କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ):ଧାର୍ମିକ କାର୍ତ୍ତିକ ମାସ ତଥା ପଞ୍ଚୁକର ଶେଷ ଦିବସ ପୂର୍ଣ୍ଣିମା ଅବସରରେ ଆବାଳ ବୃଦ୍ଧ ବନିତା ପ୍ରାତଃହରୁ ସ୍ନାନ ସାରି ବୋଇତ ଭସାଇଥିଲେ । ସ୍ଥାନୀୟ ପୌରାଞ୍ଚଳର ଘୋଡ଼ାହାଡ଼ ନଦୀ ସମେତ ବିଭିନ୍ନ ସାହି ବସ୍ତିରେ ଥିବା ପୁଷ୍କରିଣୀରେ ପବିତ୍ର ସ୍ନାନ ଓ ବୋଇତ ବନ୍ଦାଣ ପରମ୍ପରା ପାଳନ ସାରି ଆବାଳ ବୃଦ୍ଧ ବନିତା ମନ୍ଦିରରେ ଦିଅଁ ଦର୍ଶନ କରିଥିଲେ । ବୋଇତ ବନ୍ଦାଣ ସକାଶେ ରାତି ସାଢେ ୩ ଟାରୁ ଆରମ୍ଭ ହୋଇଥିଲା । ଏଥି ସକାଶେ ବିଭିନ୍ନ ପୋଖରୀ ଓ ସ୍ଥାନୀୟ ଘୋଡ଼ାହାଡ଼ ଓ ନିକଟସ୍ଥ ଋଷିକୂଲ୍ୟା ନଦୀରେ ପ୍ରବଳ ଜନସମାଗମ ଲାଗି ରହିଥିଲା । ସାଧାରଣତଃ ଧର୍ମପ୍ରାଣ ଲୋକମାନେ କାର୍ତ୍ତିକ ପୂର୍ଣ୍ଣିମାରେ ପ୍ରତ୍ୟୁଷରୁ ସ୍ନାନ ଓ ବୋଇତ ବନ୍ଦାଣ ପରମ୍ପରା ପାଳନ ପରେ ସପରିବାର ଦଳ ଦଳ ହୋଇ ସହରରେ ପ୍ରତିଷ୍ଠିତ ସମସ୍ତ ଶୌବପୀଠ, ହନୁମାନ ମନ୍ଦିର, ରାଧାକୃଷ୍ଣ ମନ୍ଦିର, ଲକ୍ଷ୍ମୀ ନୃସିଂହ ମନ୍ଦିର, ରଘୁନାଥ ମନ୍ଦିର, ଶ୍ରୀ ଜଗନ୍ନାଥ ମନ୍ଦିରକୁ ଯାଇ ଦେବଦେବୀଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା ପରମ୍ପରା ପାଳନ କରିଥାନ୍ତି । ସ୍ଥାନୀୟ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଅଞ୍ଚଳର ବିଭିନ୍ନ ଦେବାଦେବୀ ମନ୍ଦିର ଗୁଡ଼ିକରେ ଦିନ ତମାମ ଭକ୍ତ ମାନଙ୍କ ଅସମ୍ଭବ ଭିଡ଼ ଲାଗି ରହିଥିଲା ।