ଏବେ ବି କ୍ୟାଲେଣ୍ଡର ଓ ପାଞ୍ଜି ର ଚାହିଦା ରହିଛି

ନିମାପଡ଼ା,( ସନ୍ତୋଷ କୁମାର ଦାଶ): ରାତି ପାହିଲେ ନୂଆ ବର୍ଷ। ସମସ୍ତ ଙ୍କ ର ଲୋଡା ହେବ କ୍ୟାଲେଣ୍ଡର ଆଉ ପାଞ୍ଜି ।ବିଭିନ୍ନ ଦେବ ଦେବୀଙ୍କ ରଙ୍ଗୀନ ଆକର୍ଷଣୀୟ ଚିତ୍ର ସହ ପ୍ରଚ୍ଛଦ ପୃଷ୍ଟା ,ଭଳିକି ଭଳି ଡିଜାଇନ୍ ଓ ସାଇଜ୍‌, ବିଭିନ୍ନ ସଂସ୍ଥାର ପଞ୍ଜିକା ଓ କ୍ୟାଲେଣ୍ଡର ଏବେ ବଜାର ରେ ବିକ୍ରି ହେଉଛି।ତାରିଖ ସାଙ୍ଗକୁ କ୍ୟାଲେଣ୍ଡରେ ମିଳୁଛି ବିଭିନ୍ନ ତଥ୍ୟ । କେଉଁଥିରେ ଟ୍ରେନ ଚଳାଚଳ ସମୟ ତ ଅନ୍ୟ କେଉଁଠିରେ ରାଶିଫଳ, ଗ୍ରହ ନିବାରଣ ଉପାୟ, ବାସ୍ତୁ ଶାସ୍ତ୍ର ଟିପ୍‌ସ୍ ସାଙ୍ଗକୁ ସୂକ୍ଷ୍ମ ପଞ୍ଜିକା ଟିଏ ଆପଣଙ୍କ ହାତରେ ରହିବ । କ୍ୟାଲେଣ୍ଡର ପୃଷ୍ଟା ଓଲଟାଇଲେ ଗ୍ରହ ନକ୍ଷତ୍ରର ତଥ୍ୟ, ଦିନରୁ ଆରମ୍ଭ କରି ବର୍ଷର ଶୁଭକାଳ ସାଙ୍ଗକୁ ବିବାହ, ବ୍ରତ, ଗ୍ରହପ୍ରତିଷ୍ଟାର ଯୋଗ (ଶୁଭ ଦିବସ) ଜାଣି ହେବ । କେଉଁ ଇଂରାଜୀ ତାରିଖ ଓ ବାରରେ କେଉଁ ତିଥି ପଡୁଛି ତାହା ଜାଣି ପାରିବେ ଆପଣ । ଏ ହେଉଛି କ୍ୟାଲେଣ୍ଡର ବେପାର । ଆଜିକାର ଅନଲାଇନ, ଅତ୍ୟାଧୁନିକ ଯୁଗରେ ମଧ୍ୟ କ୍ୟାଲେଣ୍ଡର ଓ ପଞ୍ଜିକା ଭଳି ବହୁ ମୁଖୀ ଉପକାରୀ ଜିନିଷଟିଏ ତାର ଚାହିଦା ଅତ୍ୟୁଟ ରଖିଛି । ଆଉ ଏବେ ମସିହା ୨୦୨୪ ଶେଷ ହୋଇ ୨୦୨୫ ମସିହା ଆସିଥିବା ବେଳେ ନୂଆ ବର୍ଷ ଆରମ୍ଭ ପୂର୍ବରୁ ପୁରୀ ଜିଲ୍ଲା ର ନିମାପଡ଼ା,ଚାରିଛକ, ନୟାହାଟ, ଅସ୍ତରଙ୍ଗ, କାକଟପୁର ସହର ତଥା ଏହାର ଆଖପାଖ ଅଞ୍ଚଳରେ ଜୋରଧରିଛି କ୍ୟାଲେଣ୍ଡର ଓ ପଞ୍ଜିକା ବେପାର । କୋଡିଏ ଟଙ୍କାରୁ ଆରମ୍ଭ କରି ୧୫୦ଟଙ୍କା ଦରରେ ଅସ୍ଥାୟୀ ଫୁଟଫାଥ୍ ଦୋକାନଠାରୁ ଆରମ୍ଭ କରି ବହି ଦୋକାନ ଗୁଡିକରେ କ୍ୟାଲେଣ୍ଡର ଓ ପଞ୍ଜିକା ବିକ୍ରୀ ଦିନକୁଦିନ ଜୋର ଧରୁଥିବା ଲକ୍ଷ୍ୟ କରାଯାଇଛି । ଡିସେମ୍ବର ମାସରେ ସବୁଠାରୁ ଅଧିକ କ୍ୟାଲେଣ୍ଡର ଓ ପଞ୍ଜିକା ବିକ୍ରୀ ହୋଇଥିବାବେଳେ ପ୍ରାୟତଃ ଫେବୃଆରୀ ମାସ ପର୍ଯ୍ୟନ୍ତ ଏସବୁ ବିକ୍ରୀ ହୋଇଥାଏ ବୋଲି ପୁସ୍ତକ ଦୋକାନୀ ମାନେ କହିଛନ୍ତି। ଆଜିକାର ସମୟରେ ସାଧାରଣ ଜନତା ଗ୍ରହ ନକ୍ଷତ୍ର, ଶୁଭ କାଳ, ଶୁଭ ଲଗ୍ନ, ପୂଜା ପଦ୍ଧତି ସମ୍ପର୍କରେ ଜାଣିବାକୁ କ୍ୟାଲେଣ୍ଡର ଓ ପଞ୍ଜିକା କିଣୁଥିବା ବେଳେ ସମୟ ଯେତେ ବଦଳିଲେ ମଧ୍ୟ କ୍ୟାଲେଣ୍ଡର ଆଉ ପଞ୍ଜିକା ର ଚାହିଦା ଅତୁଟ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ