କୋଣାର୍କ ଉତ୍ସବ ଓ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ କାର୍ଯ୍ୟ ଶେଷ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ଉତ୍ସବ ଓ ଆନ୍ତର୍ଜାତିୟ ବାଲୁକା କଳା ଉତ୍ସବ ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଡିସେମ୍ବର ୧ରୁ ୫ତାରିଖ ପର୍ଯ୍ୟନ୍ତ ୫ଦିନ ବ୍ୟାପି ରଙ୍ଗୀନ ହେବ ରଙ୍ଗମଞ୍ଚ। ଦର୍ଶକଙ୍କ ଅପେକ୍ଷାରେ ସଜେଇ ହେଉଛି ମୁକ୍ତାକାଶ ରଙ୍ଗମଞ୍ଚ। ରଙ୍ଗମଞ୍ଚ ପରିସରରେ ଛୋଟବଡ ବୃକ୍ଷ ରାଜି, ରଙ୍ଗବେରଙ୍ଗର ଚାନ୍ଦୁଆ ରାତିର ଶୋଭାକୁ ଅତ୍ୟନ୍ତ ଲୋଭନୀୟ କରୁଛି। ସନ୍ଧ୍ୟାରେ ମୁକ୍ତାକାଶ ରଙ୍ଗମଞ୍ଚରେ ଓଡ଼ିଶୀ, କଥକ,କୁଚିପୁଡି, ମଣିପୁରୀ ମୋହିନୀ ଆଟମ, ଭାରତନାଟ୍ୟମ୍ ଆଦି ନୃତ୍ଯ ପରିବେଷଣ ସହିତ ଚନ୍ଦ୍ରଭାଗା ବେଳାଭୂମିରେ ଦେଶ ବିଦେଶର ଶତାଧିକ ବାଲୁକାଶିଳ୍ପୀ ବିଭିନ୍ନ ପ୍ରସଙ୍ଗରେ ବିଭିନ୍ନ କଳାକୃତି ପ୍ରଦର୍ଶିତ କରିବେ।କୋଣାର୍କ ଉତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ନିମନ୍ତେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ପକ୍ଷରୁ ପ୍ୟାକେଜ ଟୁର ବ୍ୟବସ୍ଥା ହୋଇଛି। ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜିତ ବାଲୁକା କଳା ଉତ୍ସବ ପ୍ରତ୍ୟେହ ଦିବା ୧୦ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ। ଏଥିରେ ଦେଶ ବିଦେଶର ଶତାଧିକ ବାଲୁକାଶିଳ୍ପୀ ଅଂଶଗ୍ରହଣ କରୁଛନ୍ତି। ଉତ୍ସବ ଉପଲକ୍ଷେ ପର୍ଯ୍ୟଟକଙ୍କ ପାଇଁ ପାଞ୍ଚ ଦିନ ସୂର୍ଯ୍ୟମନ୍ଦିର ଲାଇଟ ଆଣ୍ଡ ସୋ ବନ୍ଦ ରହିବ। ଉତ୍ସବ ସମୟରେ ଦୈନିକ ଭୁବନେଶ୍ୱର ଓ ପୁରୀରୁ ସ୍ବତନ୍ତ୍ର ଏସି ବସ ଚାଲିବ। ଏହି ବସ୍ ଅପରାହ୍ନ ୨.୩୦ରୁ ବାହାରି ରାତି ୧୧ଟାରେ ଫେରିବ। ଦିନିକିଆ ଟୁରରେ ଭୁବନେଶ୍ୱରରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କୋଣାର୍କ ସୂର୍ଯ୍ୟମନ୍ଦିର , ଚନ୍ଦ୍ରଭାଗା ବେଳାଭୂମି ,ବାଲୁକା କଳା ଉତ୍ସବ, କୋଣାର୍କ ଉତ୍ସବ ନିମନ୍ତେ ଜଣକ ପ୍ରତି ୧୭୭୦ଟଙ୍କା ରହିଥିବାବେଳେ ପୁରୀରୁ କୋଣାର୍କ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କୋଣାର୍କ ସୂର୍ଯ୍ୟମନ୍ଦିର, ବାଲୁକା କଳା ଉତ୍ସବ, କୋଣାର୍କ ଉତ୍ସବ ନିମନ୍ତେ ଜଣକ ପ୍ରତି ୧୫୧୦ଟଙ୍କା ରହିଥିବା କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ ସୂଚନା ଦେଇଛନ୍ତି । ସେହିଭଳି ହେଲିପ୍ୟାଡରେ ୩ଟି ଅପେରା ଓ ମୀନାବଜାର ଅନ୍ୟତମ ଆକର୍ଷଣ ସାଜିବ।