ଓଡ଼ିଆ ଅସ୍ମିତାର ଶବ୍ଦ ଯାଦୁଗର ନାଦବ୍ରହ୍ମ ଆୟୋଜିତ ସମ୍ବର୍ଦ୍ଧନା ସଭା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ୱ ଭାରତରେ ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ବହୁ ବିଶିଷ୍ଟ ସାଂସ୍କୃତିକ କାର୍ଯ୍ୟକ୍ରମର ଏକମାତ୍ର ଉପସ୍ଥାପକ ଦମ୍ପତ୍ତି ହିସାବରେ ଖ୍ୟାତି ଅର୍ଜନ କରିଥିବା ବ୍ରହ୍ମପୁରର ହୃଷୀକେଶ ପାଣିଗ୍ରାହୀ ଏବଂ ସୁଦୀପ୍ତା ପାଣିଗ୍ରାହୀଙ୍କ ନାମ ଇଣ୍ଡିଆ ବୁକ୍ ଅଫ ରେକର୍ଡସ୍ ଦ୍ୱାରା ପ୍ରମାଣଭୁକ୍ତ ହୋଇଛି । ମଞ୍ଚ ଉପସ୍ଥାପନା କଳା ନିମନ୍ତେ ପ୍ରମାଣ ପତ୍ର ପାଇବାରେ ଏହି ଦମ୍ପତ୍ତି ହେଉଛନ୍ତି ପ୍ରଥମ ଭାରତୀୟ । ଇଣ୍ଡିଆ ବୁକ୍ ଅଫ ରେକର୍ଡସ୍‌ରେ ସ୍ଥାନ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବା କମ୍ ଗୌରବ କଥା ନୁହେଁ ବୋଲି ଭୁବନେଶ୍ୱରଠାରେ ଏହି ପରିପ୍ରେକ୍ଷୀରେ ଉକ୍ତ ଯୁଗଳବନ୍ଦୀଙ୍କୁ ଓଡ଼ିଶାର ସାଂସ୍କୃତିକ ଅନୁଷ୍ଠାନ ନାଦବ୍ରହ୍ମ ଦ୍ୱାରା ଆୟୋଜିତ ସଭାରେ ସମ୍ବର୍ଦ୍ଧନା ଦେବା ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତି ତଥା କଳାପ୍ରେମୀମାନେ କହିଛନ୍ତି ।ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ହୃଷୀକେଶ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ସାମ୍ବାଦିକତା ଓ ଗଣ ଯୋଗାଯୋଗରେ ପ୍ରଥମ ସ୍ୱର୍ଣ୍ଣ ପଦକ ପାଇ ଭାରତୀୟ ପ୍ରସାରଣ ସେବାରେ ଅଧିକାରୀ ହିସାବରେ କାମ କରିବା ସହ ବହୁ ଜାତୀୟ ଓ ଆନ୍ତର୍ଜାତୀୟ ପୁରସ୍କାର ପାଇଥିବା ବେଳେ, ତାଙ୍କ ଧର୍ମପତ୍ନୀ ସୁଦୀପ୍ତା ମନସ୍ତତ୍ତ୍ୱରେ ବ୍ରହ୍ମପୁର ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଲଗାତର ସ୍ୱର୍ଣ୍ଣପଦକ ପାଇ ଓଡ଼ିଶା ସରକାରଙ୍କ ପ୍ରିଜନ ଏକାଡ଼େମୀର ଉପନିର୍ଦ୍ଦେଶକ ଥିବା ଅବସରରେ ଅନେକ ଜାତୀୟ ପୁରସ୍କାର ପାଇଥିଲେ ଏବଂ ନିକଟରେ ଏହି ପଦବୀରୁ ସ୍ୱେଚ୍ଛାକୃତ ଭାବେ ଅବସର ନେଇଛନ୍ତି । ଏତଦ୍‌ବ୍ୟତୀତ ଭାରତରେ ବିଭିନ୍ନ ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତୀୟ ସାଂସ୍କୃତିକ କାର୍ଯ୍ୟକ୍ରମ କଥା ବିଶ୍ୱରେ ବହୁ ବିିଶିଷ୍ଟ ଓ ଖ୍ୟାତିସମ୍ପନ୍ନ ଗୁରୁ ତଥା କଳାକାର ଏବଂ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଭଳି ବିଶିଷ୍ଟ ବ୍ୟକ୍ତିଙ୍କୁ ନିଜର ସ୍ୱତନ୍ତ୍ର ଶୈଳୀରେ ବିଭିନ୍ନ ମଞ୍ଚରେ ଉପସ୍ଥାପନ କରିବା ସହ ଏହି ଦମ୍ପତ୍ତି ବହୁ ସମ୍ମାନରେ ବିମଣ୍ଡିତ ହୋଇଛନ୍ତି ।
ଏହି ଯୁଗଳବନ୍ଦୀଙ୍କର ‘ଭାରତର ସର୍ବାଧିକ ବର୍ଷ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥାପନା କରୁଥିବା ଦମ୍ପତ୍ତି’ ରେକର୍ଡ଼ ଧାରଣ କରିଥିବା ବିଷୟ, ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ସ୍ଥାନିତ ହୋଇଛି । ମଞ୍ଚ ଉପରେ ସ୍ୱତନ୍ତ୍ର ସାଙ୍ଗୀତିକ ଶୈଳୀରେ ଉପସ୍ଥାପନା କରିବାରେ ଏହି ଯୁଗଳବନ୍ଦୀଙ୍କ ଏକ ଅନନ୍ୟ ପରିଚୟ ରହିଛି । ଓଡ଼ିଶା ତଥା ଭାରତୀୟ ସଂସ୍କୃତି ଉପରେ ଦୀର୍ଘବର୍ଷ ଧରି ସାଧନା ଓ ଗବେଷଣାରେ ଲିପ୍ତ ଏହି ଦମ୍ପତ୍ତିଙ୍କ ସୁନ୍ଦର ଉପଲବ୍ôଧ ପାଇଁ ବିଭିନ୍ନ ମହଲରେ ଆନନ୍ଦ ଖେଳିବା ସହ ଭବିଷ୍ୟତରେ ଏହି ଦମ୍ପତ୍ତି ଓଡ଼ିଶା ପାଇଁ ଆହୁରି ଗୌରବ ଆଣି ଦିଅନ୍ତୁ ବୋଲି ସଂସ୍କୃତିପ୍ରେମୀଙ୍କ ମହଲରେ ଚର୍ଚ୍ଚା ହେଉଛି ।ଭୁବନେଶ୍ୱରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ନାଦବ୍ରହ୍ମ ଦ୍ୱାରା ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସ୍ୱାମୀ ଚିଦାନନ୍ଦ, ବିଶ୍ୱ ଶାନ୍ତି ଫାଉଣ୍ଡେସନର ଅଧ୍ୟକ୍ଷ ସ୍ୱାମୀ ବ୍ରହ୍ମନିଷ୍ଠାନନ୍ଦ ସରସ୍ୱତୀ ଯୋଗଦେଇ ଜଗନ୍ନାଥ ତତ୍ତ୍ୱ ଓ ଉପସ୍ଥାପକ ଦମ୍ପତ୍ତିଙ୍କ ବିଷୟରେ କହିଥିବା ବେଳେ ବିଶିଷ୍ଟ ଅତିଥି ରୂପେ ଦିଲ୍ଲୀର ଆନ୍ତର୍ଜାତୀୟ ବୋଇତ ବନ୍ଦାଣ ଉତ୍ସବ ମୁଖ୍ୟ ଗୋବର୍ଦ୍ଧନ ଧଳ, କୋଣାର୍କ ମହୋତ୍ସବ କାର୍ଯ୍ୟକାରୀ ସଭାପତି ଡ. ରମଣୀ ରଞ୍ଜନ ଜେନା ଯୋଗ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ନାଦବ୍ରହ୍ମର ପ୍ରତିଷ୍ଠାତା ବିଶିଷ୍ଟ ପଖୱାଜ ବାଦକ ଗୁରୁ ଡକ୍ଟର ଜଗନ୍ନାଥ କଅଁର ପରିଚାଳନା କରିଥିବା ବେଳେ ବିଶିଷ୍ଟ କଣ୍ଠଶିଳ୍ପୀ ମହାପାତ୍ର ମିନତୀ ଭଞ୍ଜ ଗୀତଗୋବିନ୍ଦ ପରିବେଷଣ କରିଥିଲେ । ନାଦବ୍ରହ୍ମ ଅନୁଷ୍ଠାନର ଯୁଗ୍ମ ସମ୍ପାଦକ ପ୍ରଦୀପ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ