ଏଲ୍ଇଡି ଲାଇଟ୍ ପ୍ରତି ବଢୁଛି ଆକର୍ଷଣ:ବୃତ୍ତି ହରାଉଛନ୍ତି ମୃତ୍ତିକା କାରିଗର
ଆସିକା, (ଯୁଗାବ୍ଦ ନ୍ୟୁଜ):ଆଉମାତ୍ର ପାଂଚଦିନ ପରେ ଆଲୋକର ପର୍ବ ଦୀପାବଳି ପାଳନ ହେବ । ଆନନ୍ଦ ଓ ଆଲୋକର ପର୍ବ ଦୀପାବଳି ପାଇଁ ଚଳଚଞ୍ଚଳ ହୋଇ ଉଛିଠି ଗାଁଠୁ ସହର ମାତ୍ର ଦୀପାବଳିର ମହତ୍ତ୍ୱ ବହନ କରୁଥିବା ମାଟିଦୀପ ପ୍ରତି କ୍ରମଶଃ ଲୋକଙ୍କ ଆଗ୍ରହ ଦିନକୁ ଦିନ କମି ଆସୁଥିବା ଯୋଗୁଁ ବୃଦ୍ଧିଜୀବୀ ମହଲରେ ଗଭୀର ଉଦ୍ବେଗ୍ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । କିମ୍ବଦନ୍ତୀ ଅନୁସାରେ ତ୍ରେତୟା ଯୁଗରେ ପ୍ରଭୂ ରାମଚନ୍ଦ୍ର ଲଙ୍କାର ପ୍ରତାପୀ ଅସୁର ରାଜା ରାବଣକୁ ବଦ୍ଧ କରିବା ପରେ ପତ୍ନୀ ସୀତା ଓ ଅନୁଜ ଲକ୍ଷ୍ମଣଙ୍କ ସହ ଫେରିଥିଲେ ପିତୃରାଜ୍ୟ ଅଯୋଧ୍ୟାକୁ । ପ୍ରଭୂଙ୍କର ଆଗମନରେ ସମଗ୍ର ଅଯୋଧ୍ୟାବାସୀ ଉତ୍ସବ ମନାଇବା ସହ ନିଜନିଜ ଗୃହ ସମ୍ମୁଖରେ ଦୀପ ପ୍ରଜ୍ୱଳନ କରି ପ୍ରଭୂ ରାମଚନ୍ଦ୍ରଙ୍କୁ ସ୍ୱାଗତ କରିଥିଲେ । ବାଣ ଓ ରୋଷଣୀରେ ସମଗ୍ର ଅଯୋଧ୍ୟା କମ୍ପି ଉଠିଥିଲା । କାହିଁ କେଉଁ ଆବାହମାନ କାଳରୁ ଏହି ପରମ୍ପରା ପାଳନ କରାଯାଇ ଆସୁଛି । ଏହି ଦୀପାବଳୀ ପର୍ବର ଦର୍ଶନ ଅନୁସାରେ ଅଜ୍ଞାନ ରୂପକ ଅନ୍ଧକାରରୁ ମୁକ୍ତି ପାଇଁ ଜ୍ଞାନର ଆଲୋକ ଯେପରି ଏକାନ୍ତ ଆବଶ୍ୟକ ହୋଇଥାଏ, ଅସତ୍ୟ ଉପରେ ସତ୍ୟର ବିଜୟ ରୂପକ ଦୀପାବଳିକୁ ପାଳନ କରିବାର ପରମ୍ପରା ସମଗ୍ର ବିଶ୍ୱ ପାଇଁ ଉଦାହରଣ ହୋଇଛି । ଆଉ କେତେକ ସଂସ୍କୃତିବିତ୍ଙ୍କ ମତରେ ଦୁଷ୍ଟ ତଥା ଭ୍ରଷ୍ଟାଚାରୀ ରାବଣକୁ ମାରି ଶାନ୍ତି ପ୍ରତିଷ୍ଠାର ପ୍ରତୀକ ସ୍ୱରୂପ ପ୍ରଥମେ ଲଙ୍କାରେ ହିଁ ଦୀପାବଳୀ ପାଳନ କରାଯାଇଥିଲା । ତେବେ ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବରେ ଭାରତୀୟ ସଂସ୍କୃତିର ଏହି ମହାନ୍ ପରମ୍ପରା କ୍ରମଶଃ ଦିନକୁ ଦିନ ଅବକ୍ଷୟ ହେବାରେ ଲାଗିଛି । ଆମ ସଭ୍ୟ ସମାଜର କେତେକ ହାତ ଗଣତି ଲୋକ ଦୀପାବଳୀ ତିଥିରେ ସଂପ୍ରତି ମାଟିଦୀପ ବଦଳରେ ଚିନ୍ ଦେଶରେ ପ୍ରସ୍ତୁତ ଶସ୍ତା ଏଲ୍ଇଡି ଲାଇଟରେ ଲାଗୁଥିବା ପ୍ଳାଷ୍ଟିକ୍ ଦୀପ ଲଗାଉଥିବା ଦେଖିବାକୁ ମିଳୁଛି । ପ୍ରକୃତରେ ଏହି ଏଲ୍ଇଡି ଜ୍ଞାନର ଆଲୋକ ଦେଖାଉଛି କିମ୍ବା ଭାରତୀୟ ପରମ୍ପରା ଓ ସଂସ୍କୃତିକୁ ନଷ୍ଟ କରୁଛି ସେତିକି କାହାର ନଜର ନାହିଁ । ଏମିତି ଏକ ସମୟ ଆସିବ ଦୀପାବଳୀକୁ ଯେତେବେଳେ କେବଳ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ପାଳନ କରାଯିବ ବୋଲି ଏବେଠାରୁ ସଚେତନ ନାଗରିକ ମାନେ ଆଶଙ୍କା ପ୍ରକାଶ କଲେଣି । ମୃତ୍ତିକା କାରିଗର ମାନଙ୍କ ଦ୍ୱାରା ପ୍ରସ୍ତୁତ ମାଟିଦୀପରୁ ମୁଁହ ଫେରାଇ ଚାଇନା ଏଲ୍ଇଡି ଲାଇଟ୍କୁ କେତେକ ଲୋକ ଖୁସିର ସହିତ କିଣୁଥିବା ଦେଖିବାକୁ ମିଳୁଛି । ଏହାଦ୍ୱାରା ମୃତ୍ତିକା କାରିଗର ମାନଙ୍କ ଉତ୍ତରପିଢିଙ୍କ କୁଳବୃତ୍ତି ପ୍ରତି ବିମୁଖତା ଦେଖାଦେଲାଣି । ଆଗାମୀ ଦିନରେ ମାଟିଦୀପ ହୁଏତ ବଜାରରେ ଉପଲବ୍ଧ ହୋଇନପାରେ ବୋଲି ଆଶଙ୍କା ସୃଷ୍ଟି ହେଉଛି । ପୂର୍ବରୁ ବେଶ୍ ଜାକଜକମରେ ପାଳିତ ହେଉଥିବା ଓଡିଶା ତଥା ଭାରତୀୟ ସଂସ୍କୃତିରେ ବହୁପର୍ବପର୍ବାଣି ଏବେ କେବଳ ସ୍ମୁତି ହୋଇ ରହିଯାଇଥିବା ବେଳେ ଆଲୋକର ପର୍ବ ଦୀପାବଳିରେ ଦିନେ ଉତ୍ତରପିଢିଙ୍କ ପାଇଁ ସ୍ମୃତି ହୋଇ ରହିଯିବ ତାହା କିଏ କହିବ ବୋଲି ଆଲୋଚିତ ହେଉଛି ।