ଏ ବନ୍ୟା ସେ ବନ୍ୟାମାନଙ୍କ ଅପେକ୍ଷା ବଡ଼ ନୁହେଁ
ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତିରେ,ଏକ ଅଙ୍ଗେଲିଭା ଆଲେଖ୍ୟ
୨୦୦୧ ମସିହା ବନ୍ୟା ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ମିଳିତ ସରକାର। ବିରୋଧୀ ଦଳ ନେତା ଜାନକୀ ବାବୁଙ୍କର ଏମିତି ଗୋଟିଏ ଖବର ପ୍ରାୟ ସବୁ କାଗଜରେ ବାହାରିଥାଏ।ଦୁଇ ଦିନ ପରେ ଜାନକୀ ବାବୁଙ୍କର କଣାସ ଫ୍ଳଡ ଗସ୍ତ ଥିବା ଜାଣି,ଆମେ ଏକାଠି ହେଲୁ।ଖବର ମାରିଥିବା ୫/୭ଟି ଖବର କାଗଜ ଏକାଠି କଲୁ। ଜାନକୀ ବାବୁ ମକରାଘାଟ,ଚୁପୁରିଙ୍ଗିରୁ ବଳଭଦ୍ରପୁର ଗସ୍ତକରି ଫେରି, ଗଙ୍ଗାରୁ ଉତୁରି ମକରା ଛକ ଉପରକୁ ଉଠିବା ମାତ୍ରେ,ଆମେସବୁ ଜାନକୀ ବାବୁଙ୍କୁ ନମସ୍କାର କରି ବାଟ ଓଗାଳି ଠିଆ ହୋଇଗଲୁ। କ’ଣ ହେଲା? ଜାନକୀ ବାବୁ ଆମ ଉଦେଶ୍ୟରେ ପ୍ରଶ୍ନ କଲେ। ଆଜ୍ଞା,ଆପଣ ଜାଣିଛନ୍ତି,ଏ ସରକାରୀ ରିଲିଫ ସମୁଦ୍ରକୁ ଶଙ୍ଖେ। ବେସରକାରୀ ସଂସ୍ଥାଙ୍କ ରିଲିଫ ବନ୍ୟା ଦୁର୍ଗତଙ୍କୁ ସାହାଯ୍ୟ କରୁଥିଲା।ଏବେ ଦୁଇ ଦିନ ହେଲାଣି ବନ୍ଦ ହୋଇଗଲା। କାହିଁକି? ଜାନକୀ ବାବୁ ପ୍ରଶ୍ନ କଲେ। ଆଜ୍ଞା, ଆପଣଙ୍କ ପାଇଁ ବନ୍ଦ ହୋଇଗଲା। କେମିତି? ଆଜ୍ଞା, ମାନନୀୟ ବିରୋଧୀ ଦଳ ନେତା କହିଲେ, ଏ ବନ୍ୟା କିଛି ନୁହେଁ। ଆମେ ଏମିତି କେଉଁଠି କହିଲୁ? ଆଜ୍ଞା, ଖବର କାଗଜରେ। ଖବର କାଗଜରେ ଯାହା ବାହାରେ ସେସବୁ ସତ କି? କିନ୍ତୁ ଆଜ୍ଞା,ଆପଣ ପ୍ରତିବାଦ କରି ନାହାଁନ୍ତି। ତୁମ ପରିଚୟ? ଆଜ୍ଞା, ମୁଁ ଏଇ ପାଖ ଗାଁ ଲୋକ।
ନାଇଁ ନାଇଁ,ତୁମେ ପାଖ ଗାଁ ଲୋକ ନୁହେଁ, ତୁମେ ନିର୍ଦ୍ଧିଷ୍ଟ ରିଜନୈତିକ ଦଳର କାର୍ଯ୍ୟକର୍ତ୍ତା। ମୁଁ ଟିକେ ହସିଦେଇ, ବିଦାୟ ସୂଚକ ହାତଯୋଡି ନମସ୍କାର କଲି। ଠିକ୍ ଏଇ ସମୟରେ କୁନା ଭାଇ , ପୂର୍ବତନ ବିଧାୟକ ପ୍ରସାଦ ହରିଚନ୍ଦନଙ୍କ ସହ କଣ ଟିକେ କଥା କଟାକଟି ଆରମ୍ଭ କରିଥିଲେ। ପ୍ରସାଦ ବାବୁ ଆମେ ଜାନକୀ ବାବୁଙ୍କୁ କରିଥିବା ପ୍ରଶ୍ନକୁ ସ୍ଵିକୃତି ଦେଇଥିବାର ସୂଚନା ଦେଇ କୁନାଭାଇଙ୍କ କଥାକୁ ଟାଳି ଦେବା ମତଲବରେ ଥିଲେ। ଅତି ଲେମ୍ବୁ ଚିପୁଡିଲେ ପିତା, ନ୍ୟାୟରେ ସେ ପ୍ରସଙ୍ଗକୁ ସେଇଠି ସମାପ୍ତି କରିବା ଆବଶ୍ୟକତା ଥିଲା।କୁନା ଭାଇଙ୍କ ଅନିଚ୍ଛା ସତ୍ତ୍ବେ ତାଙ୍କ ହାତଧରି ଆମେ ଗହଳି ଭିତରୁ ବାହାରି ଗଲୁ। ଶରଣକୁଳରୁ ପୁରୀକୁ ସଂଯୋଗ କରୁଥିବା ଆମ ଅଞ୍ଚଳର ଜୀବନ ରେଖା “ନୂଆ ଜଗନ୍ନାଥ ସଡ଼କ” ଜାନକୀ ବାବୁଙ୍କ ଶାସନ ସମୟରେ ପୁନରୁଦ୍ଧାର ହୋଇଥିଲା।ଭିକାରୀ ଜଗଦ୍ଦେବ,ବକୁଳ ଙ୍କ ଠାରୁ ଚକ୍ରଧର ମିଶ୍ର,ଗଡସାହି ପ୍ରଭୃତି ଅଞ୍ଚଳର ଚିନ୍ତାଶୀଳ ବ୍ୟକ୍ତିମାନଙ୍କ ପ୍ରଚେଷ୍ଟାରେ ନୀଳକଣ୍ଠ ରୋଡ଼ ପ୍ରତିଷ୍ଠା ହୋଇଥିଲା। ସେ ସମୟରେ ସରକାରୀ ଅନୁଦାନ ନାମକୁ ମାତ୍ର ଥିଲା। ଯେହେତୁ ଏଇ ସଡକଟି ଜାନକୀ ବାବୁଙ୍କ ଗାଁ ଦେଇ ପୁରୀକୁ ସଂଯୋଗ କରୁଥିଲା, ଏବଂ ପୂର୍ବ ପୁରୁଷମାନେ ଅଭାବ ଅସୁବିଧା ଭିତରେ ମାଗି ଯାଚି ସଡ଼କର ଫାଉଣ୍ଡେସନ ପକାଇ ଥିଲେ,ଗୁପ୍ତଧନର ସନ୍ଧାନ ନ୍ୟାୟରେ ଜାନକୀ ବାବୁ ବହୁତ ଆଗରୁ ସେଥିପ୍ରତି ଦୃଷ୍ଟି ଦେବାରେ ଥିଲା। କିନ୍ତୁ ସେମିତି ହେଲାନି।ଫଳରେ ନବ କଳେବର ପୂର୍ବରୁ ତରବରିଆ ଭାବରେ ସଡ଼କ ଖୋଲି ଦିଆଗଲା। ଠିକ୍ ପରବର୍ତ୍ତୀ ସରକାର ବିଜୁବାବୁଙ୍କ ନେତୃତ୍ୱରେ ଗଠିତ ହୋଇଥିଲା। ଜାନକୀ ବାବୁଙ୍କ ରୋଡ଼ ଭାବି ଟଙ୍କାଟିଏ ଅନୁଦାନ ଦିଆଗଲା ନାହିଁ। ସଡକଟି ପାଞ୍ଚ ବର୍ଷ ଅବହେଳିତ ଅବସ୍ଥାରେ ପଡ଼ିଥିଲା।
ଦଳୀୟ ଅସହିଷ୍ଣୁତା ଏବଂ ଓଡ଼ିଆ କଙ୍କଡ଼ାଙ୍କ ଗୋଡ଼ଟା ନିତୀ ଯୋଗୁଁ ଜାନକୀ ବାବୁଙ୍କୁ କଂଗ୍ରେସ ଅବହେଳା କଲା। ବିରୋଧୀ ଦଳ ଜାନକୀ ବାବୁଙ୍କୁ ଯେତିକି ସମାଲୋଚନା, ବିରୋଧ କରୁଥିଲା, ତା’ଠାରୁ ଅଧିକ ବସନ୍ତ ବାବୁଙ୍କ ଗୋଷ୍ଠୀଙ୍କ ପାଇଁ କେନ୍ଦ୍ରୀୟ କଂଗ୍ରେସ ଜାନକୀଙ୍କ ନେତୃତ୍ୱ ପରିବର୍ତ୍ତନ କରିଥିଲା।ଯାହା ଅଦ୍ୟାବଧି ସଫଳ ହୋଇପାରି ନାହିଁ। ସବୁ ନେଗେଟିଭ,ପଜେଟିଭ ଭିତରେ ଜାନକୀ ବାବୁଙ୍କର ପାଣ୍ଡିତ୍ୟ, ସ୍ଥିତପ୍ରଜ୍ଞ ନେତୃତ୍ୱ ସଦା ସ୍ମରଣ ରହିବ.
ଆଦିକନ୍ଦ ଶ୍ରୀଚନ୍ଦନ ଆବାହକ,
ନିର୍ମଳ ଦୟା ଅଭିଯାନ