କଶ୍ମୀର ଯୁବ ବିନିମୟ କାର୍ଯ୍ୟକ୍ରମ ଉଦ୍‌ଘାଟିତ ବିଭିନ୍ନତାରେ ଏକତା ହିଁ ଭାରତର ଆତ୍ମା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଭାରତ ହେଉଛି ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର । ହିମାଳୟରୁ ଧରି କନ୍ୟାକୁମାରୀ ପର୍ଯ୍ୟନ୍ତ ଏହି ବିଶାଳ ଭୂମିରେ ବହୁ ଧର୍ମ, ସମ୍ପ୍ରଦାୟ, ଭାଷା ଏବଂ ବିଭିନ୍ନ ବର୍ଣ୍ଣର ଲୋକ ବାସ କରନ୍ତି । ଯାହା ଆମ ସଂସ୍କୃତିକୁ ଗାରିମାମୟ କରିବା ସହ ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇପାରିଛି । ବିଭିନ୍ନତା ମଧ୍ୟରେ ଏକତା ହିଁ ଭାରତର ଆତ୍ମା । “ବସୁଧୈବ କୁଟୁମ୍ବକମ୍‌” ମନ୍ତ୍ରକୁ ହୃଦୟରେ ବହନ କରିବାକୁ ହେବ । ଯୁବ ଶକ୍ତି ହେଉଛି ରାଷ୍ଟ୍ରର ଶକ୍ତି । ଯୁବ ବର୍ଗର ମୁକ୍ତ ବିଚାରଧାରା ନୂଆ ସମାଜ ସୃଷ୍ଟି କରିବାରେ ସହାୟକ ହୋଇଥାଏ ବୋଲି ଭୁବନେଶ୍ୱରସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ ଭାରତ ସରକାରଙ୍କ ଯୁବବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନେହେରୁ ଯୁବକେନ୍ଦ୍ର, ଖୋର୍ଦ୍ଧା ଓ ଗୃହ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ମିଳିତ ସହଯୋଗରେ ଆୟୋଜିତ କଶ୍ମୀର ଯୁବ ବିନିମୟ ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇଥିବା ଅତିଥିମାନେ ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିରୂପେ ସି.ଆର.ପି.ଏଫ୍ ଭୁବନେଶ୍ୱର ର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ରୂପେଶ କୁମାର, ସମ୍ମାନୀତ ଅତିଥି ରୂପେ ଏନ୍‌.ଏସ୍‌.ଏସ୍ ଭୁବନେଶ୍ୱରର ଆଞ୍ଚଳିକ ନିର୍ଦ୍ଦେଶକ ଅଜିତ୍ ଖୁସ୍‌ୱାହା, ଭାରତ ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟର ଆଞ୍ଚଳିକ ନିୟୋଜନ ଅଧିକାରୀ ତପନ କୁମାର ରାଉଳ, ନେହେରୁ ଯୁବକେନ୍ଦ୍ର ସଂଗଠନର ସହ ନିର୍ଦ୍ଦେଶକ ଶକ୍ତି ସ୍ୱରୂପ ସିଂ, ଯୁବ ଅଧିକାରୀ ବିପିନ କୁମାର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଯୁବ ବିନିମୟ କାର୍ଯ୍ୟକ୍ରମରେ କଶ୍ମୀର ରାଜ୍ୟରୁ ୧୩୨ ଯୁବକ ଯୁବତୀ ଅଂଶ ଗ୍ରହଣ କରିଛନ୍ତି । ଏହା ୬ଦିନ ଧରି ଚାଲୁ ରହିବ । କାର୍ଯ୍ୟକ୍ରମ ପରିଚାଳନାରେ ଶୁଭେନ୍ଦ୍ରନାଥ ସାହୁ, କୁଳମଣି ମଲ୍ଲିକ ଏବଂ ନେହେରୁ ଯୁବକେନ୍ଦ୍ରର ସ୍ୱେଚ୍ଛାସେବୀମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ