କୋଣାର୍କ – ପୁରୀ ବେଳାଭୂମିରେ ଉଦଘାଟିତ ହେଲା ଇକୋ ରିଟ୍ରିଟ୍
ନିମାପଡ଼ା,( ସନ୍ତୋଷ ଦାଶ):ପୁରୀ – କୋଣାର୍କ ବେଳାମାର୍ଗ ଠାରେ କୋଣାର୍କ ଇକୋ ରିଟ୍ରେଟ୍ ର ୬ଷ୍ଠ ସଂସ୍କରଣ ଶୁକ୍ରବାର ଅପରାହ୍ନରେ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ପୁରୀ ବିଧାୟକ ସୁନୀଲ ମହାନ୍ତି, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଆରକ୍ଷୀ ଅଧିକ୍ଷକ ଭିନିତ୍ ଅଗ୍ରୱାଲ,ଡିଏଫଓ ବିବେକ କୁମାର, ପର୍ଯ୍ୟଟନ ବିଭାଗର ସଚିବ, ଜଗତସିଂହପୁର ସାଂସଦଙ୍କ ପୁରୀ ପ୍ରତିନିଧି ସୁଦର୍ଶନ ସ୍ବାଇଁ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହିଥିଲେ। ରାମଚଣ୍ଡୀ ମୁହାଣ ନିକଟରେ ୭୦ଟି ତମ୍ବୁ ଘରେ ପର୍ଯ୍ୟଟକ ମାନେ ପଞ୍ଚତାରକା ହୋଟେଲର ମଜା ନେବା ସହିତ ଦୁଇ ଗୋଟି ଖୋଲା ବାରର ମଜା ନେବେ। ତତସହିତ ଜଳକ୍ରୀଡା, ସ୍ପା ଆଦିର ଭରପୂର ଲାଭ ଉଠାଇବେ ପର୍ଯ୍ୟଟକ। ଆଜି ଏହି କାର୍ଯ୍ୟକ୍ରମ ଉଦଘାଟନ ହୋଇଥିବା ବେଳେ ଆସନ୍ତା ୧୫ ତାରିଖ ଠାରୁ ପର୍ଯ୍ୟଟକ ମାନେ ଏଠାରେ ରହିବେ ବୋଲି ଜଣାପଡିଛି। ଚଳିତ ବର୍ଷ ପ୍ରଥମ ଦିନ ପାଇଁ ସମସ୍ତ କଟେଜ ବୁକିଂ ସରିଥିବା ବେଳେ ଆଗାମୀ ଦିନରେ ଅଧିକ ପର୍ଯ୍ୟଟକ ଏଠାକୁ ଆସିବେ ବୋଲି ଆଶା କରାଯାଇଛି। ଏବେ ଠାରୁ ଇକୋ ରିଟ୍ରିଟ ନିକଟରେ ପର୍ଯ୍ୟଟକଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ବେଳାଭୂମିରେ ବଡ଼ ତୋରଣ, ସେଲ୍ଫି ପଏଣ୍ଟ,କନଫରେନ୍ସ ଓ ରିସେପସନ ପାଇଁ ଦୁଇଟି ବଡ଼ ହଲ ନିର୍ମାଣ, ପାନୀୟ ଜଳର ବ୍ୟବସ୍ଥା ହୋଇଛି।ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସ୍ବର୍ଣ୍ଣାଭ ବେଳାଭୂମିରେ ଜଳକ୍ରୀଡା,ବାନାନା ବୋଟ, ପାରାସେଲିଙ୍ଗ,ସାଇକେଲ ଚାଳନା, ସଂଗୀତ ଓ ଯୋଗଭିତ୍ତିକ
କାର୍ଯ୍ୟକ୍ରମ ରେ ସାମିଲ କରାଯିବ।