କାଶ୍ମୀରରେ ଗୋଳିଆ ସ୍ଥିତି

ଜାମ୍ମୁ-କାଶ୍ମୀରରେ ଦୀର୍ଘ ୧୦ବର୍ଷ ପରେ ନିର୍ବାଚିତ ସରକାର କ୍ଷମତାସୀନ ହେବା ପରେ କେନ୍ଦ୍ରଶାସିତ ଅଂଚଳରେ ପୁଣି ଆତଙ୍କବାଦ ମୁଣ୍ଡ ଟେକିବା ଏବଂ ପାଂଚ ବର୍ଷ ତଳେ ଉଚ୍ଛେଦ ହୋଇଥିବା ସମ୍ବିଧାନର ସ୍ୱତନ୍ତ୍ର ୩୭୦ଧାରା ପୁନର୍ବାର ଲାଗୁ କରିବା ପାଇଁ ବିଧାନସଭାରେ ଗୃହୀତ ପ୍ରସ୍ତାବକୁ ମୁଖ୍ୟ ବିରୋଧିଦଳ ବିଜେପିର ଦୃଢ ବିରୋଧ ସହ ଗୃହରେ ଗଲା ଦୁଇଦିନ ଧରି ଶାସକ ବିରୋଧିଙ୍କ ମଧ୍ୟରେ ଠେଲାପେଲା, ହାତାହାତି, ଧସ୍ତାଧସ୍ତି ଘଟଣା ପରିବେଶକୁ ପୁଣି ଗୋଳିଆ ମୁହାଁ କରିଦେଇଛି ବୋଲି ନିସନ୍ଦେହରେ କୁହାଯାଇପାରେ । ୩୭୦ ଧାରା ପୁନର୍ବାର ଲାଗୁ ଦାବିକୁ ଖୋଦ ପ୍ରଧାନମନ୍ତ୍ରୀ ରୋକ୍‌ଠୋକ୍ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ଫଳସ୍ୱରୁପ କେନ୍ଦ୍ର ଏବଂ କେନ୍ଦ୍ରଶାସିତ ଅଂଚଳର ନବଗଠିତ ସରକାର ପୁଣି ମୁହାଁମୁହିଁ ହେବା ଆଶକାଙ୍କୁ ଏଡାଇ ଦିଆଯାଇନପାରେ । ନିର୍ବାଚନ ପରେ ବିଧାନସଭାର ପ୍ରଥମ ଅଧିବେଶନରେ ଯେଉଁଭଳି ପରିସ୍ଥିତି ସୃଷ୍ଟି ହୋଇଛି, ତାହା ନିଶ୍ଚିତ ଭାବେ ଚିନ୍ତାଜନକ । ନିର୍ବାଚିତ ସରକାର କ୍ଷମତାସୀନ ହେବା ପରେ କେନ୍ଦ୍ର ଓ କେନ୍ଦ୍ରଶାସିତ ଅଂଚଳ ସରକାର ମିଳିତ ଭାବେ ଆତଙ୍କବାଦ ଦ୍ୱାରା ଧ୍ୱସ୍ତ ବିଧ୍ୱସ୍ତ ଜାମ୍ମୁ-କାଶ୍ମୀରରେ ବିକାଶର ଧାରା ଆରମ୍ଭ ନେଇ ଯେଉଁ ଆଶା କରାଯାଉଥିଲା, ତାହା ପ୍ରଶ୍ନବାଚୀ ସୃଷ୍ଟି କରିବା ସ୍ୱାଭାବିକ । କହିବା ବାହୁଲ୍ୟ ଯେ, ଜାମ୍ମୁ-କାଶ୍ମୀରରୁ ସମ୍ବିଧାନର ୩୭୦ ଧାରା ଉଚ୍ଛେଦ ବିଜେପିର ସାତ ଦଶନ୍ଧିର ଦାବି ଥିଲା । ନରେନ୍ଦ୍ର ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିରେ ୨୦୧୯ ଅଗଷ୍ଟ ୫ତାରିଖ ଦିନ ସମ୍ବିଧାନର ୩୭୦ଧାରା, ୩୫(ଏ) ଉଚ୍ଛେଦ ସହ ଜାମ୍ମୁ-କାଶ୍ମୀରର ରାଜ୍ୟମାନ୍ୟତା ରଦ୍ଦ କରି ଦୁଇଟି କେନ୍ଦ୍ରଶାସିତ ଅଂଚଳରେ ପରିଣତ କରିଥିଲେ । ସୁପ୍ରିମକୋର୍ଟ ମଧ୍ୟ ସ୍ୱତନ୍ତ୍ର ଧାରା ଉଚ୍ଛେଦକୁ ଚ୍ୟାଲେଞ୍ଜ କରି ଦାୟର ଏକ ମାମଲାର ଶୁଣାଣୀ କରି ଉଚ୍ଛେଦକୁ କାଏମ ରଖିବା ସହ ବୈଧ ଘୋଷଣା କରିପାରିଛନ୍ତି । ଏପରି କ୍ଷେତ୍ରରେ ପୁନର୍ବାର ସ୍ୱତନ୍ତ୍ର ଧାରା ଲାଗୁ ପାଇଁ ଲୋକପ୍ରତିନିଧିମାନଙ୍କ ସହ ଆରମ୍ଭ କରିବାକୁ କେନ୍ଦ୍ରସରକାରଙ୍କୁ ବିଧାନସଭାର ଆହ୍ୱାନ ଏକ ରାଜନୈତିକ ବାସ୍ତବବାଦୀ ଆଭିମୁଖ୍ୟ ବୋଲି କୁହାଯାଇପାରେ । ଏହି ପ୍ରସ୍ତାବକୁ ଏକ ଉତମ ବିଶ୍ୱାସ, ଆସ୍ଥା ଭାବରେ ଆମନ୍ତ୍ରଣ ଭାବେ ଗ୍ରହଣ କରାଯାଇ ପାରିବ । କେନ୍ଦ୍ର ୩୭୦ଧାରା ଆଇନଗତ ଭାବେ ରାଜନୈତିକ ଲକ୍ଷ୍ୟ ପୂରଣ ପାଇଁ ଉଚ୍ଛେଦ କରିଛନ୍ତି । କିନ୍ତୁ ଜାମ୍ମୁ-କାଶ୍ମୀରର ଲୋକପ୍ରତିନିଧିମାନଙ୍କ ସହ ଆଲୋଚନାରୁ ନିଜକୁ ଦୂରେଇ ରଖିବା ଉଚିତ ନୁହେଁ । ଅନ୍ୟପକ୍ଷରେ ଜାମ୍ମୁ-କାଶ୍ମୀରକୁ ପୁନଃ ରାଜ୍ୟପାହ୍ୟା ପ୍ରଦାନ କ୍ଷେତ୍ରରେ କେନ୍ଦ୍ର ସରକାର ଆଉ ବିଳମ୍ବ କରିବାର କୌଣସି ଯଥାର୍ଥତା ଥିବା ମନେହୁଏ ନାହିଁ । ଜାମ୍ମୁ-କାଶ୍ମୀରର ରାଜ୍ୟପାଳ ଉପ-ରାଜ୍ୟପାଳ ମନୋଜ ସିହ୍ନା ରାଜ୍ୟପାହ୍ୟା ପ୍ରଦାନ ପାଇଁ ଆହ୍ୱାନ କରିବା ଉଭୟ ନବଗଠିତ ସରକାର ଓ କେନ୍ଦ୍ର ସରକାର ବାରମ୍ବାର କରିଥିବା ଘୋଷଣାକୁ ପ୍ରତିଫଳିତ କରିଛି । ଆହୁରି ଜାତୀୟ ସମ୍ମିଳନୀ ନେତୃତ୍ୱରେ ଗଠିତ ସରକାରର ପ୍ରଥମ କ୍ୟାବିନେଟ ବୈଠକରେ ଅବିଳମ୍ବେ ରାଜ୍ୟ ପାହ୍ୟା ପ୍ରଦାନ ପାଇଁ ଏକ ପ୍ରସ୍ତାବରେ ଦାବି କରାଯାଇଛି । କହିବା ବାହୁଲ୍ୟ ଯେ, ଦୀର୍ଘ ଏକ ଦଶନ୍ଧି ପରେ ଅନୁଷ୍ଠିତ ନିର୍ବାଚନରେ ଆତଙ୍କବାଦକୁ ଖାତିର ନକରି ଜନସାଧାରଣ ଯେଉଁଭଳି ଅଧିକ ମାତ୍ରାରେ ମତଦାନ କରିଥିଲେ, ତାହା ମଧ୍ୟ ଲୋକପ୍ରତିନିଧିମୂଳକ ଶାସନ ଓ ରାଜ୍ୟାପାହ୍ୟା ପୁନଃ ପ୍ରଦାନ ସପକ୍ଷରେ ରାୟ ଥିଲା, ଏଥିରେ ସନ୍ଦେହ ନାହିଁ । ରାଜନୈତିକ ବାଛବିଚାରରୁ ଉର୍ଦ୍ଧ୍ୱରେ ରହି କେନ୍ଦ୍ର ସରକାର କରିଥିବା ବାରମ୍ବାର ଘୋଷଣା ଏବଂ ସୁପ୍ରିମକୋର୍ଟଙ୍କୁ ଦେଇଥିବା ପ୍ରତିଶ୍ରୃତି ଅନୁଯାୟୀ ତୁରନ୍ତ ରାଜ୍ୟାପାହ୍ୟା ପ୍ରଦାନ କରିବା ଜରୁରୀ । ଆହୁରି ମଧ୍ୟ କେନ୍ଦ୍ରଶାସିତ ଅଂଚଳରେ ଏବେ ପୁଣି ଯେପରି ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇଛି, ତାହା ନିଶ୍ଚିତ ଭାବେ ଚିନ୍ତାଜନକ । ଗତ ଅକ୍ଟୋବର ମାସରେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ଯବାନଙ୍କ ସହିଦ ହୋଇଥିବାବେଳେ ୧୦ଜଣ ନିହତ ହୋଇଛନ୍ତି । ଯେଉଁମାନେ ପ୍ରବାସୀ କାଶ୍ମୀର । ଏହା ନିସନ୍ଦେହରେ. ଅଣ-କାଶ୍ମୀର ଶ୍ରମିକଙ୍କ ମଧ୍ୟରେ ଆତଙ୍କ, ଭୟ ସୃଷ୍ଟି ପାଇଁ ଆତଙ୍କବାଦୀଙ୍କର ଏହା ଏକ ନୂଆ କୌଶଳ । ଯାହାକି ରାଜ୍ୟର ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ପାଇଁ ଉଦ୍ଦିଷ୍ଟ । ଏହା ସତ ଯେ, ନିର୍ବାଚନରେ ଧାର୍ମିକ, ମୌଳବାଦୀ ଏବଂ କଠୋର ପନ୍ଥୀଙ୍କୁ ଜନସାଧାରଣ ବ୍ୟାଲେଟ ଜରିଆରେ ଯେପରି ପ୍ରତ୍ୟାଖ୍ୟାନ କରିଥିଲେ ଏଥିରୁ ସେମାନେ ରାଜ୍ୟରେ ଲୋକପ୍ରତିନିଧିମୂଳକ ସରକାର ଓ ଶାନ୍ତି ଚାହାଁନ୍ତି, ତାହା ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି ବୋଲି କୁହାଯାଇପାରେ । ନିର୍ବାଚିତ ସରକାରଙ୍କୁ ନିରଙ୍କୁଶ କ୍ଷମତା, ଏହା ହିଁ ରାଜ୍ୟବାସୀ ଚାହାଁନ୍ତି । ଉଲ୍ଳେଖଯୋଗ୍ୟ ଯେ, କେନ୍ଦ୍ରଶାସିତ ଅଂଚଳରେ ଉପ-ରାଜ୍ୟପାଳଙ୍କ ହାତରେ ପ୍ରଭୂତ କ୍ଷମତା ଥିବାବେଳେ ନିର୍ବାଚିତ ସରକାର ଗୌଣ । ଏପରି ସ୍ଥଳେ ନିର୍ବାଚିତ ସରକାରଙ୍କୁ ପୁନଃ କ୍ଷମତା ଜରୁରୀ, ଯାହା କେବଳ ରାଜ୍ୟପାହ୍ୟା ପୁନଃ ପ୍ରଦାନ ଦ୍ୱାରା ସମ୍ଭବ ହେବ । କେନ୍ଦ୍ର ସରକାର ଆତଙ୍କବାଦୀଙ୍କ ହିଂସା, ସ୍ୱତନ୍ତ୍ର ଧାରା ପୁନଃ ଲାଗୁ ଦାବିରୁ ଉପୁଜିଥିବା ପରିସ୍ଥିତି ପ୍ରତି ଧ୍ୟାନ ନଦେଇ ଅବିଳମ୍ବେ ପୁନଃ ଲାଗୁ ଦାବିରୁ ଉପୁଜିଥିବା ପରିସ୍ଥତି ପ୍ରତି ଧ୍ୟାନ ନଦେଇ ଅବିଳମ୍ବେ ଭାରତର ଭୂସ୍ୱର୍ଗକୁ ରାଜ୍ୟାପହ୍ୟା ପ୍ରଦାନ କରିବା ଜରୁରୀ । ଯାହା ଆତଙ୍କବାଦର ମୁକାବିଲା କରିବାରେ ସହାୟକ ହୋଇପାରିବ ନେଇ ଆଶା କରାଯାଏ ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା),
ସମ୍ମାନ ଭବନ,
ପ୍ଲଟ ନଂ-୫୮/୩୫୮୧, ଗାଙ୍ଗୋତ୍ରୀ ନଗର,
ରୋଡ ନଂ-୩, ଶିଶୁପାଳଗଡ,-୭୫୧୦୦୨

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ