ଖୁଦୁରୁକୁଣୀ
ଜିତା ମଙ୍ଗଳା ମାଙ୍କ ଖୁଦୁରୁକୁଣୀ ଓଷା କରିଛି. ରବିବାରକୁ ରବିବାର ସେ ନିଜ ଘରେ ଖୁଦୁରୁକୁଣୀ ଓଷା ପାଇଁ ପ୍ରସ୍ତୁତି କରେ ଓ ପ୍ରସ୍ତୁତ ହୁଏ. ଗୀତ ବୋଳିଲାବେଳେ ସେ ତଅପୋଇ ପାଇଁ ଯେତିକି ଦୁଃଖିତ ହୁଏ, ତଅପୋଇର ସାତଭାଉଜଙ୍କ ଭିତରୁ ଛଅ ଜଣଙ୍କ ନାକ କାଟିବା ଘଟଣା ତାକୁ ସେତିକି ଆନ୍ଦୋଳିତ କରେ. ଗୋଟେ ପଟେ ଭାଇର ଭଉଣୀକୁ ସୁରକ୍ଷା ଦେବା କଥା ଖୁଦୁରୁକୁଣୀ ଓଷାର ମୂଳ ତଥ୍ୟ ହୋଇଥିବା ବେଳେ ଜିତା ଭାବେ ସତରେ ତା ରାଇଜରେ ଭାଇ ଭଉଣୀଙ୍କ ପବିତ୍ର ବନ୍ଧନ କୋଉ ଆବାହମାନ କାଳରୁ ଗଡିଆସୁଛି. କିନ୍ତୁ ଅନ୍ୟ ପଟରେ ଛଅ ଭାଉଜଙ୍କ ଭୁଲକୁ ନେଇ ତଅପୋଇ ଭଉଜମାନଙ୍କ ନାକ କାଟିବା ପରିବର୍ତ୍ତେ ଅନ୍ୟ କିଛି ଶିକ୍ଷା ଦେଇଥିଲେ ଭଲ ହୋଇଥାଆନ୍ତା ବୋଲି କାହିଁକି କେଜାଣି ତାର ହୃଦବୋଧ ହେଲାବେଳେ ପଡିଶା ଘର ବୀଣା ଅପାର ବୀଣା ବାଦନ ଭାସି ଆସୁଥାଏ.ଜିତା ଜାଣେ ତା ଭାଇ ଅଶୋକ ବୀଣାଅପାକୁ ଭଲ ପାଏ. ମାତ୍ର ବୋଉ କହେ ସେ ଅଣ୍ଡିରାଚଣ୍ଡୀଟିଏ. ଦେଖୁନୁ ଓଷା ଉପାସ ବ୍ରତରେ ତାର ମନ ନଥାଏ. ବୀଣା ବଜାଇ କଣ ଐଶ୍ବର୍ଗୀକ ଭାବନା ଆସିବ. ସଂସାର ପଥେ ସଂସାରୀ ହେବାକୁ ପାଠ, ଶାଠ, ସଣ୍ଠଣା, ସଂସ୍କାର ମଧ୍ୟ ଜରୁରୀ ତ ଭାଇର ମନ ଭାଙ୍ଗିଯାଏ. ବାପାଙ୍କୁ କହିଲେ ବାପା କହିବେ ଦୂର ବନ୍ଧୁ, ଦୂର ପାହାଡ଼ ପରି ସୁନ୍ଦର. ଜିତା ଭାବେ ବୀଣାଅପା ଆମ ଗାଁ ପଡୋଶୀଙ୍କ ଝିଅ ନହୋଇ କୋଉ ଦୂର ଗାଁରେ ଜନ୍ମ ହୋଇନଥାନ୍ତା.
ଜିତାର ଭାବନାକୁ ଖିନ ଭିନ କରି ଉଠୁଥିଲା ଗୁଜବଟିଏ. ବୀଣା ବାଦନ କରିବାକୁ ଯାଉଥିବା ବୀଣାଅପା କାଳେ ଦୁଶ୍ଚରୀତା. ଏବେ ସେ ପେଟରେ ହୋଇଛି. ବୋଉ କହୁଥିଲା ମାଉନମୁହିଁ ବାପ ମାଆଙ୍କ ମୁହଁରେ କାଳି ବୋଳିଲା. ବାପା କେବଳ କହୁଥିଲେ ହରେ ରାମ ହରେ ରାମ, ଏ କାନ କଣ ନାଶୁଣିଲା କିନ୍ତୁ ବୀଣାଅପାର ବୀଣା ବାଜୁଥିଲା ସେମିତି ସୁଲଳିତ ସ୍ୱର, ଲୟ ଓ ତାଳରେ. ବୀଣାଅପାକୁ କିଛି ପଚାରିବାକୁ ଭାବୁଥିବା ଜିତା ଟେର ପାଉନଥିଲା ଜିତାଅପାର. ଗାଁରେ ଚୁପି ଚୁପି ଗୁଞ୍ଜରଣ ଖେଳିଯାଉଥିଲା ଏଥର ବୀଣାକୁ ବୋହୂ କରିବାକୁ ବାଧ୍ୟ ହେବେ ପଡୋଶୀ ଦିବାକରବାବୁ. ପୁଅ ଲୁଚେଇ ଲୁଚେଇ ବିଲେଇ ପରି କ୍ଷୀର ପିଉଛି ଭାବୁଛି କେହି ଦେଖିପାରୁନାହାଁନ୍ତି. ଚୋର ଘର ସବୁଦିନ ଅନ୍ଧାର ନଥାଏ. ଜିତା ଏସବୁ କଥାର ଗୁଢ ରହସ୍ୟ କିଛି ବୁଝେନା. କିଏ ବିଲେଇ? ତା ଭାଇ କଣ ପ୍ରକୃତରେ ବୀଣାଅପାକୁ କଳଙ୍କିନି କରିଛି!ନଚେତ ଗାଁ ପୋଖରୀ ତୁଠରେ ଏ ଯେଉଁ ଚୁପି ଚୁପି, ଗୁପଚୁପ, ଦେଖେଇ ଶିଖେଇ କଥା ସବୁତ ତା ବାପାଙ୍କ ନାମରେ, ତେବେ ସତ କଣ କେଜାଣି ମାଆ ମଙ୍ଗଳା ମୋ ବାପା ମାଆ ଓ ଭାଇ ତଥା ପରିବାରକୁ ସାହା ହୁଅ ମାଆ.
ଦ୍ୱିତୀୟ ପାଳି ଖୁଦୁରୁକୁଣୀ ପୂଜାରେ ବ୍ୟସ୍ତ ଥାଏ ଜିତା. ଦାଣ୍ଡ ପଟୁ ପାଟିତୁଣ୍ଡ ଶୁଭୁଥିଲା. ଭାଇ ଅଶୋକ ବୀଣା ଅପାକୁ ମନ୍ଦିରରେ ବାହା ହୋଇ ଘରକୁ ଆସିଛି କିନ୍ତୁ ବାପା ଗୃହପ୍ରବେଶକୁ ନିଶିଦ୍ଧ କରିଛନ୍ତି. କୁଳାଙ୍ଗାର ମୋ ଘରୁ ବାହାର କହୁଛନ୍ତି. ବୋଉ ସ୍ଥାଣୁ ପରି ଠିଆ ହୋଇ ଲୁହ ଗଡେଇ ଚାଲିଛି. ବାପା କମ୍ପୁଛନ୍ତି ଆରେ ମୋ ସାତ ପୁରୁଷି ତା ହାତରେ ପିଣ୍ଡ ପାଇବେ ଟି? ତତେ ପାଠଶାଠ ପଢ଼େଇ ଏଇ ଶିକ୍ଷା ଦେଇଥିଲି? ଭାଇ ବିନା ବାକ୍ୟବ୍ୟୟରେ ଫେରିପଡୁଥିଲା ଦାଣ୍ଡଦୁଆରୁ. ଦୌଡ଼ିଲା ଜିତା, ହାତରେ ମା ମଙ୍ଗଳାଙ୍କ ପାଇଁ ଉଦିଷ୍ଟ କୁଲା. ତା ଭିତରେ ସବୁ ଥିଲା. ଅରୁଆ ଚାଉଳ ଦୁବ ବରକୋଳି ପତ୍ର, ହଳଦୀ, ଚନ୍ଦନ କସ୍ତୁରୀ ମିଶାଇ ଭାଇ ଭାଉଜଙ୍କୁ ବନ୍ଦାପନା କରି ଘରକୁ ନେଲା ବେଳେ ବୋଉ ଆସି ହୁଳହୁଳି ପକାଇ ଭାଉଜଙ୍କୁ ଘର ଭିତରକୁ ନେଉଥିଲା. ଜିତା ପୂଜା ସାରି ଭାଇ ପାଖକୁ ଆସି କିଛି ପାଉଣା ଝଡ଼େଇବାକୁ ଆସି ଦେଖେତ ଭାଇ ଘରେ ନଥିଲା. ବାପା ଏବେ ବ୍ୟସ୍ତ ହୋଇପଡୁଥିଲେ ତ ଜିତା ବୁଝାଇଦେଇଥିଲା ବ୍ୟସ୍ତ ନହେବାକୁ କହୁଥିଲା.ଅପେକ୍ଷା କର ବାପା ଭାଇ ଫେରିବ ନିଶ୍ଚୟ. ସେପଟେ ଗାଁ ଝିଅ ମାନେ ମଙ୍ଗଳା ସୁମରି ହୁଳହୁଳି ପକାଉଥିଲେ.ଜିତା ବୀଣା ଅପା କୁ କହିଥିଲା ଏ ବର୍ଷ ମୋ କଲେଜରେ ଆମ ଡିପାର୍ଟମେଣ୍ଟରେ ଗଣେଶପୂଜା ଖୁବ ଧୁମଧାମରେ ପାଳିତ ହେବ. କଥାଦିଅ ଭାଉଜ ତୁମେ ସେହି ପୂଜାରେ ବୀଣା ବାଦନ କରିବ. ବୀଣା ଶାଶୁ ଶଶୁରଙ୍କୁ ପ୍ରଣାମ କରି ଜିତା ସଙ୍ଗେ ତା କଲେଜକୁ ଯାଇଥିଲା. ଫେରିଲା ବେଳକୁ ଝିପି ଝିପି ବର୍ଷା ଆରମ୍ଭ ହୋଇଯାଇଥିଲା ତ ଅଧ୍ୟାପିକା ଜିତା ଓ ତା କଳାକାର ଭାଉଜଙ୍କୁ ଘରେ ଡ୍ରପ କରିଦେବାକୁ ଅନେକ ଛାତ୍ର, ଛାତ୍ରୀ ଓ ସହକର୍ମୀ ଆଗେଇ ଆସିଥିଲେ ମଧ୍ୟ ଅଶୋକର ଗାଡି ଲାଗିଥିଲା କଲେଜ ଆଗରେ. ଜିତା ମୁହଁରେ ହସ ଭାଉଜ ଆଖିରେ ଚମକ ଖେଳିଯାଇଥିଲା.
ସୁନନ୍ଦା ମହାନ୍ତି
ସାକ୍ଷିଗୋପାଳ
ପୁରୀ