କୁଳ ବେଉସା ବଞ୍ଚାଇବାକୁ ସଂଗ୍ରାମ କରୁଛନ୍ତି କମାର ପରିବାର

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଆଧୁନିକ ଯୁଗରେ ଆଧୁନିକ ପରମ୍ପରାକୁ ଆପଣେଇବା ଇଛାରେ ଓ ନିଜର ଜୀବନ ଶୌଳୀକୁ ପରିବର୍ତ୍ତନ କରିବା ସହ ଜୀବନକୁ ଉନ୍ନତ ମାନର କରିବା ଆଶାରେ ବହୁ ସମ୍ପ୍ରଦାୟ ନିଜ କୁଳ ବେଉସାକୁ ଭୁଲିବାକୁ ବସିଲେଣି । ମନୁଷ୍ୟ ଯେତେ ନୂତନତ୍ୱକୁ ଆପଣେଇଲେ ମଧ୍ୟ ଏମିତି କିଛି ନିତ୍ୟାବଶ୍ୟକ ଗୃହ ଉପକରଣ ସାମଗ୍ରୀ ଅଛି ଯାହା ବିନା କାର୍ଯ୍ୟ ଅସମ୍ଭବ ହୋଇପଡୁଛି । ସେଗୁଡିକ ହେଲୋ କୋଦଳ, ଦାଆ,ଗଇଁଚି, ଶାବଳ, ଟାଙ୍ଗିଆ, ନିହଣ, ବଟାଳି, କରତ, ପନିକି, ଖିଲିକାତି, ବାରିସି ଇତ୍ୟାଦି । ଏହି ସବୁ ସାମଗ୍ରୀ ବିନା ଚାଷ କାର୍ଯ୍ୟ, ଘରବାଡି କାର୍ଯ୍ୟ ଭଳି ଅନେକ ଛୋଟ ବଡ କାର୍ଯ୍ୟ ଅସମ୍ଭବ ହୋଇ ପଡିଥାଏ । ଏପରି ସ୍ଥଳେ ଏହିସବୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀକୁ ସମ୍ପାଦନା କରୁଥିବା କମାର ସମ୍ପ୍ରଦାୟ ଆଜି ଅବହେଳିତ । ସେମାନଙ୍କର କୌଳିକ ବୃତ୍ତିକୁ ପ୍ରୋତ୍ସାହନ ଦେବା ଓ ଚାହିଦାର ଆଦର ବଢାଇବା ପାଇଁ କୌଣସି ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନର ଆଗ୍ରହ ନଥିବାରୁ ସେମାନେ ସେମାନଙ୍କର କୁଳ ବେଉସାରୁ ନିଜକୁ ନିବୃତ୍ତ କରି ଅନ୍ୟ ପନ୍ଥା ଆପଣେଇବା ପାଇଁ ବାଧ୍ୟ ହେଉଛନ୍ତି । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ସ୍ଥାନୀୟ ବ୍ଳକର ବୁରୁପୋଡା, ପୋଡିଙ୍ଗି, ଚାନ୍ଦୁଲି, ସିକିରି, ବେଲଗାଁ, ଦୁର୍ବନ୍ଧ, ଦୟାପଲ୍ଲୀ ଭଳି ବିଭିନ୍ନ ପଞ୍ଚାୟତରେ ପ୍ରାୟ ୨୦ରୁ ଉର୍ଦ୍ଧ୍ୱ କମାର ସମ୍ପ୍ରଦାୟର ପରିବାର ବସବାସ କରି ଆସୁଛନ୍ତି । ସେମାନେ ସେମାନଙ୍କର କୌଳିକ ବୃତ୍ତିକୁ ପାଥେୟ କରି ନିଜ ପରିବାର ପ୍ରତିପୋଷଣ କରି ଆସୁଥିଲେ, ସମୟାନୁକ୍ରମରେ ରୋଜଗାର ତୁଳନାରେ ଖର୍ଚ୍ଚକୁ ଦେଖି ସେମାନେ ଏହି ବେଉସାରୁ ଅପସରି ଯାଇ ଅନ୍ୟ ପନ୍ଥା ଅବଲମ୍ବନ କରୁଛନ୍ତି । ହିଞ୍ଜିଳିକାଟୁ ପୌରାଞ୍ଚଳର ଗୋଟିଏ ପରିବାରର ୪ ଭାଇ ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ବାପା ଜେଜେ ବାପା ଅମଳରୁ ନିଜକୁ ଏହି କାର୍ଯ୍ୟରେ ନିୟୋଜିତ କରି ତାଙ୍କର ପରିବାର ପ୍ରତିପୋଷଣ କରି ଆସୁଛନ୍ତି । କୋଦଳ, ଦାଆ,ଗଇଁଚି, ଶାବଳ, ଟାଙ୍ଗିଆ, ନିହଣ, ବଟାଳି, କରତ, ପନିକି, ଖିଲିକାତି, ବାରିସି ଭଳି ଏହି ସବୁ ସାମଗ୍ରୀ ଚାଷୀ ମାନଙ୍କୁ ବିକ୍ରି କରିବା ସହିତ ହିଞ୍ଜିଳିକାଟୁର ସାପ୍ତାହିକ ଶନିବାର ହାଟରେ ବିକ୍ରି କରି ଆସୁଛନ୍ତି । ସରକାରଙ୍କ କଟକଣା ଯୋଗୁଁ ଅଙ୍ଗାର ଏବଂ କୋଇଲାର ଅଭାବ ହେତୁ ଚଢା ଦରରେ ବଜାରରୁ ଅଙ୍ଗାର ଓ କୋଇଲା କିଣିବାକୁ ପଡୁଥିବାରୁ ଆୟ ତୁଳନାରେ ବ୍ୟୟ ଅଧିକ ହେଉଛି । ଆଧୁନିକ ବଜାରରେ କମାର ସଂମ୍ପ୍ରଦାୟର ଏଭଳି ହାତ ତିଆରି ସାମଗ୍ରୀର ପାରିଶ୍ରମିକ ମୁଲ୍ୟ ଠାରୁ ବଜାରରେ କମ୍ ମୂଲ୍ୟରେ ଏହିସବୁ କମ୍ପାନୀ ତିଆରି ଉପକରଣ ମିଳୁଥିବାରୁ ବେପାରୀ ମାନେ ସେମାନଙ୍କ ଠାରୁ ମୁହଁ ବୁଲାଇ ନେଉଛନ୍ତି ବୋଲି ସ୍ଥାନୀୟ ଅଞ୍ଚଳର ବହୁ କମାର ସଂମ୍ପ୍ରଦାୟର କାରିଗର କହିଛନ୍ତି । ଏଭଳି ପରିସ୍ଥିତିରେ ସରକାରଙ୍କ କଟକଣାର ଅଭାବ ଯୋଗୁଁ କିଛି ଦିନ ହେବ ସୁଦୁର ରାଜସ୍ଥାନରୁ କିଛି ରାଜସ୍ଥାନି କମାର ପରିବାର ଆମ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ପଶି ଆସିଛନ୍ତି । ହିଞ୍ଜିଳିକାଟୁ ପୌରାଞ୍ଚଳର ଘୋଡାହାଡ ନଦୀ ଏବଂ ଆରଏମସି ଛକ ନିକଟରେ ପସରା ମେଲାଇ ବିକ୍ରି କରୁଛନ୍ତି । କମାର ସଂମ୍ପ୍ରଦାୟର ଲୋକେ ସକାଳୁ ସନ୍ଧ୍ୟା ଯାଏଁ ପରିଶ୍ରମ କଣେ ଦିନକୁ ସର୍ବାଧିକ ୨ଶହ ଟଙ୍କା ରୋଜଗାର ହୋଇଥାଏ । ଆଜିର ମହଙ୍ଗା ଯୁଗରେ ୨୦୦ ଟଙ୍କାରେ ପରିବାର ପ୍ରତିପୋଷଣ କରିବାର କଷ୍ଟକର ହୋଇପଡୁଛି ବୋଲି କହିଛନ୍ତି । କମାର ସଂମ୍ପ୍ରଦାୟର ପରିବାରକୁ ସରକାର ପ୍ରୋତ୍ସାହନ ରାଶି ଯୋଗାଇ ଦେବାକୁ ବହୁ କମାର ପରିବାର ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ