କାର୍ତ୍ତିକର ଶେଷ ସୋମବାର : ଶୈବପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ

ଆସିକା, (ଯୁଗାବ୍ଦ ନ୍ୟୁଜ):ଧର୍ମର ମାସ କାର୍ତ୍ତିକର ଶେଷ ସୋମବାର ଅବସରରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଶୈବପୀଠ ଗୁଡିକରେ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଅଞ୍ଚଳର ପ୍ରସିଦ୍ଧ ଶୈବ ପୀଠରୂପେ ପରିଚିତ ଥିବା ପୁଡୁଗେଶ୍ୱର, ସୁବର୍ଣ୍ଣେଶ୍ୱର, ବାଲୁଙ୍କେଶ୍ୱର, ତ୍ରିବିଦ୍ଧେଶ୍ୱର, ନର୍ମଦେଶ୍ୱର, କପିଳେଶ୍ୱର ତଥା ଏହାର ଆଖପାଖ ଅଞ୍ଚଳର ଶୈବପୀଠ ଗୁଡିକରେ ଶ୍ରଦ୍ଧାଳୁ ଭକ୍ତମାନେ ଦେବଦେବ ମହାଦେବଙ୍କୁ ପୂଜାର୍ଚ୍ଚନା କରିବା ଲାଗି ଭିଡ ଜମାଇଥିଲେ । ଭୋର ସମୟରେ ଶ୍ରଦ୍ଧାଳୁ ମହିଳାମାନେ ପବିତ୍ର ଋଷିକୂଲ୍ୟା ନଦୀରେ କାର୍ତ୍ତିକ ସ୍ନାନସହ ବାଲୁକା ପୂଜାସାରି କୋଟି ଜନ୍ମର ପୁଣ୍ୟ ଅର୍ଜନ କରିବା ଲକ୍ଷ୍ୟରେ ଶିବ ମନ୍ଦିର ଗୁଡିକରେ ଭିଡ ଜମାଇଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ମନ୍ଦିର ଗୁଡିକରେ ଏକ ଆଧ୍ୟ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । କାର୍ତ୍ତିକ ମାସ ହେଉଛି ଭାଗବତ ଆରାଧନାରେ ସମୟ ବିତାଇବାର ମାସ । ସେଥିପାଇଁ ବିଶେଷ କରି ହିନ୍ଦୁ ସମ୍ପ୍ରଦାୟର ମହିଳା ମାନେ ଏବେ ଚଳଚଞ୍ଚଳ । କାର୍ତ୍ତିକ ମାସର ଶେଷ ସୋମବାର ଅବସରରେ ମହିଳା ମାନେ ପ୍ରତ୍ୟୁଷରୁ ଉଠି ସ୍ନାନ ସାରି ମନ୍ଦିର ଖୋଲିବା ମାତ୍ରେ ଦେବ ଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ମହିଳା ମାନେ ସକାଳୁ ସକାଳୁ ଫଳ, ଫୁଲ, ଦୀପ, ଧୁପ ଧରି ପବିତ୍ର ଋଷିକୁଲ୍ୟା ନଦୀରେ ବାଲୁକାପୂଜା ସାରି ମନ୍ଦିରରେ ଦେବଦେବ ମହାଦେବଙ୍କୁ ପୂଜାର୍ଚ୍ଚନା କରିବାକୁ ଭିଡ ଜମାଇଥିଲେ । ଭାଗବତ ଚିନ୍ତା ଆଗରେ ଫିକା ପଡିଯାଇଥିଲା ଅନ୍ୟସବୁ କଥା । ଓଁ ନମଃ ଶିବାୟ ମନ୍ତ୍ର ଧ୍ୱନୀରେ କମ୍ପି ଉଠିଥିଲା ଶୈବପୀଠ ପରିସର । ମନରେ ପ୍ରବଳ ଉତ୍ସାହ ଓ ଭକ୍ତିସହ ପୂଜାର୍ଚ୍ଚନାରେ ନିମଘ୍ନ ରହିଥିଲେ ଶ୍ରଦ୍ଧାଳୁ ଭକ୍ତ । ଶ୍ରଦ୍ଧାଳୁ ଭକ୍ତ ମାନେ ବେଲପତ୍ର, ନଡିଆ, କଦଳୀ, ଫୁଲ, କଞ୍ଚାକ୍ଷୀର ଧରି ଶୈବପୀଠ ମୁହାଁ ହୋଇଥିବା ଦେଖିବାକୁ ମିଳିଥିଲା । ପବିତ୍ର କାର୍ତ୍ତିକ ମାସର ଚତୁର୍ଥ ପାଳି ସୋମବାର ଅବସରରେ ଆସିକା ଏନ୍‍ଏସି ଅଧିନସ୍ଥ ଖମ୍ବେଶ୍ୱରୀ ପାଟଣା ସ୍ଥିତ ଋଷିକୁଲ୍ୟା ନଦୀତଟରେ କେଉଁ ଆବାହମାନ କାଳୁ ପୂଜା ପାଇଆସୁଥିବା ଶ୍ରୀ ଶ୍ରୀ ରାମେଶ୍ୱର ମନ୍ଦିର ପରିସରରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସକ୍ରିୟ ସହଯୋଗରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ ହବିଷାନ୍ନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା ବେଳେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଂଚି ପ୍ରଭୁ ଶ୍ରୀ ରାମେଶ୍ୱରଙ୍କୁ ପୂଜାର୍ଚ୍ଚନ କରି ଆସିକା ଅଞ୍ଚଳବାସୀଙ୍କ ସୁଖ ସମୃଦ୍ଧି କାମନା କରିଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ