ଏସ. ଛଚିନାରୁ ବିଳମ୍ବିତ ରାତିରେ କବାଟ ଭାଙ୍ଗି ସୁନା, ରୁପା ଟଙ୍କା ସମେତ ଆସବାବପତ୍ର ଚୋରୀ
କୋଦଳା,(ବାପୁନି କୁମାର ମାଲୁ):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବେଗୁନିଆପଡା ଥାନା ସ୍ଥିତ ଏସ. ଛଚିନାରେ ରବିବାର ବିଳମ୍ବିତ ରାତିରେ କବାଟ ଭାଙ୍ଗି ଆଲମାରୀରୁ ସୁନା ରୁପା ଟଙ୍କା ସହିତ ଆସବାବପତ୍ର ଚୋରୀ ହୋଇଥିବା ଅଭିଯୋଗ ଆସିଛି । ରାଧାକୃଷ୍ଣ ହାଇ ସ୍କୁଲର ଶିକ୍ଷକ ତଥା ଏହି ଗ୍ରାମର ନିରଞ୍ଜନ ପଣ୍ଡା ପରିବାର ସହିତ ମିଶି ନିଜ ଦାଣ୍ଡ ଘରେ ସୋଇଥିବା ବେଳେ ବିଳମ୍ବିତ ରାତି ରେ ଦୁର୍ବୁର୍ତ୍ତ ମାନେ ଘର ବାରି ପଟୁ ଆସି କବାଟ ଖୋଲି ଘର ଭିତରକୁ ପଶିଥିଲେ | ଘର ଭିତରେ ଥିବା ଗଡ଼ରେଜକୁ ଖୋଲି 35 ଗ୍ରାମର ସୁନା ଗହଣା, 65 ଗ୍ରାମର ରୁପା ଗହଣା ଓ 49 ହଜାର ଟଙ୍କା ସମେତ ଅନ୍ୟାନ୍ୟ ଆସବାବପତ୍ର ନେଇ ପଳେଇ ଯାଇଥିଲେ ।ଆଲମାରୀରେ ଥିବା ଲୁଗାପଟାକୁ ମଧ୍ୟ ଏଣେତେଣେ ଫିଙ୍ଗି ଦେଇ ବାରି ପଟ ଦେଇ ଦୁର୍ବୁର୍ତ୍ତ ମାନେ ପଳେଇ ଯାଇଥିବା ଅଭିଯୋଗ ହୋଇଛି। ସୂଚନା ପ୍ରକାରେ ଏହି ଗ୍ରାମର ଇନ୍ଦ୍ର ଗୌଡ଼ ଙ୍କ ଏକ ଘରର କବାଟ ଖୋଲି ଚୋରୀ କରିବାକୁ ଉଦ୍ୟମ କରିଥିବା ବେଳେ କୌଣସି ଜିନିଷ ପାଇ ନ ଯିବାରୁ ଚୋର ସେହି ଘରୁ ଚୋରୀ କରିବାରେ ଅସଫଳ ହୋଇଥିଲେ ।ଏହା ପରେ ନିରଞ୍ଜନଙ୍କ ଘରେ ପଶିଥିଲେ।ସେ ଯେତେବେଳେ ବିଞ୍ଚଣାରୁ ଉଠିଥିଲେ ତାଙ୍କ ମୁଣ୍ଡ ବୁଲେଇ ହେବା ସହ ପଡିଯାଇଥିଲେ। ରାତି ପ୍ରାୟ ସାଢେ ତିନି ଟା ବେଳେ ହଠାତ ନିରଞ୍ଜନଙ୍କ ନିଦ ଭାଙ୍ଗିବାରୁ ସେ ସୋଇଥିବା ଘରର ବାଡ଼ି ପଟ କବାଟ ଖୋଲିବାକୁ ଚେଷ୍ଟା କରିଥିଲେ । ହେଲେ ଚୋର ମାନେ ଉକ୍ତ ଘର କବାଟ ବନ୍ଦ କରିଦେଇ ଥିଲେ। ତାପରେ ସେ ଦାଣ୍ଡ ପଟକୁ ଯାଇ ଘର ପାର୍ଶ୍ୱ ରେ ଥିବା ରେସ୍ତାରେ ବାଡ଼ି ପଟ କୁ ଯାଇ ଦେଖିଲା ବେଳକୁ କବାଟ ଖୋଲା ରହିବା ସହ ଜିନିଷ ପତ୍ର ଏଣେତେଣେ ପଡିଛି । ଏହା ପରେ ବେଗୁନିଆପଡା ଥାନାକୁ ଖବର ଦେଇଥିଲେ । ସୋମବାର ସକାଳ 7 ଘଣ୍ଟ ସମୟରେ ପୋଲିସ ପହଂଚି ତଦନ୍ତ ଜାରି ରଖିଛି । ଅନ୍ୟପଟେ ସ୍ଥାନୀୟ ଅଞ୍ଚଳରେ ମାତ୍ରାଧିକ ଜୁଆ ଖେଳ ଚାଲୁଥିବାରୁ ଏଭଳି ଘଟଣା ଘଟୁଥିବା ସାଧାରଣ ଜନତା ପ୍ରକାଶ କରିଛନ୍ତି ।