କାର୍ତ୍ତିକ ମାସରେ ଚଉରା ମୂଳରେ ଜଳୁଛି ଆକାଶ ଦୀପ

ନିମାପଡ଼ା,(ସନ୍ତୋଷ ଦାଶ):ଧର୍ମ ମାସ କାର୍ତ୍ତିକ। ଏହି ମାସ ରେ ପ୍ରାଚୀ ଉପତ୍ୟକାର ବିଭିନ୍ନ ଗ୍ରାମରେ ବିଧବା ମହିଳା ଓ ଧର୍ମ ପରାୟଣ ପରିବାର ମାନେ ଭକ୍ତି ଓ ନିଷ୍ଠାର ସହ ପାଳନ କରୁଛନ୍ତି କାର୍ତ୍ତିକ ବ୍ରତ। ପ୍ରାତଃ ରେ ଚଉରା ମୂଳରେ ରାଇ ଦାମୋଦର ପୂଜା କରୁଥିବାବେଳେ ସଂଧ୍ୟା ରେ ଜାଳୁଛନ୍ତି ଆକାଶ ଦୀପ। ଏହି ମାସରେ ପ୍ରାଚୀ ଉପତ୍ୟକାର ବିଭିନ୍ନ ମଠ ଓ ମନ୍ଦିର ମାନଙ୍କରେ ବି ଭକ୍ତ ଓ ଶ୍ରଦ୍ଧାଳୁ ମାନେ କାର୍ତ୍ତିକ ବ୍ରତ ପାଳନ କରୁଥିବା ବେଳେ ସଂଧ୍ୟାରେ ଆକାଶ ଦୀପ ଜଳାଉଥିବା ଦେଖିବାକୁ ମିଳୁଛି। କାର୍ତ୍ତିକ ମାସରେ ତୁଳସୀ ଚଉରା ମୂଳରେ ଆକାଶ ଦୀପ ଜାଳିଲେ ପିତୃ ଲୋକ ମାନେ ଖୁସି ହୋଇ ପରିବାରକୁ ଆଉ ବ୍ରତ ଧାରୀଙ୍କୁ ଆଶ୍ରିବାଦ ପ୍ରଦାନ କରିଥାନ୍ତି ବୋଲି ବିଶ୍ୱାସ ରହିଛି।କାର୍ତ୍ତିକ ବ୍ରତ ପାଳନ କରୁଥିବା ବ୍ୟକ୍ତି ସଂଧ୍ୟା ରେ ଚଉରା ମୂଳରେ ଆକାଶ ଦୀପ ଜାଳିଲେ ଅଶେଷ ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି କାର୍ତ୍ତିକ ମାହାତ୍ମ୍ୟରେ ବର୍ଣ୍ଣିତ ହୋଇଛି। ପ୍ରାଚୀ ଗବେଷକ ପଣ୍ଡିତ ତ୍ରିଲୋଚନ ମିଶ୍ର କୁହନ୍ତି ଯେ, ଅତୀତରେ ଜଳ ପଥ ହିଁ ଥିଲା ଗମନାଗମନର ପଥ। ଜଳ ପଥରୁ ସ୍ଥଳ ଭାଗରେ ଥିବା ନିଜ ଗାଁକୁ କାର୍ତ୍ତିକ ମାସର ରାତିରେ ଚିହ୍ନିବା ପାଇଁ ପରିବାର ପକ୍ଷରୁ ଏହି ଆକାଶ ଦୀପ ଜାଳିବାର ବ୍ୟବସ୍ଥା ହୋଇଥିଲା। ସେ ଯାହାହେଉ ନା କାହିଁକି କାର୍ତ୍ତିକ ମାସରେ ଚଉରା ମୂଳରେ ଆକାଶ ଦୀପ ଜାଳିବା ପରମ୍ପରା କାହିଁ କେତେ କାଳରୁ ଆମ ଓଡ଼ିଆ ସଂସ୍କୃତିର ଏକ ଅଙ୍ଗ ହୋଇ ରହି ଆସିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ