କେହି ଭୁଲି ପାରିବେନି ସେ ଦିନର ତାଣ୍ଡବ ଲୀଳାକୁ
ମହାବାତ୍ୟାର ୨୫ ବର୍ଷ ପରେ……
ନିମାପଡ଼ା,(ସନ୍ତୋଷ ଦାଶ):୧୯୯୯ମସିହାର ଆଜିର ଦିନରେ ଓଡ଼ିଶା ଉପକୂଳରେ ସଂଗଠିତ ହୋଇଥିଲା ମହାବାତ୍ୟା। ସେ ସମୟରେ ଏତେ ପରିମାଣ ରେ କୋଠା (ଛାତ) ଘର ନ ଥିଲା। ମହାବାତ୍ୟା ତାଣ୍ଡବ ରଚିଥିଲା ପୁରୀ ଜିଲ୍ଲା ର ନିମାପଡ଼ା, ଗୋପ,କାକଟପୁର, ଅସ୍ତରଙ୍ଗ ଅଞ୍ଚଳରେ । ଶହ ଶହ ପରିବାର ଗୃହ ଶୂନ୍ୟ ହୋଇ ପଡ଼ିଥିଲେ। ପୋକ ମାଛି ପରି ହଜାର ହଜାର ଗୃହ ପାଳିତ ପଶୁ ପକ୍ଷୀଙ୍କର ମୃତ୍ୟୁ ଘଟିଥିଲା। ଛୋଟ ବଡ ବୃକ୍ଷ ସବୁ ମାଟିରେ ମିଶି ଯାଇଥିଲା। ବହୁ ଲୋକ ପ୍ରାଣ ହରାଇଥିଲେ। ଇତି ମଧ୍ୟରେ ୨୫ ବର୍ଷ ବିତିଛି। ଗାଁ ଗାଁ ରେ କୋଠା ଛାତ ଘର ତିଆରି ହୋଇଛି। ବିଭିନ୍ନ ସ୍ଥାନରେ ବାତ୍ୟା ଆଶ୍ରୟସ୍ଥଳ ତିଆରି ହୋଇଛି। ଏବେ ବାତ୍ୟା ହେଲେ ସେପରି ଧନ ଜୀବନ କ୍ଷତି ହେଉନାହିଁ। ଏହି ବାତ୍ୟା ଅନେକଙ୍କ ସ୍ବପ୍ନକୁ ଭାଙ୍ଗି ଚୁରମାର କରି ଦେଇ ସେମାନଙ୍କ ମୁହଁରୁ ହସ ଛଡ଼ାଇ ନେଇଥିଲା। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ପୁରୀ ଜିଲ୍ଲା ଗୋପ ବ୍ଲକ ନରସିଂହପୁର
ହାଟ ଗ୍ରାମର ରତ୍ନାକର ପାତ୍ର (୫୦)। ନୟାହାଟ ବଜାରରେ ତାଙ୍କ ବଡ଼ ବାପାଙ୍କ ପୁଅଙ୍କର ଗୋଟିଏ ଟେଲର ଦୋକାନ ଥିଲା। ରତ୍ନାକର ସବୁ ଦିନ ରାତିରେ ସେହି ଦୋକାନ ରେ ଶୋଇଥାନ୍ତି।୧୯୯୯ ଅକ୍ଟୋବର ୨୮ ତାରିଖ ରାତିରେ ସେ ସବୁ ଦିନ ପରି ଶୋଇଥାନ୍ତି। ବାତ୍ୟା ପ୍ରଭାବ ରେ ହାଲକା ପବନ ବୋହୁଥାଏ। ହଠାତ ରାତି ୪ ଟାରେ ପ୍ରବଳ ବେଗରେ ପବନ ବହିବା ଆରମ୍ଭ କରି ଦୋକାନ ଗୃହ ର କାନ୍ଥ ତାଙ୍କ ଉପରେ ପଡ଼ି ଯାଇଥିଲା। ଗୃହର କାନ୍ଥ ତାଙ୍କ ଉପରେ ପଡ଼ି ଯାଇଥିଲେ
ମଧ୍ୟ ସେ ସୌଭାଗ୍ୟକୁ ବଞ୍ଚି ଯାଇଥିଲେ ସିନା କାନ୍ଥ ତାଙ୍କ ଅଣ୍ଟା ଉପରୁ ତଳକୁ ପଡ଼ି ଯାଇଥିବାରୁ ଅଣ୍ଟା ତଳକୁ ଗୋଡ଼ ପର୍ଯ୍ୟନ୍ତ ତାଙ୍କର ଅଚଳ ହୋଇ ପଡ଼ିଥିଲା। ପଡୋଶୀ ଦୋକାନୀ ଓ ତାଙ୍କ ପରିବାର ଲୋକ ମାନେ ତାଙ୍କୁ ଉଦ୍ଧାର କରି ଘରକୁ ନେଇ ଆସିଥିଲେ। ସେ ସମୟ ରେ ତାଙ୍କୁ ଚିକିତ୍ସା ସେବା ମିଳି ପାରି ନ ଥିଲା। ୪/୫ ଦିନ ପରେ ଅବସ୍ଥା ସ୍ଵାଭାବିକ ହେବାରୁ ତାଙ୍କୁ ପରିବାର ଲୋକ ମାନେ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ନେଇଥିଲେ। ଡାକ୍ତର ତାଙ୍କୁ ପରୀକ୍ଷା କରି ତାଙ୍କୁ
ଟରମାଟିକ ପାରାପ୍ଲେଜିଆ ରୋଗ ହୋଇଥିବା କହି ଔଷଧପତ୍ର ଦେଇଥିଲେ। ତାଙ୍କ ଯନ୍ତ୍ରଣା ସିନା ଉପଶମ ହୋଇଥିଲା କିନ୍ତୁ ଅଚଳ ଗୋଡ଼ ସଚଳ ହୋଇ ପାରି ନ ଥିଲା।ତାଙ୍କୁ ଚିକିତ୍ସା ପାଇଁ ପରିବାର ଲୋକମାନେ ଏମସ୍ ଠାରୁ ଆରମ୍ଭ କରି ବିଭିନ୍ନ ବେସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ବାଧ୍ୟ ହୋଇ ରତ୍ନାକର ଭାଗ୍ୟକୁ ଆଦେରି ରହିଥିଲେ। ଜୀବନ ଯୁଦ୍ଧରେ ହାରି ଯାଇ ନ ଥିଲେ ରତ୍ନାକର।ଏବେ ତାଙ୍କ ଗାଁ ଛକ ବଜାର ଠାରେ ସେ ଦୋକାନ ଟିଏ କରି ନିଜର ଆଉ ଘରେ ଥିବା ବୁଢି ମାଙ୍କର ପେଟ ପୋଷିପାରୁଛନ୍ତି। ତାଙ୍କୁ ସରକାର ବ୍ୟାଙ୍କରୁ ଋଣ ଓ ଗୋଟିଏ ତିନି ଚକିଆ ଯାନ ଯୋଗାଇ ଦେବାକୁ ଗ୍ରାମବାସୀ ଅନ୍ନଦା ଶଙ୍କର ସାହୁ ଦାବି କରିଛନ୍ତି। ଜୀବନ ଯୁଦ୍ଧରେ ପରାଜିତ ନ ହୋଇ ମହାବାତ୍ୟା ତାଙ୍କୁ ଭିନ୍ନକ୍ଷମ କରିଦେଇଥିବାସତ୍ତ୍ୱେ ସେ ଏବେ ନିଜ ଇଚ୍ଛାଶକ୍ତି ବଳରେ ସକ୍ଷମ ବ୍ୟକ୍ତି ଭାବେ ନିଜ ବଞ୍ଚି ପାରୁଛନ୍ତି ଏହା ଅନ୍ୟ ମାନଙ୍କୁ ପ୍ରେରଣା ଯୋଗାଇବ ଏଥିରେ ସନ୍ଦେହ ନାହିଁ। ମହାବାତ୍ୟାର ସେ ଦିନର ତାଣ୍ଡବ ଲୀଳାକୁ କେବେ ବି ଜୀବନରେ ଭୁଲି ପାରିବେନି ବୋଲି କହିଛନ୍ତି ରତ୍ନାକର। ଇତି ମଧ୍ୟରେ ୨୫ ବର୍ଷ ବିତିଛି। ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ହେଲେ ଏହି ଅଞ୍ଚଳର ଲୋକ ମାନଙ୍କ ଆଖିରୁ ନିଦ ହଜି ଯାଉଛି। ପୁଣି ଥରେ ମହାବାତ୍ୟାର ସ୍ମୃତି ତାଜା ହୋଇ ଉଠୁଛି।