ଏନ୍ଏସି ହାଇସ୍କୁଲର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌରାଞ୍ଚଳ ସରକାରୀ ଏନ୍ ଏ ସି ହାଇସ୍କୁଲର ବାର୍ଷିକ ଉତ୍ସବ ତଥା ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଶୁକ୍ରବାର ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ରଜନୀ କାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୌରାଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ସ୍କୁଲ ଆଲୁମିନ ଆସୋସିଏସନ୍ ସଭାପତି ଦ୍ବିତୀକୃଷ୍ଣ ପଣ୍ଡା ଏବଂ ସମ୍ମାନିତ ଅତିଥି ଭାବେ ପରିଚାଳନା କମିଟି ସଭାପତି ସନ୍ତୋଷ କୁମାର ବେହେରା, ସମାଜସେବୀ ପର୍ଶୁରାମ ସାହୁ ମଞ୍ଚାସିନ ଥିଲେ। ସରକାରୀ ସ୍କୁଲ ଗୁଡ଼ିକ ରେ ବିବିଧ ଭିତ୍ତିଭୂମିର ସୁବିଧା ପରେ ଛାତ୍ରଛାତ୍ରୀମାନେ ଏବେ ବିଭିନ୍ନ ସ୍ତରରେ ଉଚ୍ଚ କୋଟୀର ପ୍ରଦର୍ଶନ କରୁଥିବା ଅତିଥିମାନେ କହିଥିଲେ । ହିଞ୍ଜିଳିକାଟୁ ଅଞ୍ଚଳରେ ଏହି ସ୍କୁଲରେ ଶିକ୍ଷା ପ୍ରଦାନ ସବୁ ବେଳେ ପ୍ରଶଂସନୀୟ ରହିଛି ବୋଲି ବକ୍ତା ମାନେ କହିଥିଲେ। ସ୍କୁଲରେ ଅଧିକ ସଂଖ୍ୟାରେ ଶିକ୍ଷକ ନିଯୁକ୍ତି, ଖେଳ ପଡିଆ ଓ ଅନ୍ୟାନ୍ୟ ଆବଶ୍ୟକତା ସୁବିଧା ଯୋଗାଇ ଦେବା ନିମନ୍ତେ ସରକାରଙ୍କୁ ଅନୁରୋଧ କରାଯାଇଛି । ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାରେ ସଫଳ ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ପରିଚାଳନା କମିଟିର ବହୁ ସଦସ୍ୟ, ଅବିଭାବକ, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷକ ସନ୍ତୋଷ କୁମାର ପଣ୍ଡା ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।