କୁମ୍ଭ ମେଳାର ବୈଶିଷ୍ଟ୍ୟ
ଦୀର୍ଘ ୧୨ବର୍ଷ ପରେ ଚଳିତ ବର୍ଷ ପ୍ରୟାଗରାଜ ଠାରେ ଆରମ୍ଭ ହୋଇଛି କୁମ୍ଭ ମେଳା l କୋଟି କୋଟି ଶ୍ରଦ୍ଧାଳୁ ଭକ୍ତମାନେ ଏହି ପବିତ୍ର ମେଳାରେ ଅଂଶ ଗ୍ରହଣ କରିବା ପାଇଁ ଦେଶ ବିଦେଶରୁ ସଙ୍ଗମ ସ୍ଥଳରେ ଆସି ବୁଡ଼ ପକାଇଛନ୍ତି l ୪୫ ଦିନ ଅର୍ଥାତ୍ ଚଳିତ ବର୍ଷ ଜାନୁଆରୀ ୧୩ରୁ ଫେବୃଆରୀ ୨୬ ତାରିଖ ଯାଏଁ ହେବାକୁଥିବା ଏହି କୁମ୍ଭ ମେଳାରେ ପାଖାପାଖି ୫୦କୋଟି ଲୋକ ସାମିଲ ହେବା ନେଇ ଆକଳନ କରାଯାଇଛି l ମୁଖ୍ୟତଃ କୁମ୍ଭମେଳା ଗ୍ରହ ମାନଙ୍କ ଅବସ୍ଥିତିକୁ ନେଇ ୪ ପ୍ରକାରର ହୋଇଥାଏ। କୁମ୍ଭ, ଅର୍ଦ୍ଧକୁମ୍ଭ, ପୂର୍ଣ୍ଣକୁମ୍ଭ ଏବଂ ମହାକୁମ୍ଭ। କୁମ୍ଭମେଳାର ଆୟୋଜନ ପ୍ରୟାଗରାଜ,ହରିଦ୍ୱାର, ନାସିକ, ଉଜ୍ଜୈନରେ ପ୍ରତି ୧୨ ବର୍ଷ ମଧ୍ୟରେ ପଡ଼ିଥାଏ। । ସେହିପରି ଅର୍ଦ୍ଧ କୁମ୍ଭ ମେଳା ପ୍ରତି ୬ ବର୍ଷ ପରେ ଆସିଥାଏ, ଯାହାକି ପ୍ରୟାଗରାଜ ଏବଂ ହରିଦ୍ୱାର ଠାରେ ପାଳନ କରାଯାଏ l ପୂର୍ଣ୍ଣ କୁମ୍ଭ ମେଳା ପ୍ରତି ୧୨ ବର୍ଷରେ ଥରେ ପଡ଼ିଥାଏ, ଯାହାକି ପ୍ରୟାଗରାଜର ସଙ୍ଗମ ସ୍ଥଳରେ ଆୟୋଜିତ ହୋଇଥାଏ। ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ପ୍ରୟାଗରାଜର କୁମ୍ଭମେଳା ହେଉଛି ପୂର୍ଣ୍ଣ କୁମ୍ଭ ମେଳା l ତେବେ ପ୍ରତି ୧୪୪ ବର୍ଷ ଅନ୍ତରରେ ଅନୁଷ୍ଠିତ ହେଉଥିବା କୁମ୍ଭମେଳାକୁ ମହାକୁମ୍ଭ ମେଳା କୁହାଯାଇଥାଏ, ଯାହାକି କେବଳ ପ୍ରୟାଗରାଜରେ ହିଁ ଅନୁଷ୍ଠିତ ହୋଇଥାଏ lତେବେ କୁମ୍ଭ ମେଳା ଆୟୋଜନ ହେବା ପଛରେ ଥିବା ଆଧ୍ୟତ୍ମିକ କାରଣକୁ ଲକ୍ଷ୍ୟ କରିଲେ ସମୁଦ୍ରମନ୍ଥନ ସମୟରେ ଅମୃତ ନେବା ପାଇଁ ଦେବତା ଏବଂ ରାକ୍ଷସମାନଙ୍କ ମଧ୍ୟରେ ୧୨ ଦିନ ଧରି ଲଗାତାର ଯୁଦ୍ଧ ଲାଗିଥିଲା। ପୌରାଣିକ କଥା ଅନୁସାରେ ଦେବତାମାନଙ୍କ ୧୨ ଦିନ ମଣିଷଙ୍କ ପାଇଁ ୧୨ ବର୍ଷ ସଙ୍ଗେ ସମାନ। ସେଥିପାଇଁ ୧୨ଟି କୁମ୍ଭ ହୋଇଥାଏ l ୪ଟି କୁମ୍ଭ ପୃଥିବୀରେ ପାଳନ କରାଯାଇଥାଏ ଏବଂ ୮ଟି କୁମ୍ଭ ଦେବଲୋକରେ ହୋଇଥାଏ।ଯୁଦ୍ଧ ସମୟରେ ଶନି, ଚନ୍ଦ୍ର, ସୂର୍ଯ୍ୟ ଆଦି ଦେବତାମାନେ ଅମୃତ କଳସକୁ ରକ୍ଷା କରିଥିଲେ। ଯେତେବେଳେ ଏହି ଗ୍ରହମାନେ ସଠିକ ସମୟରେ ନିର୍ଦ୍ଦିଷ୍ଟ ରାଶିରେ ଅବସ୍ଥାନ କରିଥାନ୍ତି, ସେତେବେଳେ କୁମ୍ଭ ମେଳା ଆୟୋଜନର ସୁଯୋଗ ଆସିଥାଏ। ତେବେ ଅମୃତ କଳସ ନେବାକୁ ଦେବତା-ରାକ୍ଷସଙ୍କ ମଧ୍ୟରେ ସଂଗ୍ରାମ ହେବା ସମୟରେ ଭଗବାନ ଶ୍ରୀବିଷ୍ଣୁ ଏହି ଅମୃତ କଳସକୁ ଗରୁଡ଼ଙ୍କୁ ଦେଇ ଏହାର ରକ୍ଷା କରିବା ପାଇଁ ଆଦେଶ ଦେଇଥିଲେ । ଏହି ଖବର ରାକ୍ଷସମାନେ ଜାଣିବା ପରେ ଗରୁଡ଼ଙ୍କଠାରୁ ଅମୃତ କଳସକୁ ଛଡ଼ାଇବାକୁ ଗଲେ ଏବଂ ଉଭୟ ପକ୍ଷଙ୍କ ଟଣାଓଟରା ମଧ୍ୟରେ ୪ଟି ବୁନ୍ଦା ଅମୃତ ଭୂପୃଷ୍ଠର ୪ଟି ସ୍ଥାନ ହରିଦ୍ୱାର, ପ୍ରୟାଗରାଜ, ଉଜ୍ଜୟିନୀ ଏବଂ ନାସିକରେ ପଡ଼ିଥିଲା l ତେଣୁ ଯେଉଁ ସବୁସ୍ଥାନରେ ଏହି ଅମୃତ ବୁନ୍ଦା ପଡ଼ିଥଲା ସେହିଠାରେ ୧୨ ବର୍ଷ ଅନ୍ତରାଳରେ ବୃହସ୍ପତି ଏବଂ ସୂର୍ଯ୍ୟଙ୍କ ଅବସ୍ଥିତି ଅନୁସାରେ କୁମ୍ଭମେଳାର ଆୟୋଜନ କରାଯାଉଛି।ଆସ୍ଥାର ଓ ଏକତାର ବାର୍ତ୍ତା ଦେଉଥିବା କୁମ୍ଭ ମେଳାରେ ବୁଡ ପକାଇଥିବା ବ୍ୟକ୍ତି ମାନଙ୍କୁ ଧର୍ମ, ଅର୍ଥ, କାମ, ମୋକ୍ଷ ଫଳ ପ୍ରାପ୍ତ ହେବା ସହ ସମସ୍ତ ପାପ ନଷ୍ଟ ହୋଇଥାଏ l ଏଥିସହିତ ଏଠାରେ ଦାନ କରିଥିବା ବ୍ଯକ୍ତିକୁ ଶହେଟି ଅଶ୍ଵ ମେଧ ଯଜ୍ଞର ପୁଣ୍ଯ ଫଳ ପ୍ରାପ୍ତ ହୋଇଥାଏ l
ରାଜସ୍ମିତା ବାରିକ୍
ନୀଳଗିରି, ବାଲେଶ୍ଵର