ଓଷ୍ଟା ପକ୍ଷରୁ ଦୁଇଦିନିଆ ଜିଲ୍ଲା ସ୍ତରୀୟ ଶିଶୁ ମେଳା ଉଦଘାଟିତ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଓଡିଶା ମାଧ୍ୟମିକ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ଦୁଇଦିନିଆ ଶିଶୁ ମେଳା ଶୁକ୍ରବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ପୁରୀ ଜିଲ୍ଲା ଓଷ୍ଟା ସଭାପତି ବିଜୟ କୁମାର ବରାଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିଶୁ ମେଳାରେ ମୁଖ୍ୟ ଅତିଥି ଭାବେ ପିପିଲି ବିଧାୟକ ଆଶ୍ରିତ କୁମାର ପଟ୍ଟନାୟକ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଏହାର ଶୁଭାରମ୍ଭ କରିଥିଲେ। ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘର ନାର୍ଯ୍ଯ ଦାବି ପ୍ରତି ରାଜ୍ୟ ସରକାର ଯତ୍ନବାନ ଅଛନ୍ତି । ଆଗାମୀ ଦିନରେ ସେମାନଙ୍କ ସମସ୍ତ ଦାବି ପୂରଣ କରାଯିବା ନେଇ ସରକାର ଏବେ ପ୍ରକ୍ରିୟା ଆରମ୍ଭ କରିଥିବା ମତବ୍ୟକ୍ତ କରିଥିଲେ। ଆଜିର ଶିଶୁ କାଲିର ନାଗରିକ। ଶିଶୁ ମେଳା ଆୟୋଜନ ଦ୍ବାରା ଶିଶୁ ମାନଙ୍କ ବୌଦ୍ଧିକ ଓ ମାନସିକ ବିକାଶ ବୃଦ୍ଧି ଦିଗରେ ବିଶେଷ ସହାୟକ ହେବ ବୋଲି ମୁଖ୍ୟ ଅତିଥି ପିପିଲି ବିଧାୟକ ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢ଼ୀ, ପୁରୀ ଜିଲ୍ଲା ମଙ୍ଗଳ ଅଧିକାରୀ ବିକାଶ କୁମାର ମହାନ୍ତି, ଓଷ୍ଟାର ରାଜ୍ୟ ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାସ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଗୋପ ବ୍ଲକ ଉପାଧ୍ୟକ୍ଷ ବନ ରଂଜନ ପଟ୍ଟନାୟକ,ଜଗତସିଂହପୁର ସାଂସଦଙ୍କ ଗୋପ ବ୍ଲକ ପ୍ରତିନିଧି ସୁଶାନ୍ତ କୁମାର ସ୍ବାଇଁ, ଓଷ୍ଟାର ପ୍ରାକ୍ତନ ସଂପାଦକ ବିଭୂଦତ୍ତ ନାୟକ ପ୍ରମୁଖ ଯୋଗ ଦେଇ ଶିଶୁ ମେଳା ମାଧ୍ୟମରେ ଶିଶୁ ମାନଙ୍କ ଅନ୍ତର୍ନିହିତ ଗୁଣାବଳୀ ବିକାଶର ଏକ ବଳିଷ୍ଠ ମାଧ୍ୟମ ବୋଲି ଅଭିହିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପବିତ୍ର ମୋହନ ଦାସ, ପ୍ରଧାନ ଶିକ୍ଷକ ନିହାର ପ୍ରସାଦ ଲେଙ୍କା, ପ୍ରଶନ୍ନ କୁମାର କର ଓ ରାମକୃଷ୍ଣ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ ।