ଏ ଏସ ଆଇ କାର୍ଯ୍ୟାଳୟ ସମ୍ମୁଖରେ ସୂର୍ଯ୍ୟମନ୍ଦିର ଫଟୋଗ୍ରାଫର ଙ୍କ ଧାରଣା
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):୨୦୨୧ ମସିହାରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଏକ ନିର୍ଦେଶକ୍ରମେ ଏ ଏସ ଆଇ ନିକଟରେ ୫୦୦୦ ଟଙ୍କା ଲେଖାଏଁ ଏକ ସିକ୍ୟୁରିଟ ଟଙ୍କା ଜମା କରି କୋଣାର୍କ ଭଗବତୀ ଫଟୋଗ୍ରାଫର ଆସୋସିଏସନର ୪୫ ଜଣ ଫଟୋଗ୍ରାଫର ସୂର୍ଯ୍ୟମନ୍ଦିର ରେ ଫଟୋ ଉଠାଇ ଗୁଜୁରାଣ ମେଣ୍ଟାଉଥିଲେ । ପୁନଃ ଏ ଏସ ଆଇର ଏକ ଆବେଦନକୁ ବିଚାର କରି ଡିଭିଜନ ବେଞ୍ଚ ମାମଲା ଵିଚାର ପାଇଁ ସିଙ୍ଗଲ ବେଞ୍ଚକୁ ପଠାଇବା ପରେ ଏ ଏସ ଆଇ ଏହି ଫଟୋଗ୍ରାଫରଙ୍କୁ ମନ୍ଦିର ପ୍ରବେଶ ଉପରେ ରୋକ ଲଗାଇବା ଦ୍ୱାରା ଫଟୋଗ୍ରାଫର ଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିବା ଅଭିଯୋଗ କରି ଆଜି ଏ ଆଇ ଟି ସି ୟୁ ସହଯୋଗରେ ଯୋଗ୍ୟତା ନୁହେଁ ଅଭିଜ୍ଞତାକୁ ଆଧାର କରି ଫଟୋଗ୍ରାଫରଙ୍କୁ ସୂର୍ଯ୍ୟମନ୍ଦିର ମଧ୍ୟରେ ଫଟୋଗ୍ରାଫି କରିବା ପାଇଁ ସୁଯୋଗ ଦେବା ଦାବିରେ ଫଟୋଗ୍ରାଫର ମାନେ ଧାରଣା ଦେଇଛନ୍ତି । ଏହି ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ କୁ ତୀବ୍ର କରାଯିବ ବୋଲି ଫଟୋଗ୍ରାଫର ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟ ପକ୍ଷରେ ଏ ଏସ ଆଇ ସ୍ୱୀକୃତ ପ୍ରାପ୍ତ ମାତ୍ର ୧୦ ଜଣ ଫଟୋଗ୍ରାଫର ଙ୍କୁ ଅନୁମତି ଦିଆଯାଇଛି । ନିକଟରେ ଏ ଏସ ଆଇ ର ଆବେଦନ କ୍ରମେ ମାନ୍ୟବର ହାଇକୋର୍ଟ ମନ୍ଦିର ଭିତରକୁ କେବଳ ଏ ଏସ ଆଇ ସ୍ୱୀକୃତ ପ୍ରାପ୍ତ ଫଟୋଗ୍ରାଫରଙ୍କୁ ମନ୍ଦିର ମଧ୍ୟକୁ ଯିବାକୁ ନିର୍ଦେଶ ଦେଉଛନ୍ତି । ଫଳରେ କୋଣାର୍କ ର ବିଭିନ୍ନ ଫଟୋ ଆସୋସିଏସନର ୨୬୧ ଜଣ ଫୋଟୋଗ୍ରାଫର ନିଜର ଜୀବିକା ହରାଇଛନ୍ତି । ଏ ଏସ ଆଇ ତାର ନିଷ୍ପତିର ପୁନର୍ବିଚାର ପାଇଁ ଫୋଟୋଗ୍ରାଫର ମାନେ ଦାବି କରିଛନ୍ତି ।