କଳାକାର ଦୁର୍ଯ୍ୟୋଧନଙ୍କ ପରଲୋକ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କଳାକାର ଦୁର୍ଯ୍ୟୋଧନ ସ୍ୱାଇଁଙ୍କ ୮୭ବର୍ଷ ବୟସରେ ବାର୍ଦ୍ଧକ୍ୟ ଜନିତ ରୋଗରେ ପରଲୋକ ହୋଇଯାଇଛି । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଳପଡା ଗ୍ରାମରେ ଜନ୍ମିତ ଦୁର୍ଯ୍ୟୋଧନ ଜଣେ ମିଷ୍ଟଭାଷି, ପରୋପକାରୀ ଓ ବନ୍ଧୁବତ୍ସଳ ବ୍ୟକ୍ତି ଭାବରେ ସାଧାରଣରେ ପରିଚିତ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ବିୟୋଗରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି । କଳାକାର ସ୍ୱର୍ଗତ ସ୍ୱାଇଁ ୧୯୭୧ମସିହାରେ କଟକ ବିଧାନସଭା ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ପାଇଁ ଗିତୀକାର ଅକ୍ଷୟ ମହାନ୍ତିଙ୍କ ସହ ଗୀତ ଗାଇ ଥିଲେ ଯାହା ସେତେବେଳେ ସାରା ଓଡିଶାରେ ଚହଳ ସୃଷ୍ଟି କରିଥିଲା । ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଜ୍ୟେଷ୍ଠପୁତ୍ର ମନୋରଞ୍ଜନ ମୁଖାଗ୍ନୀ ଦେଇଥିଲେ ।