କାର୍ତ୍ତିକ ବ୍ରତ ଓ ରାଇ ଦାମୋଦର ପୂଜା ଆରମ୍ଭ
ନିମାପଡ଼ା,(ସନ୍ତୋଷ ଦାଶ): ଗୁରୁବାର କୁମାର ପୂର୍ଣ୍ଣିମା ପରେ ଆଜି ଠାରୁ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ମାସ ।ପାରମ୍ପରିକ ପ୍ରଥାନୁସାରେ ପୁରୀ ଜିଲ୍ଲା ର ଗ୍ରାମ ମାନଙ୍କ ରେ ବିଧବା ମହିଳା ଓ କାର୍ତ୍ତିକ ବ୍ରତଧାରୀ ମହିଳା ମାନେ ଚଉରା ମୂଳରେ ଆରମ୍ଭ କରିଛନ୍ତି ରାଇ ଦାମୋଦର ପୂଜା। ଅନେକ ଧର୍ମ ପରାୟଣ ଶ୍ରଦ୍ଧାଳୁ ପରିବାର
ପାଳନ କରିଛନ୍ତି କାର୍ତ୍ତିକ ବ୍ରତ। ଶୁକ୍ରବାର ବିଧବା ମହିଳା ମାନେ ପ୍ରାତଃ ରୁ ସ୍ନାନ କରି ପୁରୋହିତ ବ୍ରାହ୍ମଣ ଙ୍କ ପାଖରେ ପାଣି ଟେକି ସଂକଳ୍ପ କରିଛନ୍ତି। ଯେତେ ଦୁଃଖ, ବାଧା ବିଘ୍ନ ଆସିଲେ ବି ସେମାନେ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ବ୍ରତ ରଖି ରାଇ ଦାମୋଦର ପୂଜା କରିବେ। ନଦୀ, ପୋଖରୀ ଅଥବା ଚଉରା ମୂଳରେ ବିଧବା ମହିଳା ମାନେ ବାଲୁକା ଲିଙ୍ଗ ସ୍ଥାପି ପ୍ରଥମେ ପୂଜା କରିବା ପରେ ଚଉରା ମୂଳରେ ଏକାଠି ହୋଇ ପଞ୍ଚ ମୁରୁଜ ରେ ରାଇ ଦାମୋଦର ମୂର୍ତ୍ତି ଆଙ୍କି ଥିଲେ। ଲିଆ, ଉଖୁଡା,ନଡ଼ିଆ, କଦଳୀ ଓ ବିଭିନ୍ନ ଫଳ ମୂଳ କୁ ଏକତ୍ର ଚକଟି ସେହି ଭୋଗ କୁ ରାଇ ଦାମୋଦର ଓ ବୃନ୍ଦାବତୀ ଙ୍କୁ ଲାଗି କରିବା ସହିତ ସମସ୍ତେ ଏକତ୍ର ବନ୍ଦାପନା କରିଥିଲେ। ଚଉରା ମୂଳରେ କଉଡ଼ି ଖେଳ ଓ ଦହି ଗୋଳାଇବା କାର୍ଯ୍ୟ କରି ରାଇ ଦାମୋଦର ଙ୍କ ସ୍ମୃତି ଚାରଣ କରିଥିଲେ। ଶେଷରେ ବ୍ରାହ୍ମଣ ଙ୍କ ନିକଟରେ ବସି ସମସ୍ତେ କାର୍ତ୍ତିକ ପୁରାଣ ଶ୍ରବଣ କରିଥିଲେ। ସଂଧ୍ୟା ରେ ଚଉରା ମୂଳରେ ଆକାଶ ଦୀପ ଜାଳି ପୂଜା କରିଥିଲେ। ଏହି ବ୍ରତ ମାସ ସାରା ଚାଲି କାର୍ତ୍ତିକ ପୂର୍ଣ୍ଣିମା ଦିନ ଉଦଯାପନ ହେବ।