ଖବର କାଗଜ ବିତରକଙ୍କ ବିୟୋଗରେ ଶୋକ
ପୁରୀ,(ୱାଏନଏସ):କୋଣାର୍କ ଅଞ୍ଚଳର ସର୍ବ ପ୍ରଥମ ଖବରକାଗଜ ବିତରକ ତଥା ମୂରବୀ ଶ୍ରେଣୀୟ ବ୍ୟକ୍ତି ବୁଦ୍ଧନାଥ ଜେନା(୮୦ ବର୍ଷ)ଙ୍କ ଅକାଳ ବିୟୋଗରେ ଶୋକର ଛାୟା ଖେଳି ଯାଇଛି। ପ୍ରାପ୍ତ ସୂଚନାକୁ ଜଣାପଡେକି ସ୍ୱର୍ଗତ ବୁଦ୍ଧନଥ ଦୀର୍ଘ ୪୦ବର୍ଷରୁ ଉର୍ଦ୍ଧ ସମୟ ଧରି ନିଜ ସାଇକଲ ଧରି କୋଣାର୍କ ତଥା ଆଖପାଖ ଅଞ୍ଚଳରେ ବିଭିନ୍ନ ଖବର କାଗଜ ବିତରଣ କରି ଖବରକାଗଜ ମଉସା ଭାବେ ପରିଚିତ ହୋଇଥିଲେ।ସେ ଜଣେ ମିଷ୍ଟାଭାଷୀ, ପରୋପକାରୀ ବ୍ୟକ୍ତି ଥିବା ବେଳେ ଜୀବନର ଶେଷ ପର୍ଯ୍ୟନ୍ତ ଖବରକାଗଜକୁ ବ୍ରତ ଭାବେ ପାଳନ କରି ଖରା ବର୍ଷାକୁ ଖାତିରି ନକରି ନିଜର କର୍ତ୍ତବ୍ୟ କରି ଚାଲିଥିଲେ। ଦୀର୍ଘ ସମୟ ଧରି ସେ ଅସୁସ୍ଥ ଥିଲେ ମଧ୍ୟ ସେ ତାଙ୍କର କାର୍ଯ୍ୟ ବନ୍ଦ କରିନଥିଲେ। ତାଙ୍କ ଅବଦାନ ଯୋଗୁଁ କୋଣାର୍କ ଅଞ୍ଚଳରେ ସାମ୍ବାଦିକତା କ୍ଷେତ୍ରରେ ଅନେକ ବ୍ୟକ୍ତି ସୁନାମ ଅର୍ଜନ କରିଅଛନ୍ତି। ତାଙ୍କର ବିୟୋଗରେ କୋଣାର୍କ ପ୍ରେସକ୍ଲବ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଅଛି। କ୍ଲବର ସଭାପତି ଧନଞ୍ଜୟ ବେହେରା, ସମ୍ପାଦକ ବିଚିତ୍ର ଓଝା, କୋଷାଧ୍ୟକ୍ଷ ଦୀପ୍ତିରଞ୍ଜନ ପାତ୍ରଙ୍କ ସମେତ ଉପଦେଷ୍ଟା ସଞ୍ଜୟ ପତି, ରାମକୃଷ୍ଣ ମହାନ୍ତି ଓ ସମସ୍ତ ସଭ୍ୟ ମାନେ ଦିବଂଗତ ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାଥନା କରିଥିଲେ। ସେହିପରି ମହାବୀର ଖବର କାଗଜ ବିତରକ ସଂଘ ପକ୍ଷରୁ ସ୍ୱର୍ଗତ ଜେନାଙ୍କ ଉଦ୍ଦେଶ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା। ସଂଘର ସଭାପତି ସୁକାନ୍ତ ନାୟକ, ନୃସିଂହ ମିଶ୍ରଙ୍କ ସମେତ ଅନ୍ୟ ସଭ୍ୟ ମାନେ ଉପସ୍ଥିତ ରହିଥିଲେ।