କବିତା ପୁସ୍ତକ ‘ବିମର୍ଦ୍ଧିତ ସୁରଭି’ ଉନ୍ମୋଚିତ
ବନ୍ତ, (ଚାନ୍ଦିନୀ ମହାନ୍ତି):ଡଃ. ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ଅବସରରେ ବନ୍ତ ବ୍ଲକ ଆଗରପଡାସ୍ଥିତ ମହତାବ ମେମୋରିଆଲ ହଲ ଠାରେ କଳ୍ପନା ସାହିତ୍ୟ ସଂସ୍କୃତି ଓ ସାମାଜିକ ପରିଷଦ ପକ୍ଷରୁ କବିତା ପୁସ୍ତକ ‘ବିମର୍ଦ୍ଧିତ ସୁରଭି’ ଉନ୍ମୋଚିତ ହୋଇଯାଇଛି । ଶିକ୍ଷାବିତ୍ ଶଶଧର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଉଦ୍ଘାଟକ ଭାବେ ସମାଜସେବୀ ତଥା ‘ମନ୍ତବ୍ୟ’ ଖବର କାଗଜର ମୁଖ୍ୟ ସମ୍ପାଦକ ଅଜୟ ନାୟକ ଯୋଗ ଦେଇ ଡଃ ମହତାବ ଆଧୁନିକ ଓଡିଶାର ବିନ୍ଧାଣୀ ଥିଲେ ବୋଲି କହିଥିଲେ । ସେ ଏକାଧାରରେ ବହୁ ଗୁଣର ଅଧିକାରୀ ଥିବା ବେଳେ ତାଙ୍କ ପରି ଜଣେ ମହାନ ବ୍ୟକ୍ତିତ୍ୱଙ୍କୁ ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାର ସମ୍ମାନ ଦେବାକୁ ଯାଉଥିବାର ଅଞ୍ଚଳ ବାସୀ ଭାବେ ଆମେ ଗର୍ବିତ ବୋଲି କହିଥିଲେ । ମୁଖ୍ୟ ଅତିଥି ଭାବେ ବିଡିଓ ପ୍ରଦୀପ କୁମାର ସେଠୀ ଯୋଗ ଦେଇ ମହତାବ ବିରାଟ ବଟ ବୃକ୍ଷ ଥିଲେ ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ଆଗରପଡା କଲେଜର ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପାତ୍ର, ବିଶିଷ୍ଟ ଅତିଥି ଭାବେ ଭଦ୍ରକ ବରିଷ୍ଠ ନାଗରିକ ମହାସଂଘର ସଭାପତି ଲଲାଟେନ୍ଦୁ ମହାନ୍ତି, ଉଚ୍ଚ ନ୍ୟାୟଳୟର ପ୍ରାକ୍ତନ ଅଧିକ୍ଷକ କେଶବ ଚନ୍ଦ୍ର ରାଉତ, ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ, ଅଧ୍ୟାପକ ନରେନ୍ଦ୍ର ନାଥ ନାୟକ, ଅବସରପ୍ରାପ୍ତ ପ୍ରଶାସକ ପଦ୍ମନ କୁମାର ରାୟ ଯୋଗ ଦେଇ ମହତାବଙ୍କ ବହୁମୁଖି ପ୍ରତିଭା ଉପରେ ଆଲୋକପାତ କରିଥିଲେ । ପରିଷଦର ଅବାହକ ଗୋପାଳ ଚନ୍ଦ୍ର ଜେନା ଅତିଥିଙ୍କୁ ମଞ୍ଚ ଆହ୍ୱାନ କରିଥିଲେ । ଏହି ଅବସରରେ ପର୍ଶୁରାମ ପଣ୍ଡାଙ୍କ କବିତା ପୁସ୍ତକ ‘ବିମର୍ଦ୍ଧିତ ସୁରଭି’ ଉନ୍ମୋଚିତ ହୋଇଥିଲା । ଆଇନଜିବୀ ମନୋଜ ରାୟ, କେଶବ ରାଉତ, ସରସ୍ୱତୀ ନାଥ, ଅନୁସୟା ମଲ୍ଲିକ, ମାମି ପାତ୍ର, ସର୍ବେଶ୍ୱର ମହାନ୍ତି, ଶୀତଳ ବେହେରା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ସମ୍ପାଦିକା କବୟିତ୍ରୀ ମନୋଜ ମଞ୍ଜରୀ ଦେଓଙ୍କ ସଂଯୋଜନାରେ ସ୍ୱରଚିତ କବିତା ପାଠ କରାଯାଇଥିଲା ।