲିଗଲା କୁଆଡେ ଯେ ବୋହୂ ଜୁଲି ଭାବିଲା କଣ୍ଟା ଗଲା. ସ୍ୱାମୀ ସୁବ୍ରତଙ୍କୁ କହିଲା ବାପାଙ୍କ ମାନସିକ ବିକୃତି ଯୋଗୁଁ ସେ ଘରେ ନୁହେଁ ବରଂ ବାହାରେ ରହିବାକୁ ପସନ୍ଦ କରୁଛନ୍ତି. ବ୍ୟାକୁଳ ହେଲା ସୁବ୍ରତର ମନ. ଘରେ ପହଁଞ୍ଚି ବାପାଙ୍କୁ ଦେଖା କରିବାକୁ ଚାଲିଆସିଲା ହେଲେ ପାଇଲାନି ଘରେ ବାପାଙ୍କୁ.ତ ରଥଯାତ୍ରା ଦେଖିବାକୁ ଚାଲିଗଲା ପୁରୀ. ଏବର୍ଷ ଜଗନ୍ନାଥଙ୍କ ରଥଯାତ୍ରା ଦୁଇଦିନ ଧରି ପାଳନ କରାଯାଉଥିବାରୁ ବହୁଦିନ ପରେ ରଥଯାତ୍ରା ଦେଖିଲା ବେଳେ ସୁବ୍ରତର ପିଲାଦିନ ମନେ ପଡୁଥିଲା. ବାପାଙ୍କ କାନ୍ଧରେ ନାଉ ହୋଇ ରଥ ଦେଖିବା, ଅଭଡ଼ା ଖାଇବା, ଆଡପ ମଣ୍ଡପରେ ପ୍ରଭୁ ତିନିଠାକୁରଙ୍କୁ ଦର୍ଶନ କରିବା କଥା ମନେ ପଡି ଆଖି ଲୁହ ଲୁହ ହୋଇ ଆସିଲା ବେଳେ ହଠାତ ଜନସମୁଦ୍ର ତା ଆଡ଼କୁ ମାଡିଆସିଲା ତ ଦଳି ଚକଟି ହୋଇଯିବା ପୂର୍ବରୁ ସେ ଡାକୁଥିଲା ପ୍ରଭୁ ଜଗନ୍ନାଥ ତ କେହି ତାକୁ ଛାତିରେ ତୋଳି ଧରିଥିଲା. ଭିଡ଼ କମିବାରୁ ସେ ଦେଖିଥିଲା ଅନେକ ଆହତ ଭକ୍ତଙ୍କୁ ଦଳଚକଟା ସ୍ଥାନରୁ ଉଦ୍ଧାର କରି ଶହେଆଠ ଆମ୍ବୁଲାନ୍ସରେ ନେବା ବେଳେ ସେ ଥିଲା ତା ବାପାଙ୍କ କୋଳରେ. ଜଗୁ ତାକୁ ଦେଖି କାନ୍ଦିପକେଇଲେ. ଜଗା ଆଜି ମୋ ପୁଅକୁ ମତେ ଫେରେଇ ଦେଇଛନ୍ତି କହିଲେ. ବାପାଙ୍କ ସହିତ ତାଙ୍କ ରିକ୍ସାରେ ବସି ଘରକୁ ଫେରୁଥିଲା ପୁଅ ସୁବ୍ରତ. ସେ ବୁଝିସାରିଥିଲା ତା ବାପା ଜଗନ୍ନାଥଙ୍କ ଦୟାରୁ ଠିକ ଅଛନ୍ତି. ସେ ଆଜି ତା ବାପାଙ୍କ ଯୋଗୁଁ ମଣିଷ ପରି ମଣିଷ ହେଲାବେଳେ ବାପା ରିକ୍ସାଟାଣି ସଂଘର୍ଷ କରୁଛନ୍ତି ମୁଠେ ଦାନା ଓ ଖଣ୍ଡେ କନା ପାଇଁ ଦେଖି ସେ ଭାଙ୍ଗି ପଡିଥିଲା. ଜୁଳିର ସବୁ ଚାଲ ସେ ବୁଝିପାରିଥିଲା. ବାପାଙ୍କୁ ଦେଖି ଏ ପାଗଳଙ୍କୁ କୋଉଠୁ ପାଇଲ କହୁଥିଲା ଜୁଲି ତ ବାପାଙ୍କ ଗୋଡ଼ରୁ ଚପଲ କାଢି ସୁବ୍ରତ କହୁଥିଲା ମୋ ବାପାଙ୍କ ଏହି ଫଟା ଚପଲ କହୁଛି ସବୁ ସତ୍ୟ. ଏତେ ଟଙ୍କା ତାଙ୍କ ପାଇଁ ପଠାଉଥିଲି କଣ ସେ ସେଇ ପୁରୁଣା ଚପଲକୁ ସିଲେଇ କରି ପୁଣି ରିକ୍ସା ଟାଣି ପାଗଳର ପରିଚୟ ଦେବାକୁ?ଜାଣିଛ ଏଇ ଚପଲ ହିଁ ମତେ ମଣିଷ କରିଛି. ସ୍ନେହ ଦେଇ ବାଟଚାଲିବା ଯେତିକି ଶିଖେଇଛି ଶାସନ କରି ପାଠ ପଢି କର୍ତ୍ତବ୍ୟ କର୍ମ ଓ ଦାଇତ୍ୱ ମଧ୍ୟ ଶିଖେଇଛି. ଆଜି ଯିଏ ମୋ ବାପାଙ୍କୁ ପାଗଳ ସଜେଇଛି ଏଇ ଚପଲ ତାର ବଦମାସି ଛଡ଼େଇବାକୁ ପ୍ରସ୍ତୁତ କହି ସୁବ୍ରତ ଆଗେଇ ଯାଉଥିଲା ତ ଜୁଲି ସବୁ ସତ ମାନି ଅପରାଧ ସ୍ୱୀକାର କଲାବେଳେ ବାପା କହୁଥିଲେ ଆରେ ପରୋକ୍ଷରେ ବୋହୂ ମୋର ମତେ ମ୍ୟାଜିକ ବୋତଲ ଧରେଇଦେଇଛି. ସେଇ ମ୍ୟାଜିକ ବଳରେ ଏ ବୟସରେ ରିକ୍ସା ଟାଣି ମୁଁ ସୁସ୍ଥ ଅଛି, ନିରୋଗ ଅଛି, ମୋ ବୋହୂ ମତେ ସମର୍ଥ ରହିବା ସହ ନିଜ କାମ ନିଜେ କରିବା ଉଚିତ ବୋଲି ତୋ ମାଆ ପରି ମତେ ଶିକ୍ଷା ଦେଇଛି. ବସି ଖାଇଲେ ନଈ ବାଲି ସରେ ତେଣୁ ମୋ ମନରେ ସାହାସ ଓ ଦମ୍ଭ ତଥା ଆତ୍ମନିର୍ଭରଶୀଳତା ଆଣି ମୋ ବୋହୂ ମୋ ଝିଅ ହୋଇଯାଇଛି କହି ସୁବ୍ରତ ହାତରୁ ଚପଲ ଛଡେଇ ଆଣିଲା ବେଳେ ବୋହୂ କହୁଥିଲା ମତେ କ୍ଷମା କରିଦିଅନ୍ତୁ ବାପା. ପୁଅ ବୋହୁଙ୍କୁ ଦୁଇ ବାହୁରେ ଧରି ବାପା ଜଗୁ କହୁଥିଲେ କି ମାୟା ମୋହ ଲଗେଇଛୁରେ କାଳିଆ. ସମ୍ପର୍କ ଡୋରି ମଜଭୂତ କରି ତୁ ଯେମିତି ମାଉସୀମାଆ ହାତର ପୋଡ଼ପିଠା ଖାଇବାକୁ ଯାଉଛୁ ଗୁଣ୍ଡିଚାମନ୍ଦିର ମତେ ମଧ୍ୟ ମୋ ସଂସାର ଫେରାଇ ଦେଇ ସଂସାରରଥି ହୋଇ ସଂସାର ରଥ ଟାଣିବାର ଦଉଡି ଧରାଇ ଦେଇଛୁ. ହେ ପ୍ରଭୁ ସବୁ ତୁମରି ଲୀଳା ହେ ଚକାଡୋଳା କହି ଜଗୁ ସହ ପୁଅ ସୁବ୍ରତ ଓ ବୋହୂ ଜୁଲି ପ୍ରଣାମ କରୁଥିଲେ ଜଗା କାଳିଆଙ୍କୁ. ଏଥର ସୁବ୍ରତ ସାଙ୍ଗରେ ନେଇ ଯାଇଥିଲା ବାପା ଓ ସ୍ତ୍ରୀ ଜୁଲିକୁ. ଦିଲ୍ଲୀ ସହରରେ ବାପା ଜଗୁ ଯେମିତି ଚଳିଲେ ମଧ୍ୟ ସୁବ୍ରତର କଟକଣା ନଥିଲା. ବାପାଙ୍କ ଖୁସି ଅନୁସାରେ ସେ ଚଳନ୍ତୁ ଓ ଜୀବନରେ ଟିକେ ସୁଖ ପାଆନ୍ତୁ ବୋଲି ଭାବୁଥିଲା ସୁବ୍ରତ. ଜୁଲି ମଧ୍ୟ ଶଶୁରବାପାଙ୍କର ଖୁବ ସେବା ଯତ୍ନ କରୁଥିଲା ଏଣିକି କାରଣ ସୁବ୍ରତ ସବୁବେଳେ କହେ ମୋ ବାପାଙ୍କ ପାଇଁ ମୁଁ ଓ ମୋ ପାଇଁ ତୁମେ ଆସିଛ ଏ ଘରକୁ. ଜୁଲି ଏ କଥାରେ କିଛି ଖରାପ ନଭାବି ଶଶୁରବାପାଙ୍କର ମନ ଜାଣି ବୁଝି ସେବା କରୁଥାଏ. ବିସ୍ଲେସଣରୁ ଜଣା ପଡିଛି ପଚାଶ ଓ ଷାଠିଏ ଦଶକରେ ଜନ୍ମ ଗ୍ରହଣ କରିଥିବା ସମସ୍ତ ଲୋକ ଖଡ଼ି ସିଲଟରେ ପାଠ ପଢା ଆରମ୍ଭ କରିବା ଠାରୁ ଆଜି ସ୍ମାର୍ଟଫୋନରେ ସକ୍ରିୟ ଅଛନ୍ତି କିନ୍ତୁ ଜଗୁ ଏସବୁଥିରୁ ବ୍ୟତିକ୍ରମ ଥିଲେ. ସେ ଶ୍ରମ ଓ ଭାଗ୍ୟ ସହ ଭାଗ୍ୟ ନିୟନ୍ତାଙ୍କ ମ୍ୟାଜିକ ଉପରେ ଖୁବ ବିଶ୍ୱାସ କରୁଥିଲେ. କାହାକୁ କେତେବେଳେ କଣ ଦିଅନ୍ତି ଚକାଡୋଳା ସବୁ ସେ ଜାଣନ୍ତି. ତାଙ୍କ ଭାଗ୍ୟରେ ଏତେ ସବୁ ସୁଖ ସେହି ଜଗନ୍ନାଥ ଲେଖିଥିଲେ ଭାବି ସେ ସ୍ତ୍ରୀଙ୍କ ଭାଗ୍ୟରେ ଏସବୁ ସୁଖ ନାହିଁ ଭାବି ଯେତିକି ଦୁଃଖୀ ହୁଅନ୍ତି ପ୍ରତିଦିନ ଦିଲ୍ଲୀରେ ଥିବା ଜଗନ୍ନାଥ ମନ୍ଦିରକୁ ଯାଇ ସେତିକି ଭାବ ବିହ୍ଵଳ ହୁଅନ୍ତି. ସେଠିକାର ଶୃଙ୍ଖଳା ଓ ଏକତା ଦେଖି ବିଭୋର ହେଉଥିଲା ବେଳେ ଜଗୁ ସେଦିନ ବ୍ୟାଗରେ ଭରି ନେଇଥିବା ବାଲିରେ ରଙ୍ଗ ଦେଇ ଖୁବ ସୁନ୍ଦର ଭାବେ ବଳଭଦ୍ରଙ୍କୁ ଦର୍ପଦଳନ ରଥରେ ଜଗନ୍ନାଥଙ୍କୁ ନନ୍ଦିଘୋଷ ରଥରେ ଓ ସୁଭଦ୍ରାମାଆଙ୍କୁ ଦେବୀଦଳନ ରଥ ବସାଇ ବାଲିରଥ କରି ଚାଲିଥିଲେ ତ ତାଙ୍କ ପଛପଟେ ଅଜସ୍ର ଶ୍ରଦ୍ଧାଳୁ ଭକ୍ତ ସମବେତ ହୋଇ ଜୟ ଜଗନ୍ନାଥ କି ଜୟ ଓ ଜୟ ଜଗନ୍ନାଥ ଦେଶର ଶିଳ୍ପୀଙ୍କୁ ଜୟ କହି ଆପଣଙ୍କ ହାତରେ ମ୍ୟାଜିକ ଅଛି କହୁଥିଲେ ତ ଜଗୁ କହୁଥିଲେ ଜଗନ୍ନାଥଙ୍କ କରୁଣାରୁ ମୁଁ ସବୁ ପାଇଛି ଆଜ୍ଞା.ତାଙ୍କ ଷୋଳ କଳାରୁ କଣିକାଏ ପାଇବାକୁ ଆମେ ସମସ୍ତେ ଏ ଜୀଵନକାଳ ସ୍ରୋତରେ ଭାଷି ଯାଉଛେ ସମୟ ସୁଅ ମୁଁହରେ ପତର ପରି. ସମସ୍ତେ କହୁଥିଲେ ରଖେ ହରି ତ କେ ପାରିବ ମାରି. ଜୟ ଜଗନ୍ନାଥ ଧ୍ୱନିର ମ୍ୟାଜିକରେ ଭକ୍ତମାନେ ହରିବୋଲ ହୁଳହୁଳି ଦେଇ ଜଗନ୍ନାଥ ଦେଶ କି ଜୟ ଜଗନ୍ନାଥ କି ଜୟ କହୁଥିଲେ ତ ଜଗୁ ବିଭୋର ହୋଇଯାଇଥିଲେ ଭକ୍ତିରସରେ. ବାକି ଜୀଵନ ତାଙ୍କର ଏଣିକି ଜଗନ୍ନାଥଙ୍କ ଭକ୍ତିରେ ବିତୁଥିଲା ବେଳେ ବାହୁଡ଼ାରେ ବାହୁଡ଼ି ଯାଇଥିଲେ ଜଗୁ ତ ପୁଅ ବୋହୂ ଭୂମି ସାଉଁଟି କାନ୍ଦୁଥିଲେ ଯେମିତି ମ୍ୟାଜିକ ବୋତଳରୁ ବର୍ଷା ବାରି ଝରି ପଡୁଥିଲା ଧରାକୁ କୃଷି ଉପଯୋଗୀ କରି.
ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ
ପୁରୀ

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ