କଟକ ବଡ଼ ମେଡିକାଲକୁ ଜରୁରୀ ମେସିନ ଯୋଗାଣରେ ବିଳମ୍ବ ପାଇଁ ହାଇକୋର୍ଟଙ୍କ ଅସନ୍ତୋଷ
କଟକ, (ଯୁଗାବ୍ଦ ନ୍ୟୁଜ):ଏମଆରଆଇ, ସିଟି ସ୍କାନ ଓ ଅନ୍ୟ ଜରୁରୀ ମେସିନ୍ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ଯେଗାଇବାରେ ବିଳମ୍ବ ପ୍ରସଂଗକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଜଷ୍ଟିସ ସଙ୍ଗମ କୁମାର ସାହୁ ଓ ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ପୂର୍ବ ନିର୍ଦ୍ଦେଶ ପାଳନ କରି ଓଡ଼ିଶା ରାଜ୍ୟ ଔଷଧ ନିଗମ (ଓଏସଏମସିଏଲ) ଏମଡି ଡକ୍ଟର ପୋମା ଟୁଡ଼ୁ ଭର୍ଚୁଆଲ ବ୍ୟବସ୍ଥାରେ ହାଜର ହୋଇଥିଲେ। କେତେକ ମେସିନ ଯୋଗାଣ ପାଇଁ ଡକାଯାଉଥିବା ଟେଣ୍ଡରରେ ଜଣେ କେବଳ ଅଂଶ ଗ୍ରହଣ କରୁଥିବାରୁ ପୁଣି ସାନି ଟେଣ୍ଡର କରାଯାଉଛି। ଦ୍ବିତୀୟ ଥର ଟେଣ୍ଡର ପ୍ରକ୍ରିୟାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ ଏଭଳି ସ୍ଥିତିରେ ଉଚ୍ଚସ୍ତରୀୟ କମିଟି ଆବଶ୍ୟକ ନିଷ୍ପତ୍ତି ଗ୍ରହଣ କରିଥାଏ। ଏହି ପ୍ରକ୍ରିୟା ଭିତରେ ଡାକ୍ତରଖାନାକୁ ଜରୁରୀ ମେସିନ ଯୋଗାଣ ବିଳମ୍ବିତ ହେଉଛି। ଏଥି ସହିତ ଟେଣ୍ଡର ପରେ କମ୍ପାନିକୁ ପ୍ରଦାନ କରାଯାଉଥିବା କ୍ରୟ ନିର୍ଦ୍ଦେଶ (ପର୍ଚେଜ୍ ଅର୍ଡର)ର ତିନି ମାସ ଚାରି ମାସ ପରେ ମଧ୍ୟ ମେସିନ୍ ଯୋଗାଇ ଦିଆଯାଉଛି। ଏଭଳି ବିଳମ୍ବ ପ୍ରସଂଗକୁ ନେଇ ହାଇକୋର୍ଟ ଆଜି ଔଷଧ ନିଗମ ଓ ରାଜ୍ୟ ସରକାରଙ୍କ ନିକଟରୁ ଜବାବ ଲୋଡ଼ିଥିଲେ। ଯଥାଶୀଘ୍ର ଉଚ୍ଚସ୍ତରୀୟ ବୈଠକରେ ଏପରି ପ୍ରସଂଗରେ ନିଷ୍ପତ୍ତି ନେବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ କହିଛନ୍ତି। ଏଥି ସହିତ ଯଥା ଶୀଘ୍ର ଏମଆରଆଇ, ସିଟି ସ୍କାନ, ଇସିଟି ମେସିନ, ଭିଜୁଆଲ ପେରିମିଟର, ଇକୋ ମେସିନ ଏସସିବିକୁ ଉପଲବ୍ଧ କରାଯିବା ଉପରେ ହାଇକୋର୍ଟ ଆଜି ଗୁରୁତ୍ବାରୋପ କରିଥିଲେ। ତାଳଦଣ୍ଡା କେନାଲ ରାସ୍ତାର ଉଭୟ ପାର୍ଶ୍ବରେ ବେଆଇନ ପାର୍କିଂ, ଅବର୍ଜନା ନ ପକାଇବା ପାଇଁ ଲଗାଯାଇଥିବା ଫଳକ ନିକଟରେ ବର୍ଜ୍ୟବସ୍ତୁ ପଡ଼ି ରହିବା, ଛତ୍ରବଜାର ଅର୍ବାନ ହାଟରେ ଅବ୍ୟବସ୍ଥା, ରାସ୍ତା ଉପରେ ବ୍ୟବସାୟ ସଂକ୍ରାନ୍ତରେ ଜାନୁଆରି ୧୫ରେ ‘ସମ୍ବାଦ’ରେ ପ୍ରକାଶିତ ରିପୋର୍ଟ ପ୍ରସଂଗରେ ଆଡଭୋକଟେ କମିଟି ସଦସ୍ୟ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ରିପୋର୍ଟର କପି ହାଇକୋର୍ଟରେ ଦାଖଲ କରାଯାଇଥିଲା। ତାଳଦଣ୍ଡା କେନାଲ ରାସ୍ତାର ଉଭୟ ପାର୍ଶ୍ବରେ କାର୍, ଟ୍ରାକ, ବସ୍ ବେଆଇନ ଭାବେ ପାର୍କିଂ କରାଯାଉଛି। ରାସ୍ତା କଡ଼ରେ ଅଳିଆ ଅବର୍ଜନା ପକାଯାଉଛି। କେତେକ ରାସ୍ତାକଡ଼ରେ ବସି ବ୍ୟବସାୟ କରୁଥିବା ବେଳେ ଲୋକମାନେ ରାସ୍ତା ଉପରେ ଗାଡ଼ି ପାର୍କିଂ କରି ଜିନିଷ କିଣୁଛନ୍ତି। ଏଭଳି ସ୍ଥିତି ଯୋଗୁଁ ତାଳଦଣ୍ଡା କେନାଲ ରାସ୍ତାରେ ଗୁରୁତର ଟ୍ରାଫିକ ସମସ୍ୟା ଦେଖା ଯାଉଛି ବୋଲି ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା। ହାଇକୋର୍ଟ ଏହି ପ୍ରସଂଗରେ ସିଏମସି ଓ କଟକ ଡିସିପିଙ୍କ ନିକଟରୁ ଜବାବ ଲୋଡ଼ିଥିଲେ। ତୁରନ୍ତ ସମସ୍ୟା ସମାଧାନ କରିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସିଏମସି ଓ ଡିସିପିଙ୍କୁ ହାଇକୋର୍ଟ କହିଛନ୍ତି। ରଘୁନାଥଜିଉ ମନ୍ଦିର ନିକଟ ଏକ ସ୍ଥାନକୁ ଡମ୍ପିଂୟାର୍ଡ ଭାବେ ବ୍ୟବହାର କରାଯାଉଥିବା ପ୍ରସଂଗକୁ ନେଇ ହାଇକୋର୍ଟ ଆଜି ସିଏମସି ଉପରେ ବର୍ଷିଥିଲେ। ଏଠାରେ ସିଏମସିର ଏକ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମସିସି) ରହିଥିବା ଶୁଣାଣି ସମୟରେ ଦର୍ଶାଯାଇଥିଲା। ସିଏମସି ଏମସିସି ଯୋଗୁଁ ସ୍ଥାନୀୟ ବାସିନ୍ଦା ନିଜ ଘରେ ରହି ପାରୁ ନାହାନ୍ତି। ଏହି ଏମସିସି କାହିଁକି ସ୍ଥାନାନ୍ତର ହୋଇ ନାହିଁ ବୋଲି ହାଇକୋର୍ଟ ପ୍ରଶ୍ନ କରିଥିଲେ। ଏଥି ସହିତ ଜନବସତି ଅଞ୍ଚଳରେ କିପରି ଭାବେ ଏଭଳି ଏମସିସି ସିଏମସି କରିଛି ବୋଲି ହାଇକୋର୍ଟ ପ୍ରଶ୍ନ କରିଥିଲେ। ସିଏମସି ସିଟି ଇଂଜିନିୟର ଭର୍ଚୁଆଲ ବ୍ୟବସ୍ଥାରେ ହାଜର ହୋଇ ଏମସିସି ସ୍ଥାନାନ୍ତର ପାଇଁ ସମୟ ଲୋଡ଼ିଥିଲେ। ହାଇକୋର୍ଟ କହିଥିଲେ ଯେ ସିଏମସି ଅଧିକାରୀ ଏସସି ରୁମରେ ବସିଥିବା ବେଳେ ଏହି ଅଞ୍ଚଳର ଲୋକମାନେ ଭଲରେ ନିଶ୍ବାସ ନେଇ ପାରୁ ନାହାନ୍ତି। ଏହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଂଗ। ଆସନ୍ତା କାଲିଠାରୁ ଏହି ଏମସିସିରେ ନୂଆ ଅବର୍ଜନା ପକାଯିବ ନାହିଁ। ଯାହା ପୁରୁଣା ଅବର୍ଜନା ରହିଛି ତାହାକୁ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ସିଏମସି ପଦକ୍ଷେପ ଗ୍ରହଣ କରିବ ବୋଲି ହାଇକୋର୍ଟ କହିଛନ୍ତି। ସତୀଚଉରା ନିକଟ ଡମ୍ପିଂୟାର୍ଡ ଯୋଗୁଁ ମଧ୍ୟ ସମାନ ସ୍ଥିତି ଦେଖା ଦେଇଛି ବୋଲି ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ସତୀଚଉରା ପାଖ ଡମ୍ପିଂୟାର୍ଡ ସ୍ଥାନାନ୍ତର ପାଇଁ ଠୋସ ପଦକ୍ଷେପ ଗ୍ରହଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଡଭୋକେଟ କମିଟି ମୁଖ୍ୟ ତଥା ହାଇକୋର୍ଟ ବାର୍ ସଭାପତି ଆଇନଜୀବୀ ବିଜୟ କୁମାର ଦାଶ, ସଦସ୍ୟ ସରୋଜ କୁମାର ପାଢୀ, ବିଶ୍ବଜିତ ନାୟକ, ବିଭୁତି ଭୂଷଣ ଚୌଧୁରୀ, ମହମ୍ମଦ ଆରିଫ ଉଦ୍ଦିନ ଖାନ ମାମଲା ପରିଚାଳନା କରୁଛନ୍ତି।