କାର୍ତ୍ତିକ ୨ୟ ସୋମବାର ଶିବ ପଞ୍ଚାକ୍ଷର ମନ୍ତ୍ର ଧ୍ୱନିରେ ଶୈବପୀଠ ପ୍ରକମ୍ପିତ
ହିଞ୍ଜିିଳିକାଟୁ,(ଶେଷଦେବ ସାହୁ): ଧର୍ମ ଅର୍ଜନର ମାସ ତଥା ପବିତ୍ର କାର୍ତ୍ତିକ ମାସ ୨ୟ ସେମାବାର ଅବସରରେ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଅଞ୍ଚଳର ଶୈବପୀଠ ଗୁଡ଼ିକରେ ଦିନତମାମ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା । ପ୍ରାତଃହରୁ ଶୈବପୀଠ ଗୁଡ଼ିକରେ ମାର୍ଜଣା, ମଇଲମ, ସୂର୍ଯ୍ୟପୂଜା, ମଙ୍ଗଳ ଆଳତି ସହ ସମସ୍ତ ଦେବନୀତି ସମାପନ ପରେ ଭକ୍ତ ମାନଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ଓ ପୂଜାର୍ଚ୍ଚନା ସକାଶେ ଅନୁମତି ଦିଆଯାଇଥିଲା । ଶୃଙ୍ଖଳିତ ଦର୍ଶନ ସକାଶେ ଭକ୍ତ ମାନେ ଦୀର୍ଘ ସମୟ ଧରି ଲମ୍ବା ଲାଇନରେ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା । ହିଞ୍ଜିଳିକାଟୁ ପୌରାଞ୍ଚଳ ଲକ୍ଷ୍ମୀ ବଜାର ସ୍ଥିତ ଚନ୍ଦ୍ରକଳ୍ପେଶ୍ୱର, ହିଞ୍ଜିଳିର ସ୍ୱପ୍ନେଶ୍ୱର, ଆଙ୍କୋରଡ଼ାର କପିଳେଶ୍ୱର, ନୁଆଁଗଡ଼ର ବାଲୁଙ୍କେଶ୍ୱର, ବଇଁଚବଣିଆ ପାବନଶ୍ରୀକ୍ଷେତ୍ର ପରିସରସ୍ଥ ପଶ୍ଚିମାଭିମୁଖୀ କାଶିବିଶ୍ୱନାଥ, ସ୍ଥାନୀୟ ବ୍ଳକ ନୁଆଁବୁରୁପୋଡ଼ାର ମୁଦୁକେଶ୍ୱର, ଅନ୍ତରିଗାଁର ଗୁପ୍ତେଶ୍ୱର, ବେଲଗାଁର ବେଲେଶ୍ୱର, ଆଡ଼ପଡ଼ାର ଇଶାଣେଶ୍ୱର ସମେତ ନିକଟବର୍ତ୍ତି ସାରୁ ସ୍ବପ୍ନେଶ୍ବର, ଶାସନଆମ୍ବଗାଁ ରାମେଶ୍ବର, ପୋଚିଲିମା ବାଲୁଙ୍କେଶ୍ୱର, କଞ୍ଚୁରୁ ସ୍ବପ୍ନେଶ୍ବର ସମେତ ଚାନ୍ଦୁଲି, ମକରଝୋଳ, ସମରଝୋଳ, ଭେଙ୍କେଟରାୟପଲ୍ଲୀ, ସିଙ୍ଗିପୁର,କଞ୍ଚୁରୁ, ଦୁର୍ବନ୍ଧ, ସିକିରି, ରାଳବ,ଗିରିଆ,ପୁଟିଆପଦର, ବାଳକୃଷ୍ଣପୁର, ଭାବନ୍ଧ ଆଦି ଗ୍ରାମରେ ଥିବା ଶୈବପୀଠ ଗୁଡ଼ିକ ଚଳଚଞ୍ଚଳ ହୋଇ ଭକ୍ତ,ଦର୍ଶନାର୍ଥୀ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହେବା ସହ ଶିବ ପଞ୍ଚାକ୍ଷର ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା । ବହୁ ଭକ୍ତ ଶୈବପୀଠ ପରିସରରେ ହବିଷାନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରି ପରିବାର ଓ ପ୍ରିୟଜନ ମାନଙ୍କୁ ସହ ପ୍ରସାଦ ସେବନ କରିଥିଲେ । ଭକ୍ତଙ୍କ ଭିଡକୁ ଆଖି ଆଗରେ ରଖି ମନ୍ଦିର କମିଟି, ପୁଲିସ ପ୍ରଶାସନ ଓ ସ୍ବେଛାସେବୀ ମାନଙ୍କ ପକ୍ଷରୁ ବ୍ୟାପକ ସୁବନ୍ଦୋବସ୍ତ ଗ୍ରହଣ କରାଯାଇଥିଲା ।